ପାଠପଢ଼ା ନୁହେଁ, ସ୍କୁଲ ଚକାଚକ୍‌ ଉପରେ ଶିକ୍ଷା ବିଭାଗର ଗୁରୁତ୍ବ

ପ୍ରାୟ ୯୯ ଭାଗ ହାଇସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ, ୯ ବର୍ଷ ଧରି ୩୬ ହାଇସ୍କୁଲର ପ୍ରଧାନଶିକ୍ଷକ ପଦବୀ ଖାଲି

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୬୭ ପ୍ରମୁଖ ହାଇସ୍କୁଲ ରୂପାନ୍ତରିତ ହୋଇଛି। ସେଥିପାଇଁ ପାଣି ପରି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚକାଚକ୍‌ ହୋଇଛି ସ୍କୁଲ କୋଠା। ପ୍ରତ୍ୟେକ ସ୍କୁଲରେ ଆରମ୍ଭ ହୋଇଛି ସ୍ମାର୍ଟ କ୍ଲାସ୍‌। କିନ୍ତୁ ଆଶ୍ଚର୍ଯ୍ୟର କଥା, ଚକାଚକ୍‌ ହୋଇଥିବା ହାଇସ୍କୁଲ ଭିତରୁ ପ୍ରାୟତଃ ୯୯ ଭାଗ ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। କେବଳ ପ୍ରଧାନଶିକ୍ଷକ ନୁହେଁ, ଅନ୍ୟ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଛି। ରୂପାନ୍ତରଣ ବେଳେ ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେବା କଥା। କିନ୍ତୁ ତାହା ନକରି କୋଠା ତିଆରି କରି ଚକାଚକ୍‌ ଉପରେ ରାଜ୍ୟ ଶିକ୍ଷାବିଭାଗ ଗୁରୁତ୍ବ ଦେଉଥିବା ଏଥିରୁ ସ୍ପଷ୍ଟ ହେଉଛି। ଯାହାକି କାହାକୁ ଅଛପା ଥିଲା ଭଳି ଜଣାପଡୁନି।

