୪ ବର୍ଷ ହେଲା ୟୁରୋପ ଯାଇନି: ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ଅଭିଯୋଗ ପରେ ଶ୍ରୀମନ୍ଦିର ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଜର ସ୍ପଷ୍ଟୀକରଣ ରଖିଛନ୍ତି। ଆଲୋଚ୍ୟ  ବିଦେଶ ଗସ୍ତ ଅଭିଯୋଗ ପ୍ରସଙ୍ଗରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ମୁଁ ୪ ବର୍ଷ ହେଲା ୟୁରୋପ ଯାଇନି।

ସେହିଭଳି ବିରୋଧୀଙ୍କ ଅଭିଯୋଗ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ୍ ବିଜୟ ସାହୁ କହିଛନ୍ତି, ସେ ୨୦୧୯ରେ ୟୁରୋପ ଯାଇ ନଥିଲେ। ବିରୋଧୀଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ। ଜଗନ୍ନାଥଙ୍କ ଉପରେ ମୋର ଭରସା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି।

ସେହିଭଳି ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ କୌଣସି ବିଦେଶ ଗସ୍ତ କରିନାହିଁ। ପ୍ରଶାସନ ଟଙ୍କା ଜମା କରିବା ବେଳେ ଆମକୁ ଅନ୍ଧାରରେ ରଖିଥିଲା। ପରବର୍ତ୍ତୀ ସମୟରେ ଟଙ୍କା ଜମାକୁ ନେଇ ଆମେ ବିରୋଧ କରିଥିଲୁ।

bloomberg.com

ସୂଚନାଯୋଗ୍ୟ, ଆଜି ବିଧାନସଭାରେ ଶ୍ରୀମନ୍ଦିର ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା ରିଖିବା ନେଇ ଆଲୋଚନା ବେଳେ ବିଜେପି ସଦସ୍ୟମାନେ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁଙ୍କୁ ଟାର୍ଗେଟ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଅଭିଯୋଗ କରିଥିଲେ, ଜଗନ୍ନାଥଙ୍କୁ କାଙ୍ଗାଳ କରିବା ପ୍ରୟାସରେ ଲାଗିଛନ୍ତି ସରକାର। ଭକ୍ତଙ୍କ ଆବେଗ ସହ ଖେଳାଯାଉଛି। ଜଗନ୍ନାଥଙ୍କ ସମ୍ପତ୍ତି ଲୁଟିବାକୁ ଉଦ୍ୟମ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କିଏ ୟେସ ବ୍ୟାଙ୍କରେ ଟଙ୍କା ରଖିଲା ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ମୋହନ ମାଝି ଦାବି କରିଥିଲେ। ସରକାରଙ୍କ ପ୍ରଶାସନିକ ଅଧିକାରୀମାନେ ମହାପ୍ରଭୁଙ୍କ ଟଙ୍କା ଚଳୁ କରିଛନ୍ତି। ଏପରିକି ବିଜୟ ସାହୁଙ୍କୁ ବି ଟାର୍ଗେଟ କରିଥିଲେ ମୋହନ ମାଝି। ଏହି ଟଙ୍କାର ପ୍ରଦୀପ୍ତ ମହାପାତ୍ର ଓ ବିଜୟ ସାହୁ ୟୁରୋପ ଗସ୍ତ କରିଥିଲେ କି ସରକାରଙ୍କ ଜବାବ ଦିଅନ୍ତୁ ବୋଲି ଆଲୋଚନା ବେଳେ ଦାବି କରିଥିଲେ ମୋହନ। ଘଟଣାର ସିବିଆଇ ତଦନ୍ତ ପାଇଁ ବି ସେ ଦାବି କରିଥିଲେ।

ସମ୍ବନ୍ଧିତ ଖବର