ଓଡ଼ିଶା ପୁଲିସକୁ ଡ୍ରୋନ୍‌ ଆକ୍ରମଣ ଚିନ୍ତା: ବିନା ପଞ୍ଜୀକରଣରେ ଉଡ଼ି ପାରିବନି

ଭୁବନେଶ୍ୱର : ଏଣିକି ରାଜ୍ୟରେ ଆଉ କେହି ବିନା ପଞ୍ଜୀକରଣରେ ଡ୍ରୋନ୍‌ ଉଡ଼ାଇ ପାରିବେ ନାହିଁ। ଏଥିପାଇଁ ରାଜ୍ୟ ପୁଲିସର ଅନୁମତି ନେବାକୁ ପଡ଼ିବ। ଜିଲ୍ଲା ଏସ୍‌ପି ଓ କମିସନରେଟ୍‌ ପୁଲିସର ଡିସିପି ଏହି ଅନୁମତି ପ୍ରଦାନ କରିବେ। ଯଦି କେହି ଏହାକୁ ଅମାନ୍ୟ କରି ଡ୍ରୋନ ଉଡ଼ାଏ, ତାକୁ ତୁରନ୍ତ ଠାବ କରାଯାଇ ଜବତ କରାଯିବ। ଆବଶ୍ୟକ ହେଲେ ଡ୍ରୋନ୍‌ ଉଡ଼ାଉଥିବା ବ୍ୟକ୍ତି ବା ସଂସ୍ଥା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡିସେମ୍ବର ୧ ତାରିଖରୁ ଏଭଳି ନିୟମ ରାଜ୍ୟରେ ଲାଗୁ ହେବାକୁ ଯାଉଛି। ଆଜି ଏ ନେଇ ଭୁବନେଶ୍ୱରଠାରେ ଥିବା ପୁଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଏକ ଗୁରୁତ୍ୱପୂର୍ଣ ବୈଠକ ବସିଥିଲା। ଯେଉଁଥିରେ ପୁଲିସ ଡିଜି ରାଜେନ୍ଦ୍ର ଶର୍ମା, ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରକାଶଥାଉକି ବିଭିନ୍ନ ସମୟରେ ରାଜ୍ୟର ନିଷେଦ୍ଧାଞ୍ଚଳ ବୋଲି କୁହାଯାଉଥିବା ମନ୍ଦିର, ବିମାନବନ୍ଦର, ଅଭୟ୍ୟାରଣ୍ୟ, ପ୍ରତିରକ୍ଷାସ୍ଥଳ, ହ୍ରଦ, ଭିଭିଆଇପିଙ୍କ ଘର, ମାଓ ଅଧ୍ୟୁଷିତ ଅଞ୍ଚଳ ଉପରେ ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ସୁଟିଂ କରାଯାଉଛି। ଏହି ଡ୍ରୋନ୍‌ ସବୁ କିଏ ଉଡ଼ାଉଛି, କାହିଁକି ଉଡ଼ାଉଛି ତାର କୌଣସି ସୂଚନା ପୁଲିସ କିମ୍ବା ପ୍ରଶାସନ ପାଖରେ ରହୁନାହିଁ। ଏହାର ଫାଇଦା ଦେଶର କେତେକ ଆତଙ୍କବାଦୀ ସଂଗଠନ ଓ ମାଓ ସଂଗଠନ ନେଉଥିବା କେନ୍ଦ୍ର ଗୁଇନ୍ଦା ବିଭାଗ ଓଡ଼ିଶା ପୁଲିସକୁ ସୂଚନା ଦେଇଛି। ଏହି ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ବିସ୍ଫୋରଣ ଘଟାଇବାର ଆଶଙ୍କା ମଧ୍ୟ ରହିଛି। ଭେନ୍‌ଜୁଏଲା ରାଷ୍ଟ୍ରପତି ନିକୋଲାସ ମୁଦୁରୋଙ୍କୁ ଗତ ଅଗଷ୍ଟ ମାସରେ ଡ୍ରୋନ କ୍ୟାମେରା ମାଧ୍ୟମରେ ଆକ୍ରମଣ କରାଯିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଗାଇଡ ଲାଇନ୍‌ ପାଳନ କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏନେଇ ଏକ ନିୟମ ପ୍ରଣୟନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ଚିଠି ଆସିଛି।

ଆଜି ଜର୍ମାନର ଏକ ସଂସ୍ଥା ସହିତ ଓଡ଼ିଶା ପୁଲିସ ଆଲୋଚନା କରିଛି। ଯେଉଁ ସଂସ୍ଥା ବିନା ପଞ୍ଜୀକରଣରେ ଡ୍ରୋନ୍‌ ଉଡ଼ାଉଥିବ ତାର ସୂଚନା ରାଜ୍ୟ ପୁଲିସକୁ ଦେବ। ଏପରିକି ସେଥିରେ କୌଣସି ବିସ୍ଫୋରକ ଥିଲେ ସତର୍କ କରିବା ସହିତ ଯିଏ ଡ୍ରୋନ ଛାଡ଼ିଥିବ ତାଙ୍କ ପାଖକୁ ଫେରାଇ ଦେବ।

ଆଜି ଏହି ବୈଠକରେ ବରିଷ୍ଠ ପୁଲିସ ଅଧିକାରୀ ମନୋଜ ଛାବ୍ରା, ଆର୍‌ପି କୋଚେ, ଅମିତାଭ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର