ଆବାସ ଯୋଜନାରେ ମିଳୁନି ଘର, ଛିଣ୍ଡା ପାଲ ତଳେ ବିତୁଛି ଜୀବନ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ କୁଲାଡେରା ଗ୍ରାମ କେନ୍ଦୁଆଦରି ସାହିର ସୁଦର୍ଶନ ମୁଣ୍ଡା(୪୨)ଙ୍କ ପରିବାର ଛିଣ୍ଡା ପାଲ ତଳେ ଜୀବନ କାଟୁଛନ୍ତି। ଖରାବର୍ଷା ଶୀତ କାକରରେ ପରିବାରର ୪ଜଣ ଜୀବନ ଛିଣ୍ଡା ପାଲ ତଳେ ଜୀବନ ବିତାଉଛନ୍ତି। ବିଶେଷ ଭାବେ ବର୍ଷା ଦିନେ ଦୟନୀୟ ଅବସ୍ଥାରେ ବିପଦସଙ୍କୁଳ ଘରେ ରହୁଛନ୍ତି। ଅନେକ ଥିଲାବାଲା ଆବାସ ଯୋଜନାରେ ଘର ପାଉଥିବା ବେଳେ ସୁଦର୍ଶନଙ୍କ ଭାଗ୍ୟରେ ତାହା ନାହିଁ।

ଦିନ ମଜୁରିଆ ଭାବେ କାମ କଲେ ପରିବାର ସଦସ୍ୟଙ୍କ ପେଟକୁ ଦାନା ଯାଏ। ରାସନ କାର୍ଡ ବ୍ୟତୀତ ଅନ୍ୟାନ୍ୟ ଯୋଜନାରୁ ବଞ୍ଚିତ। ସରକାରୀ ଘର ତାଲିକାରେ ମଧ୍ୟ ସୁଦର୍ଶନଙ୍କ ନାମ ନାହିଁ। ଏପାଖେ ସରକାର ଗରିବ ଅସହାୟ ଲୋକଙ୍କ ମୁଣ୍ଡ ଉପରେ ଛାତ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସରକାରଙ୍କ ଏହି ଜନମଙ୍ଗଳକାରୀ ଯୋଜନାକୁ ସରକାରୀ ଅଧିକାରୀମାନେ ସଠିକ୍ ଭାବେ ପରିଚାଳନା କରୁ ନଥିବାରୁ ସୁଦର୍ଶନଙ୍କ ପରି ଅନେକ ଅସହାୟ ପରିବାର ଏଥିରୁ ବଞ୍ଚିତ ହୋଇଆସୁଛନ୍ତି।

ସୁଦର୍ଶନ ଆଦିବାସୀ ଗରିବ ମୁଣ୍ଡା ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ପକ୍କା ଘର ଯୋଗାଇ ଦିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସରପଞ୍ଚ ବନବିହାରୀ ନାଏକଙ୍କୁ ପଚାରିବାରୁ ସେ କହିଥିଲେ ଯେ ତାଙ୍କ ନାମ ତାଲିକାରେ ନାହିଁ। ପୁନଃ ନାମ ପଞ୍ଜୀକରଣ କରାଯାଇ ତାଙ୍କୁ ଘର ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର