ସିଧାସଳଖ ନୁହେଁ, ଝାରସୁଗୁଡ଼ା ଦେଇ ରାଉରକେଲାକୁ ଯାଇଥିଲା ବିମାନ

ରାଉରକେଲା: ରାଉରକେଲା ବିମାନସେବାରେ ନିୟମିତ ବ୍ୟବଧାନରେ ସମସ୍ୟା ପରିଲକ୍ଷିତ ହେଉଛି। କେତେବେଳେ ବିମାନ ସେବାକୁ ଅଘୋଷିତ ବାତିଲ କରିଦିଆଯାଉଥିବାବେଳେ ପୁଣି କେତେବେଳେ ବିମାନ ବନ୍ଦରରେ ଥିବା ବସ୍‌ ସେବାକୁ ପ୍ରତ୍ୟାହାର କରିନିଆଯାଉଛି। ଏବେ କିନ୍ତୁ ଆଉ ଏକ ବିରାଟ ସମସ୍ୟା ଦେଖିବାକୁ ମିଳିଛି। ଭୁବନେଶ୍ବରକୁ ଯାଉଥିବା ଯାତ୍ରୀଙ୍କୁ ସିଧାସଳଖ ଗନ୍ତବ୍ୟ ସ୍ଥଳରେ ନ ପହଞ୍ଚାଇ ଝାରସୁଗୁଡ଼ା ଦେଇ ନିଆଯାଉଛି। ଏଭଳି ବ୍ୟତିକ୍ରମ ଗତ ଶନିବାର ଦିନ ଦେଖିବାକୁ ମିଳିଥିଲା। ଭୁବନେଶ୍ବରରେ ପାଣିପାଗ ଖରାପ ଥିବା ଦର୍ଶାଇ ଝାରସୁଗୁଡ଼ାରେ ବିମାନ ଅବତରଣ କରାଯାଇଥିବା ଦର୍ଶାଇଥିଲେ ଆଲିଆନ୍ସ ଏୟାର କର୍ତ୍ତୃପକ୍ଷ। ବାସ୍ତବରେ କୋଲକାତା ଯିବାକୁ ଝାରସୁଗୁଡ଼ାରେ ଅପେକ୍ଷାରତ ଯାତ୍ରୀଙ୍କ ପାଇଁ ଏଭଳି ନିୟମର ଖିଲାପ କରାଯାଇଥିବା କୁହାଯାଉଛି।

ଶନିବାର ଦେଖିବାକୁ ମିଳିଥିଲା ବ୍ୟତିକ୍ରମ
୯ଟାରେ ପହଞ୍ଚିଲେ ୫୧ ଯାତ୍ରୀ

ପ୍ରତିଦିନ ଭଳି ଗତକାଲି ଅପରାହ୍ନ ୪.୧୦ରେ ଆଲିଆନ୍ସ ଏୟାର ବିମାନ ରାଉରକେଲାରୁ ଭୁବନେଶ୍ବର ଯିବାକୁ ବାହାରିବାର ଥିଲା। ତେବେ କୌଣସି କାରଣରୁ ୧୫ ମିନିଟ ବିଳମ୍ବ, ଅର୍ଥାତ୍‌ ୪ଟା ୨୫ ମିନିଟ୍‌ରେ ରାଉରକେଲାରୁ ବିମାନ ଉଡ଼ିଥିଲା। ଗତକାଲି ମୋଟ ୫୧ ଜଣ ଯାତ୍ରୀ ଭୁବନେଶ୍ବରକୁ ଯାଉଥିଲେ। ବିମାନଟି ଅପରାହ୍ନ ପ୍ରାୟ ୫ଟା ୨୦ରେ ଭୁବନେଶ୍ବରରେ ପହଞ୍ଚିବା କଥା। କିନ୍ତୁ ବିମାନ ଭୁବନେଶ୍ବରକୁ ନ ନଯାଇ ସନ୍ଧ୍ୟା ୫ଟା ୫୫ ମିନିଟ୍‌ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲା। ଏହି ସମୟରେ ଆଲିଆନ୍ସ ଏୟାର୍‌ ପକ୍ଷରୁ ଘୋଷଣା କରାଯାଇଥିଲା, ଭୁବନେଶ୍ବରରେ ପାଣିପାଗ ଖରାପ ଥିବାରୁ ବିମାନ ଅବତରଣ ସମ୍ଭବ ହେଉନି। ଅବତରଣ ପାଇଁ ପାଖାପାଖି ୧୫ ମିନିଟ ଆକାଶମାର୍ଗରେ ଅପେକ୍ଷା କଲୁ।

