ରମେଶଙ୍କୁ ଝୁରୁଛନ୍ତି ସହରବାସୀ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ସଂଗଠନର ଶୋକ

ରାଉରକେଲା: ପୂର୍ବତନ ପୌରାଧ୍ୟକ୍ଷ, ପୂର୍ବତନ ଓକିଲ ସଂଘ ସଭାପତି ତଥା ବିଶିଷ୍ଟ ସମାଜସେବୀ ରମେଶ ବଳଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଇସ୍ପାତ ସହର। କେବଳ ସହରବାସୀ ନୁହନ୍ତି, ବରଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶୋକର ସୁଅ ଛୁଟୁଛି। ରମେଶଙ୍କ ବିୟୋଗକୁ ଲୋକେ ସହଜରେ ଗ୍ରହଣ ପାରୁନାହାନ୍ତି। ସହରରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଭଳି ଜଣେ ଅମାୟିକ, ପରୋପକାରୀ, ମିଷ୍ଟଭାଷୀ, ସହୃଦୟ ବ୍ୟକ୍ତିତ୍ବର ଅଧିକାରୀଙ୍କୁ ଝୁରୁଛନ୍ତି ସହରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ।

ଦିଲୀପ ରାୟ: ଶ୍ରୀ ରାୟ ଏକ ଶୋକବାର୍ତ୍ତାରେ କହିଛନ୍ତି, ସେ ମୋ’ ଛୋଟ ଭାଇ ଭଳି ଥିଲେ। ରମେଶଙ୍କ ଅକାଳ ବିୟୋଗ ଖୁବ୍‌ ମର୍ମାହତ କରିଛି। ଅସୁବିଧା ସମୟରେ ସେ ସବୁବେଳେ ସମସ୍ତଙ୍କ ପାଖରେ ପହଞ୍ଚିଯାଉଥିଲେ। ସର୍ବଦା ହସହସ ମୁହଁ ରଖୁଥିବା ରମେଶ ସବୁ ସୁଃଖଦୁଃଖ ସବୁ ସମୟରେ ମୋ’ ପାଖରେ ରହୁଥିଲେ। ତାଙ୍କ ସହିତ ଦୀର୍ଘଦିନର ପରିଚୟ ଥିବାବେଳେ ସେ ଖୁବ୍‌ ଅନ୍ତରଙ୍ଗ ଥିଲେ। ସମସ୍ତଙ୍କ ପ୍ରତି ତାଙ୍କର ସ୍ନେହ, ଶ୍ରଦ୍ଧା, ପ୍ରେମ ରହିଥିଲା; ଯଦ୍ବାରା ବୈଚାରିକ, ରାଜନୈତିକ ବିରୋଧୀମାନେ ତାଙ୍କୁ ପ୍ରଶଂସା କରୁଥିଲେ। ଦୁଇଦିନ ପୂର୍ବେ ମୋତେ ଫୋନ୍‌ କରି ଭେଟିବାକୁ କହିଥିଲେ। ମୁଁ ଭୁବନେଶ୍ବର ଆସି ଭେଟ କରିବାକୁ କହିଥିଲେ। ବୋଧହୁଏ ବିଧିର ନିର୍ଦ୍ଦେଶ କିଛି ଅଲଗା ଥିଲା। ତାଙ୍କ ବିୟୋଗ ରାଉରକେଲା, ବିଶେଷକରି ଆଇନଜୀବୀ ସମୁଦାୟଙ୍କ ପାଇଁ ବିରାଟ କ୍ଷତି ଆଣିଦେଇଛି।

ରୋହିତ ପୂଜାରୀ: ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ମଧ୍ୟ ଶ୍ରୀ ବଳଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। କହିଛନ୍ତି, ମୋ’ ରାଜନୈତିକ ଜୀବନ ଆରମ୍ଭ ହେଉଥିବାବେଳେ ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ସ୍ବର୍ଗତ ରମେଶ ବଳଙ୍କ ସହ ମୋ’ ନିବିଡ଼ ସମ୍ପର୍କ ସ୍ଥାପନ ହୋଇଥିଲା। ତାଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ମ୍ରିୟମାଣ। ତାଙ୍କର ବିୟୋଗ ରାଉରକେଲାବାସୀ ତଥା ସମସ୍ତ ବୁଦ୍ଧିଜୀବୀମାନଙ୍କ ପାଇଁ ଅପୂରଣୀୟ କ୍ଷତି। ତାଙ୍କର ଆତ୍ମାର ସଦ୍‌ଗତି କାମନା କରିବାସହ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି।

