ବୁଗୁଡା : ବୁଗୁଡା ବନାଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଥମୁନାହିଁ। ଫଳରେ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଗତକାଲି ରାତିରେ ନୂଆଦଦରାଖୋଲ ଓ ମହୁଲପଲ୍ଲୀ ଗାଁରେ ୮ଟିକିଆ ହାତୀପଲ ପଶି ବ୍ୟାପକ ଫସଲ ଦଳିଚକଟି ନଷ୍ଟ କରିପକାଇଛନ୍ତି। ଦଦରାଖୋଲର ନାରାୟଣ ପ୍ରଧାନଙ୍କ କିଆରୀକୁ ହାତୀପଲ ମାଡ଼ି ଆସି ଆଖୁ, ଟମାଟୋ, କଦଳୀ ଓ ବାଇଗଣ ଆଦି ଖାଇବା ସହ ଅନ୍ୟାନ୍ୟ ଫସଲ ନଷ୍ଟ କରିଛନ୍ତି। ସେହିପରି ମହୁଲପଲ୍ଲୀ ଗ୍ରାମର ତ୍ରିନାଥ ପ୍ରଧାନଙ୍କ କିଆରୀରେ ପଶି ହାତୀପଲ ବିଭିନ୍ନ ପରିବା ଖାଇଥିବା ସୂଚନା ମିଳିଛି।
ଏନେଇ ବନ ବିଭାଗରେ ଅଭିଯୋଗ କରାଯାଇଥିଲେ ହେଁ, କୌଣସି ଅଧିକାରୀ ଓ କର୍ମଚାରୀ ପହଞ୍ଚି ନଥିବା ଚାଷୀ ଅଭିଯୋଗ କରିଛନ୍ତି। ସେହିପରି ଆଜି ସନ୍ଧ୍ୟାରେ ମାଣିତରା, ସାପୁଆପଲ୍ଲୀ ଓ ଢିମିରିସାହି ଆଦି ଗ୍ରାମ ନିକଟ କଦଳୀ ବଗିଚା ସହ ବିଭିନ୍ନ କିଆରୀରେ ପଶି ହାତୀପଲ ଫସଲ ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି। ସାତ ଦିନ ହେଲା ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଗ୍ରାମରେ ହାତୀପଲ ଉପଦ୍ରବ ଜାରି ରଖିଥିବା ବେଳେ ବନ ବିଭାଗ ପକ୍ଷରୁ ନାଇଟ୍ ପାଟ୍ରୋଲିଂକୁ ସକ୍ରିୟ ନାଇଟ୍ ପାଟ୍ରୋଲିଂ କରାଯାଉ ନଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ହାତୀପଲ ମାଣିତରା ସେକ୍ସନ୍ ଅନ୍ତର୍ଗତ ସେନାପତି ଜଙ୍ଗଲରେ ଗତିବିଧି ଜାରି ରଖିଛନ୍ତି।