କିନ୍ତୁ ଅବତରଣ ଅନୁମତି ନ ମିଳିବାରୁ ଝାରସୁଗୁଡ଼ାରେ ବିମାନ ଅବତରଣ କରାଯାଉଛି। ଏଠାରେ ମାତ୍ର ୧୫ ମିନିଟର ରହଣି ପରେ ପୁଣି ଭୁବନେଶ୍ବର ଅଭିମୁଖେ ବାହାରିବ। ଅପରପକ୍ଷରେ ନିର୍ଦ୍ଧାରିତ ସମୟରେ ଭୁବନେଶ୍ବରରେ ବିମାନ ଅବତରଣ ନ କରିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ବିମାନ କର୍ତ୍ତୃପକ୍ଷଙ୍କ ଏଭଳି ଘୋଷଣାପରେ କିଛିମାତ୍ରାରେ ଯାତ୍ରୀଙ୍କ ଅସନ୍ତୋଷ ଶାନ୍ତ ପଡ଼ିଥିଲା। ବିମାନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମୁତାବକ ଯାତ୍ରୀ ବିମାନବନ୍ଦରରେ ଅଟକି ରହିଥିଲେ। ତେବେ ୧୫ ମିନିଟପରେ ବିମାନ ଗନ୍ତବ୍ୟ ପଥରେ ନ ବାହାରିବାରୁ ଯାତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବିମାନ କର୍ତ୍ତୃପକ୍ଷ କିନ୍ତୁ ଭିନ୍ନ ଭିନ୍ନ ସମୟରେ ଉଡ଼ିବବୋଲି ମିଛ ପ୍ରତିଶ୍ରୁତି ଦେଇ ଚାଲିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଯାତ୍ରୀଙ୍କୁ ଏଭଳି ଭୁତାଇ ରଖାଯାଇଥିଲା। ସଂନ୍ଧ୍ୟା ସାଢ଼େ ୭ଟାରେ ଭୁବନେଶ୍ବର ଦେଇ କୋଲ‌କାତା ଯିବାକୁ ପାଖାପାଖି ୨୦ ଜଣ ଯାତ୍ରୀ ଝାରସୁଗୁଡ଼ାରୁ ଉକ୍ତ ବିମାନରେ ଚଢ଼ିଥିଲେ। ଏହାପରେ ସନ୍ଧ୍ୟା ପ୍ରାୟ ୭.୫୬ରେ ବିମାନ ଭୁବନେଶ୍ବର ଅଭିମୁଖେ ବାହାରିଥିଲା ଏବଂ ସେଠାରେ ରାତି ପ୍ରାୟ ୮.୫୬ରେ ପହଞ୍ଚିଥିଲା‌। ଅର୍ଥାତ୍‌, ଯାତ୍ରୀମାନେ ଅପରାହ୍ନ ୫ଟା ୨୫ରେ ପହଞ୍ଚିବା ପରିବର୍ତ୍ତେ ପାଖାପାଖି ସାଢ଼େ ୩ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ।

ତେବେ ବିମାନ ସିଧାସଳଖ ଭୁବନେଶ୍ବରରେ ନ ପହଞ୍ଚି ଝାରସୁଗୁଡ଼ାରେ ପହଞ୍ଚିବା ପଛରେ ଏକାଧିକ ଗୁଢ଼ ରହସ୍ୟ ଲୁଚି ରହିଥିବା ଆଲୋଚନା ହୁଏ। ରାଉରକେଲାରୁ ଭୁବନେଶ୍ବର ଓ ସେଠାରେ ୧୫ ମିନିଟ ଅପେକ୍ଷାପରେ ପୁଣି ଝାରସୁଗୁଡ଼ାକୁ ଫେରିବାକୁ ହେଲେ, ବିମାନକୁ ପାଖାପାଖି ୨ ଘଣ୍ଟା ୧୦ ମିନିଟ ଲାଗିବ। କିନ୍ତୁ ବିମାନ ରାଉରକେଲାରୁ ବାହାରିବାର ମାତ୍ର ଦେଢ଼ ଘଣ୍ଟା ଭିତରେ ଝାରସୁଗୁଡ଼ା‌ ବିମାନ ବନ୍ଦରରେ ଅବତରଣ କରିଥିଲା। ଏଣୁ ଏଠାରେ ପ୍ରଶ୍ନ ଉଠେ, ବାସ୍ତବରେ ବିମାନ ଭୁବନେଶ୍ବରରେ ପହଞ୍ଚି ଥିଲା ତ? ଅବତରଣ ପାଇଁ ୧୫ ମିନିଟ ଯାଏ ଅପେକ୍ଷା କରିଥିଲା କି? ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ରାତ୍ରୀକାଳୀନ ଅବତରଣ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ରହିଥିବାରୁ ଅନବରତ ବିମାନ ଉଡ଼ାଣ ଓ ଅବତରଣ ହେଉଥିବାବେଳେ ଖରାପ ପାଣିପାଗ ଯୋଗୁଁ ରାଉରକେଲାରୁ ଯାଇଥିବା ବିମାନକୁ ଅବତରଣ ଅନୁମତି ମିଳିଲାନି କେମିତି? ଝାରସୁଗୁଡ଼ାରୁ କୋଲକାତା ଅଭିମୁଖେ ଯିବାକୁ ଥିବା ଯାତ୍ରୀଙ୍କ ପାଇଁ ଅଧା ରାସ୍ତାରେ ଖରାପ ପାଣିପାଗ କାରଣ ଦର୍ଶାଯାଇନି ତ? ଏଭଳି ଅନେକ ପ୍ରଶ୍ନର ଉତ୍ତର କିନ୍ତୁ ମିଳିପାରିନି। ତେବେ ଆଜି ବିମାନଟି ସିଧାସଳଖ ରାଉରକେଲାରୁ ଭୁବନେଶ୍ବର ଯାଇଛି। ଆଜି ଭୁବନେଶ୍ବରରୁ ୨୯ ଜଣ ଯାତ୍ରୀ ରାଉରକେଲାକୁ ଆସିଥିବାବେଳେ ଏଠାରୁ ୪୭ ଜଣ ଯାତ୍ରୀ ଭୁବନେଶ୍ବରକୁ ଯାଇଛନ୍ତି।

ସମ୍ବନ୍ଧିତ ଖବର