ଭୁବନେଶ୍ୱର: ‘ସମ୍ବାଦ’ରେ ଇଓଡବ୍ଲ୍ୟୁ ଚଢାଉକୁ ନେଇ ରାଜ୍ୟ ସରକାର ଆଉ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସିଧା ସିଧା ସରକାରକୁ ଟାର୍ଗେଟ କରିବା ସହିତ, ରାଜ୍ୟ ସରକାର ଭୟଭୀତ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । ‘ସମ୍ବାଦ’ ଉପରେ ଇଓଡବ୍ଲ୍ୟୁର ଚଢାଉକୁ ନିନ୍ଦନୀୟ ବୋଲି କହିବା ସହିତ ଆକ୍ରୋଶମୂଳକ ଭାବରେ ଏପରି କରାଯାଉଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କର ମତ ଦେବାର ଅଧିକାର ଅଛି, ସ୍ୱାଧୀନ ଭାବେ ମତ ରଖିବାର ସ୍ୱାଧୀନତା ବି ଅଛି । ହେଲେ ରାଜ୍ୟ ସରକାର ସତ୍ୟକୁ ଚପେଇ ଦେବାକୁ ଉଦ୍ୟମ କରୁଛନ୍ତି । ତେଣୁ ଏ ସବୁ କିଛି ଅସନ୍ତୋଷର ବିସ୍ଫୋରଣ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେହିପରି ‘ସମ୍ବାଦ’ ଉପରେ ଇଓଡବ୍ଲ୍ୟୁ ଜେରାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ।
ସିଧା ସିଧା ରାଜ୍ୟ ସରକାର ଏବଂ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ସହିତ ରାଜ୍ୟରେ ଏବେ ପ୍ରତିଶୋଧ ପରାୟଣ ରାଜନୀତି ଆରମ୍ଭ ହୋଇଛି ବୋଲି ମୋକିମ୍ କହିଛନ୍ତି । ତାଙ୍କ କହିବା ଅନୁସାରେ, ଓଡ଼ିଶା ହେଉଛି ଶାନ୍ତିପ୍ରିୟ ରାଜ୍ୟ । ଏଠି ଏପରି ଶାସନ ଆରମ୍ଭ ହେବା କଳ୍ପନା ବାହାରେ ଥିଲା । ରାଜ୍ୟରେ ଏବେ ମୁଖ୍ୟମନ୍ତ୍ରୀ କିଛି ବୁଝିପାରୁନାହାନ୍ତି । କିଛି କର୍ମଚାରୀ ଓଡ଼ିଶା ଶାସନ ଚଳାଉଛନ୍ତି । ବର୍ତ୍ତମାନର ସରକାର ବିରୋଧରେ କେହି ମୁହଁ ଖୋଲିପାରୁନାହାନ୍ତି । ସମସ୍ତ ବିଧାୟକ ଓ ମନ୍ତ୍ରୀ ଦିବ୍ୟାଙ୍ଗ ହେଇ ବସିଛନ୍ତି ବୋଲି କହିଛନ୍ତି ମୋକିମ୍ । ଅନ୍ୟପଟେ ଯିଏ ଏ ବିରୋଧରେ ମୁହଁ ଖୋଲୁଛନ୍ତି ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ପଦକ୍ଷେପ ନିଆଯାଉଛି, ଯାହାର ସଦ୍ୟ ଉଦାହରଣ ହେଉଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ବର୍ତ୍ତମାନ ଏପରି ଅନ୍ଧାରୀ ଶାସନ ଓଡ଼ିଶା ପାଇଁ ଭଲ ନୁହେଁ । ମୁଖ୍ୟମନ୍ତ୍ରୀ ସଚିବଙ୍କୁ ବଦଳରେ ନିଜ କ୍ୟାବିନେଟର ସିନିୟର ନେତାଙ୍କୁ ନେଇ କାର୍ଯ୍ୟକ୍ରମ କଲେ ଭଲ ହୁଅନ୍ତା ବୋଲି ମୋକିମ୍ କହିଛନ୍ତି ।