କାଳିଆପାଣି: ‘ଚତୁର୍ମାସ୍ୟାରେ ଗାଁକୁ ଯମ ବି ଯିବନି, ଏଥିପାଇଁ ବର୍ଷାଦିନେ ଆମ ଗାଁରେ କେହି ମରନ୍ତିନି’ ବୋଲି କହି ସରକାରୀ ଉଦାସୀନତାକୁ ଉପହାସ କରିଛନ୍ତି ଗ୍ରାମବାସୀ। ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତ ୧୦ ନମ୍ବର ୱାର୍ଡ ଚଟିକିପଶି ମାଟିଆ(ମଝି)ସାହିକୁ ଯିବା ପାଇଁ ଏବେ ଅଜଣା ଲୋକକୁ ବାଟ ଖୋଜିବାକୁ ପଡ଼ିବ। ଗାଁ ଦାଣ୍ଡ ଓ ଚାଷ ଜମି ଭିତରେ କିଛି ଫରକ ଜଣାପଡ଼ୁନି।
ବର୍ଷବର୍ଷ ଧରି ସରପଞ୍ଚ, ବିଧାୟକ ଓ ମନ୍ତ୍ରୀଙ୍କୁ ଦରଖାସ୍ତ ଓ ନେହୁରା ସତ୍ତ୍ବେ କିଛି ସୁଫଳ ମିଳିନଥିବା ନେଇ ବାସିନ୍ଦା(୩୫ ପରିବାର) ଅଭିଯୋଗ କରିଛନ୍ତି।
ପ୍ରତିବାଦ ସ୍ବରୂପ କିଛି ଗ୍ରାମବାସୀ ରବିବାର ବର୍ଷାରେ ଛତାଧରି ରାସ୍ତାରେ ଧାନତଳି ରୋଇଥିଲେ। କାଦୁଅବନ୍ଦୀ-ଚଟିକିପଶି ସଡ଼କରୁ ମଝିସାହି ପର୍ଯ୍ୟନ୍ତ ୨୫୦ ମିଟର ପାଖାପାଖି ସଡ଼କର ଦୁରାବସ୍ଥା ଏବେ କହିଲେ ନସରେ।
ସାଇକଲ୍ ଚଳାଇ ଗାଁ ଦାଣ୍ଡରେ ଯାଇ ହବନି। ହିଡ଼ ଓ ଘାସ ଚେକା ଦେଖି ତା’ ଉପରେ ବାଇକ୍ ଠେଲିଠେଲି କିଛିବାଟ ଯିବା ପରେ ଗନ୍ତବ୍ୟ ସ୍ଥାନ ଯିବା ହୋଇଥାଏ। ସଞ୍ଜ ପୂର୍ବରୁ ନଫେରିଲେ ବାଇକ୍ ଧରି ଘର ପହଞ୍ଚିବା କାଠିକର ପାଠ ହୋଇଥାଏ। ଏହି କାରଣରୁ ଗାଁରେ କାହାର ବି ଚାରି ଚକିଆ ଯାନ ଖଣ୍ଡିଏ ନାହିଁ। ଆମ୍ବୁଲାନ୍ସ ବସ୍ତିରୁ ୩ ଶହ ମିଟର ଦୂରରେ ରହୁଛି। ରୋଗୀ ବୋହିବାକୁ ଖଟିଆ ଖୋଜା ପଡ଼ୁଛି। ଗୋରୁଗାଈ ଫିଟିବା ଓ ଫେରିବା ବେଳେ ରାସ୍ତା ଦୁରାବସ୍ଥା ଦ୍ବିଗୁଣିତ ହୋଇଥାଏ।
ଗାଁ ଦାଣ୍ଡର ଏଭଳି ସ୍ଥିତି ପାଇଁ ବର୍ଷା ୪ ମାସ ସବୁ ଘରେ ସନ୍ତସନ୍ତିଆ ପରିବେଶ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କଳାକାର ମହାନ୍ତ, ରଜନୀ ମହାନ୍ତ, ଶକୁନ୍ତଳା ମହାନ୍ତ, ମାଳତି ମହାନ୍ତ, ମଞ୍ଜୁଲତା ମହାନ୍ତ, ଅଖିଳ ପ୍ରଧାନ, ସୁଦର୍ଶନ ମହାନ୍ତ, ରଘୁ ପ୍ରଧାନ, ନରୋତ୍ତମ ପ୍ରଧାନ, ପରମେଶ୍ବର ମହାନ୍ତ, ମଙ୍ଗୁଳିଆ ପ୍ରଧାନ, ଶ୍ରୀଧର ପ୍ରଧାନ, ଶରତ ମହାନ୍ତ, ଫଗୁ ପ୍ରଧାନ, ନରେନ୍ଦ୍ର ମହାନ୍ତ, ଡମ୍ବରୁଧର ମହାନ୍ତ, ମହେଶ୍ବର ମହାନ୍ତ, କ୍ଷେତ୍ର ମହାନ୍ତ, ଜଗବନ୍ଧୁ ମହାନ୍ତ ପ୍ରମୁଖ ଅଭିଯୋଗ କରନ୍ତି। ସେହିପରି କାଦୁଅବନ୍ଦୀ-ଚଟିକିପଶି ସଡ଼କ ଆରମ୍ଭରୁ ନେପାଳ ନାୟକଙ୍କ ଘର ପାଖ କଲଭର୍ଟ ପାଖ ସଡ଼କରେ ଏକ ବଡ଼ ଗାତ ସୃଷ୍ଟି ହୋଇଛି। ଦିନକୁ ଦିନ ଏହାର ଗାଡ଼ ଆକାର ବଢ଼ୁଥିଲେ ହେଁ ମରାମତି ହେଉନାହିଁ।
ସ୍ବାଧୀନତାର ୭୮ ବର୍ଷ ପରେ ବି ଆଦିମ ମାଟିଆ ଜନଜାତି ଓ ପଛୁଆବର୍ଗର କୁଡ଼ୁମୀ ସମାଜ ବସବାସ କରୁଥିବା ଏହି ବସ୍ତିକୁ ସବୁଦିନିଆ ସଡ଼କ ବ୍ୟବସ୍ଥା ନହେବା ଦୁର୍ଭାଗ୍ୟଜନକ ବୋଲି ଗ୍ରାମବାସୀ ମତ ରଖିଛନ୍ତି। ଏ ସଂପର୍କରେ ସରପଞ୍ଚ ସଞ୍ଜୟ ପରିଡ଼ାଙ୍କୁ ପଚାରିବାରେ ୨୦୧୭ ମସିହା ପୂର୍ବତନ ସରପଞ୍ଚ ସବିତା ମହାନ୍ତଙ୍କ ସମୟରୁ ପ୍ରତିବର୍ଷ ଏହି ସାହିର ସଡ଼କ ବ୍ୟବସ୍ଥା ପାଇଁ ଆବେଦନ ସତ୍ତ୍ବେ ପ୍ରଶାସନ ଶୁଣୁନଥିବା କହିଥିଲେ।
Jajpur