ରୂପାନ୍ତରଣ ସ୍କୁଲ ଭିତରୁ ଗୋଟିଏ ଦୁଇଟିକୁ ଛାଡ଼ିଦେଲେ ୯୯ ଭାଗ ସ୍କୁଲରେ ପ୍ରଧାନ ଶିକ୍ଷକ ନାହାନ୍ତି। ତା’ ଭିତରୁ ୩୬ ସ୍କୁଲରେ ଗତ ୯ ବର୍ଷ ଧରି ଅର୍ଥାତ୍‌ ୨୦୧୨ରୁ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି। ଜିଲ୍ଲାର ସବ୍‌ଡେଗା, ରାଜଗାଙ୍ଗପୁର, କୁଆଁରମୁଣ୍ଡା, ନୂଆଗାଁ, ଲହୁଣିପଡା, ଗୁରୁଣ୍ଡିଆ, କୋଇଡା, ହେମଗିରି, ଲେଫ୍ରିପଡା, ବାଲିଶଙ୍କରା ଓ କୁତ୍ରା ବ୍ଲକରେ ଏସବୁ ସ୍କୁଲ ରହିଛି। ଯୋଗ୍ୟତା ନଥାଇ ଅନଭିଜ୍ଞ ଶିକ୍ଷକଶିକ୍ଷୟିତ୍ରୀ ଏସବୁ ସ୍କୁଲର ପ୍ରଧାନଶିକ୍ଷକ ଭାର ମୁଣ୍ଡାଇଛନ୍ତି। ରାଜଗାଙ୍ଗପୁର ବ୍ଲକର ୭ ସ୍କୁଲର ପ୍ରଧାନଶିକ୍ଷକ ପଦବୀ ଦୀର୍ଘ ମାସ ଧରି ଖାଲି ପଡିଛି। ସ୍ମାର୍ଟସିଟି ରାଉରକେଲା ସହର ଭିତରେ ଥିବା ପାନପୋଷସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ବାସନ୍ତୀ କଲୋନୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ୨୦୧୨ରୁ ପ୍ରଧାନଶିକ୍ଷକ ନାହାନ୍ତି। କୁଆଁରମୁଣ୍ଡା ବ୍ଲକର କଚାରୁ, କାଦୋବାହାଲ, ଧାଙ୍ଗିରିନଚା, ପଦମପୁର, ଝାରବେଡ଼ା ଓ ବାରାବାଂଶସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ୯ ବର୍ଷ ଧରି ପ୍ରଧାନଶିକ୍ଷକ ପଦ ଖାଲି ପଡିଛି। ଯଦିଓ ନିକଟରେ ବ୍ଲକର ଏହି ବିଦ୍ୟାଳୟଗୁଡ଼ିକୁ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚକାଚକ୍‌ କରାଯାଇଛି ଏତେ ଦିନ ଧରି ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ପଦବୀ ପୂରଣ ନ କରି କୋଠା ଚକାଚକ କରିଦେଲେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ କିପରି ବୃଦ୍ଧି ହେବ, ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜିଲ୍ଲାର ହାଇସ୍କୁଲଗୁଡ଼ିକରେ ମୋଟ ୧୮୮୮ ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ରହିଛି। ତା’ ବଦଳରେ ୧୧୦୧ ଶିକ୍ଷକ ବର୍ତ୍ତମାନ ଅଛନ୍ତି। ୭୮୭ ପଦ ଖାଲି ପଡିଛି। ଇଂରାଜୀ ପାଠ ପଢ଼ାଉଥିବା ମୋଟ୍‌ ୫୧୬ ଆର୍ଟସ ଶିକ୍ଷକଙ୍କ ଆବଶ୍ୟକତା ଭିତରୁ ୩୦୧ ଅଛନ୍ତି । ଅନୁରୂପ ଭାବେ ୪୨ ଟିଆଇ ଶିକ୍ଷକ ପାଇଁ ଅଛନ୍ତି ୨୪। ଟିଏମ୍‌ ଶିକ୍ଷକ  ୪୩ ଜଣ ଆବଶ୍ୟକ ଥିବାବେଳେ ଅଛନ୍ତି ୨୮। ୧୯୯ କ୍ଲାସିକାଲ ଶିକ୍ଷକଙ୍କ ଆବଶ୍ୟକତା ଥିଲାବେଳେ ଅଛନ୍ତି ୧୨୩ ଜଣ। ୧୮୮ ହିନ୍ଦୀ ଶିକ୍ଷକଙ୍କ ମଧ୍ୟରୁ ଅଛନ୍ତି ୭୦। ସେମିତି ୧୮୩ ଜଣ ପିଇଟି ଶିକ୍ଷକଙ୍କ ମଧ୍ୟରୁ ଅଛନ୍ତି ୧୨୩। ସେହିଭଳି ୨୪୩  ବିଜ୍ଞାନ ଶିକ୍ଷକ ଆବଶ୍ୟକ ଥିବାବେଳେ ଅଛନ୍ତି ୧୩୬, ଖାଲି ପଡିଛି ୧୦୭ ପଦବୀ। ବର୍ଷ ବର୍ଷ ଧରି ଏସବୁ ଶିକ୍ଷକ ପଦବୀ ଖାଲି ପଡିଥିଲେ ହେଁ ଶିକ୍ଷା ବିଭାଗ ତାହାକୁ ପୂରଣ ଦିଗରେ ଆଦୌ ତତ୍ପରତା ଦେଖାଇ ନାହିଁ। ଏମିତି ସ୍ଥିତିରେ କୋଠା ଚକାଚକ କରିବାରେ ଲାଭ କାହାର ବୋଲି ପ୍ରଶ୍ନ ଉଠିଛି। ଏଭଳି କରିବା ଦ୍ବାରା ଯେଉଁ ଉଦ୍ଦେଶ୍ୟରେ ଏତେ ବଡ଼ ଯୋଜନା କରାଯାଉଛି ତାହାର ସୁଫଳ ଛାତ୍ରଛାତ୍ରୀଙ୍କୁ କିଭଳି ମିଳିବ ତାକୁ ନେଇ ଶିକ୍ଷକ ଓ ଅଭିଭାବକଙ୍କ ମହଲରେ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର