ବ୍ରହ୍ମପୁର : ଗୁଜରାଟ ଅହମ୍ମଦାବାଦର କୋଭିଡ଼୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ରୋଗୀଙ୍କ ମୃତ୍ୟୁ ପରେ ଓଡ଼ିଶା ସରକାର ରାଜ୍ୟରେ ଥିବା ସମସ୍ତ କୋଭିଡ଼୍ ହସ୍ପିଟାଲ୍ ଓ କୋଭିଡ଼୍ କେୟାର ସେଣ୍ଟର୍ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ବ୍ରହ୍ମପୁର ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଜିଲ୍ଲାରେ ଥିବା ୩ କୋଭିଡ଼୍ ହସ୍ପିଟାଲ୍ ଓ ସମସ୍ତ କୋଭିଡ଼୍ କେୟାର୍ ସେଣ୍ଟର୍ର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଯାଞ୍ଚ ବେଳେ ୩ଟି କୋଭିଡ୍ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ରହିଥିବା ଜଣାପଡ଼ିଛି। କିନ୍ତୁ କୋଭିଡ୍ କେୟାର ସେଣ୍ଟର୍ ଗୁଡ଼ିକ ମଧ୍ୟରୁ ଅଧିକାଂଶରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଏବଂ ଯେଉଁଠି ଅଛି ତାହା କାମ କରୁନଥିବା ଭଳି ସଙ୍ଗିନ ଚିତ୍ର ଯାଞ୍ଚ ବେଳେ ପଦାକୁ ଆସିଛି।
ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀଠାରେ ୨୨୦ ଶଯ୍ୟା ବିଶିଷ୍ଟ ଟାଟା କେଭିଡ଼୍-୧୯ ହସ୍ପିଟାଲ୍ ରହିଛି। ଡିଏଫ୍ଓ ଡି.କେ.ସ୍ବାଇଁଙ୍କ ତତ୍ତ୍ବାବଧାନରେ ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାକୁଡଙ୍କ ନେତୃତ୍ବରେ ଅଗ୍ନିଶମବାହିନୀ ହସ୍ପିଟାଲର ଅଗ୍ନିଶମ ବ୍ୟବସ୍ଥା ଯାଞ୍ଚ କରିଥିଲେ। କର୍ମଚାରୀମାନେ ପିପିଇ କିଟ୍ ପିନ୍ଧି ସତର୍କତାର ସହ ଏହି ଯାଞ୍ଚ କରିଛନ୍ତି। ଅତ୍ୟାଧୁନିକ ଏହି ହସ୍ପିଟାଲରେ ଅଗ୍ନିଶମ ବ୍ୟବସ୍ଥା ଠିକ୍ ରହିଥିବା ଜଣାପଡ଼ିଛି। ସେହିପରି ନବନିର୍ମିତ ଏମ୍କେସିଜି କୋଭିଡ୍ ହସ୍ପିଟାଲ୍ ଓ ଅଶ୍ବିନୀ କୋଭିଡ଼୍ ହସ୍ପିଟାଲ୍ ଅଗ୍ନିଶମ ବ୍ୟବସ୍ଥା ଠିକ୍ ରହିଛି। ପାରଳା ମହାରାଜାର ୨ଟି କେନ୍ଦ୍ର, ସିଟି ହସ୍ପିଟାଲ୍, ବିଜୁ ପଟ୍ଟନାୟକ ହୋମିଓପାଥିକ ଚିକିତ୍ସାଳୟ, ପାଲୁର୍ହିଲ୍ ସ୍ଥିତ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, ପାତ୍ରପୁର ଓ ସାନଖେମୁଣ୍ଡି କୋଭିଡ୍ କେୟାର ସେଣ୍ଟରର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ହୋଇଥିଲା।