ରାଉରକେଲା ଓକିଲ ସଂଘ : ରାଉରକେଲା ଓକିଲ ସଂଘର ପୂର୍ବତନ ସଭାପତି ତଥା ପୂର୍ବତନ ନଗରପାଳ ରମେଶ ବଳଙ୍କ ଓକିଲ ସଂଘ ପକ୍ଷରୁ ଶୋକ ପ୍ରକଟ କରାଯାଇଛି। ତାଙ୍କୁ କୋର୍ଟ ପରିସରରେ ଶତାଧିକ ଆଇନଜୀବୀ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ସଭ୍ୟସଭ୍ୟାମାନେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତ ବଳ ୧୯୮୩ରୁ ରାଉରକେଲା ଓକିଲ ସଂଘର ଜଣେ ନିୟମିତ ସଦସ୍ୟଭାବେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। କୋର୍ଟ ପରିସରରେ ସଂଘର ସଭାପତି ସୁରେଶ ମାଝି, ସମ୍ପାଦକ ଅକ୍ଷୟ ସାହୁଙ୍କ ସମେତ ବହୁ ବରିଷ୍ଠ ଓ କନିଷ୍ଠ ଆଇନଜୀବୀ ସ୍ବର୍ଗତ ବଳଙ୍କ ମରଶରୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ବିଜେପି: ପୂର୍ବତନ ନଗରପାଳ ରମେଶ ବଳଙ୍କ ବିୟୋଗରେ ଜିଲ୍ଲା ବିଜେପି ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଗଭୀର ଶୋକ ପ୍ରକାଶ କରିବା ସହ ରାଉରକେଲା ଜଣେ ସଂଗ୍ରାମୀ ସମାଜସେବୀଙ୍କୁ ହରାଇଲା ବୋଲି କହିଛନ୍ତି। ଜିଲ୍ଲା ବିଜେପି ତରଫରୁ ସଭାନେତ୍ରୀ ଲତିକା ପଟ୍ଟନାୟକ, ବିଧାୟକ ଶଙ୍କର ଓରାମ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ଜଗବନ୍ଧୁ ବେହେରା, ପୂର୍ଣ୍ଣିମା କେର୍କେଟା, କଳ୍ପନା ଲେଙ୍କା, ପ୍ରମିଳା ଦାସ, ମୁଖପାତ୍ର ଭଗବାନ ରାଉତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ରଘୁନାଥପାଲୀ ବିଜେଡି: ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ବିୟୋଗରେ ରଘୁନାଥପାଲୀ ବିଜେଡି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତନ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସ୍ବର୍ଗତ ବଳ କେବଳ ଜଣେ ଆଇନଜୀବୀ ନଥିଲେ ବରଂ ଜଣେ ଦକ୍ଷ ସଙ୍ଗଠକ, ​ଟ୍ରେଡ ୟୁନିୟନ ନେତା, ସମାଜସେବୀ ଭାବେ ନିଜର ଗୁରୁ ଦାୟିତ୍ବ ତୁଲାଉଥିଲେ। ତାଙ୍କ ବିୟୋଗରେ ରାଜନୀତି, ଆଇନସେବା କ୍ଷେତ୍ରରେ ଯେଉଁ କ୍ଷତି ହେଲା ତାହା ଅପୂରଣୀୟ ବୋଲି ବିଧାୟକ ଶ୍ରୀ ତରାଇ କହିଛନ୍ତି। ବିଜେଡି ରାଜ୍ୟ ପରିଷଦ ସଦସ୍ୟ ସୁଧୀର ସୁନ୍ଦରରାୟ, ନଗରସଭାପତି ଆର୍ତ୍ତତ୍ରାଣ ମହାରଣା, ପୂର୍ବତନ ଜିଲ୍ଲା ସଭାପତି ଆନନ୍ଦ ମହାନ୍ତି, ମହିଳା ବିଜେଡି ସଭାନେତ୍ରୀ ଇନ୍ଦିରା ନାୟକ, ଯୁବ ସଭାପତି ପ୍ରଭାକର ଚୌଧୁରୀ, ଛାତ୍ର ସଭାପତି ରାକେଶ ସ୍ବାଇଁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ଆର୍‌ଏସ୍‌ଏସ୍‌: ଏକ ଶୋକ ବାର୍ତ୍ତାରେ ରାଉରକେଲା ଶ୍ରମିକ ସଂଘ(ଆର୍‌ଏସ୍‌ଏସ୍‌) ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ଆଜି ଆର୍‌ଏସ୍‌ଏସ୍‌ର କାର୍ଯ୍ୟକାରୀ ପରିଷଦ ବୈଠକରେ ଶ୍ରୀ ବଳଙ୍କ ଆତ୍ମାର ସଦ୍‌ଗତି କାମନା କରି ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସଂଗଠନର ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା ବକ୍ତବ୍ୟରେ ଶ୍ରୀ ବଳଙ୍କୁ ଜଣେ ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତିଭାବେ ଅବିହିତ କରିଥିଲେ। ରାଉରକେଲା ଶ୍ରମିକ ସଂଘ ପାଇଁ ତାଙ୍କର ଭଲପାଇବା ଅନନ୍ୟ ଥିଲା। ତାଙ୍କ ବିୟୋଗରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଯାଇଛିବୋଲି କହିଥିଲେ।

ସମ୍ବନ୍ଧିତ ଖବର