ବାଲେଶ୍ବର: ବାଲେଶ୍ବର ଜିଲ୍ଲା ରେମୁଣା ଅଞ୍ଚଳର ପବିତ୍ର ସପ୍ତଶରା ନଦୀ ଏବେ ଧାନଜମିରେ ପରିଣତ ହୋଇଗଲାଣି। ଏହି ନଦୀ ଚାଷଜମିକୁ ଜଳସେଚିତ କରିବା ବଦଳରେ ଖୋଦ୍‌ ଜମି ପାଲଟି ଯାଇଛି। ପୌରାଣିକ କଥାବସ୍ତୁ ସହିତ ଜଡ଼ିତ ଥିବା ଏହି ନଦୀକୁ ଭାରତବର୍ଷର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ନିରାଶ ହୋଇ ଫେରୁଥିବା ଦେଖାଯାଇଛି। ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିରଠାରୁ ମାତ୍ର କେଇ ହାତ ଦୂରରେ ଅବସ୍ଥିତ ଏହି ନଦୀରେ ଭକ୍ତ ବୁଡ଼ ପକାଇବା ବଦଳରେ ଦେହରେ କାଦୁଅ ବୋଳି ହୋଇ ଫେରିଯିବାକୁ ବାଧ୍ୟ ହେଉଛନ୍ତି।

Advertisment

ନଈ ପାଲଟିଛି ଜମି, ବୁଡ଼ ପକାଇବା ବଦଳରେ କାଦୁଅ ‌ବୋଳି ହୋଇ ଫେରୁଛନ୍ତି ଭକ୍ତ

ରେମୁଣା ଭାରତର ଗୁପ୍ତ ବୃନ୍ଦାବନ ପୀଠ ଭାବେ ପରିଚିତ। ସପ୍ତଶରା ନଦୀ କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟ ଗାର୍ଗେଶ୍ବର ମନ୍ଦିର ନିକଟରୁ ବାହାରି ପ୍ରାୟ ୫ କିମି ଦୂରରେ ସୋନ, ଗଙ୍ଗାହାର, ବୁଢ଼ାବଳଙ୍ଗ ନଦୀର ସଙ୍ଗମସ୍ଥଳରେ ମିଶିଛି। ସମୟକ୍ରମେ ଏହା ପୋତି ହୋଇଯିବା ସହିତ ସ୍ଥାନୀୟ ପ୍ରଭାବଶାଳୀ ଲୋକ ଜବରଦଖଲ କରି ନେଇଛନ୍ତି। ନଦୀ କେଉଁଠି ଧାନ ଜମିରେ ପରିଣତ ହୋଇଛି ତ କେଉଁଠି ଖେଳପଡ଼ିଆ ସଦୃଶ ହୋଇଛି। ଅତୀତରେ ଏହି ନଦୀ ଜଳସେଚନ ସମେତ ବ୍ରିଟିସ୍‌ ଅମଳରେ ପରିବହନର ମାଧ୍ୟମ ସାଜିଥିଲା। ବର୍ତ୍ତମାନ ଏହି ନଦୀର ଆଉ ଚିହ୍ନବର୍ଣ୍ଣ ନଥିବା ବେଳେ କେବଳ ଅଠାନ୍ତର ଗ୍ରାମ ପୋଲ ନିକଟରେ ଏହା ପୋଖରୀ ଭଳି ଦୃଶ୍ୟମାନ ହେଉଛି। ପୌରାଣିକ କିମ୍ବଦନ୍ତୀ ତଥା ଲୋକଶ୍ରୁତି ଅନୁଯାୟୀ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ମାତା ସୀତାଙ୍କୁ ଧରି ଏହି ରେମୁଣା ପଞ୍ଚତୀର୍ଥ ସ୍ଥାନକୁ ବୁଲିବା ପାଇଁ ଆସିଥିବା ବେଳେ ମାତା ସୀତା ଋତୁସ୍ରାବରେ ଅଶୌଚ ହୋଇଥିଲେ। ପ୍ରଭୁ ରାମଚନ୍ଦ୍ର ସୀତାଦେବୀଙ୍କ ମହାସ୍ନାନ ପାଇଁ ୭ଟି ଶର ନିକ୍ଷେପ କରି ସପ୍ତଶରା ନଦୀର ଆବିଷ୍କାର କରିଥିଲେ। ଫଳରେ ଏହି ନଦୀରେ ବୁଡ଼ ପକାଇଲେ ପାପ କ୍ଷୟ ହୋଇଥାଏ ବୋଲି ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବିଶ୍ବାସ ରହିଛି।  

ପବିତ୍ର ସପ୍ତଶରା ନଦୀର ପୁନରୁଦ୍ଧାର ପାଇଁ ରେମୁଣା କ୍ଷୀରଚୋରା ଧାମର ଅଧିବାସୀ, ବୈଷ୍ଣବ ସମ୍ପ୍ରଦାୟ, ପର୍ଯ୍ୟଟକ, ଶ୍ରଦ୍ଧାଳୁମାନଙ୍କ ପକ୍ଷରୁ ପ୍ରବଳ ଦାବି ହେଉଛି। ତେବେ ସପ୍ତଶରା ପୁନରୁଦ୍ଧାର ନେତାଙ୍କ ନିର୍ବାଚନୀ ପ୍ରତିଶ୍ରୁତିରେ ଅଟକି ରହିଛି। ପ୍ରାୟ ୩ ବର୍ଷ ତଳେ ସପ୍ତଶରାର ପୁନରୁଦ୍ଧାର ପାଇଁ ସର୍ଭେ କରାଯାଇଥିଲା। ହେଲେ, ଏବେ ସେସବୁ ଶୀତଳଭଣ୍ଡାରରେ ପଡ଼ିଛି। ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ପରିଡ଼ାଙ୍କ ସୂଚନା ମୁତାବକ,  ସପ୍ତଶରାର ପୁନରୁଦ୍ଧାର ପାଇଁ ସର୍ଭେ କରାଯାଇ ୧୮ କୋଟି ଟଙ୍କା ବ୍ୟୟରେ ଏହାର ପୁନରୁଦ୍ଧାର ଆକଳନ କରାଯାଇଥିଲା। ଏବେକାର ସରକାର ସେଥିନେଇ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।