ସତ୍ୟବ୍ରତ ପ୍ରଧାନ
ଜଳେଶ୍ୱର: ସମୁଦ୍ର ପତନଠାରୁ ୬୧୦ ମିଟର ଉଚ୍ଚତାରେ ଥିବା ଝାଡ଼ଖଣ୍ଡର ଛୋଟନାଗପୁର ମାଳଭୂମିରୁ ବାହାରିଛି ସୁବର୍ଣ୍ଣରେଖା ନଦୀ। ଝାଡ଼ଖଣ୍ଡର ରାଞ୍ଚି, ସିଂହଭୂମ, ପଶ୍ଚିମବଙ୍ଗର ମେଦିନାପୁର, ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଦେଇ ୩୩୫ କିଲୋମିଟର ଅଞ୍ଚଳରେ ପ୍ରବାହିତ ହୋଇ ଭୋଗରାଇର କୀର୍ତ୍ତନିଆ ମୁହାଣରେ ବଙ୍ଗୋପସାଗରରେ ମିଶିଛି। ତେବେ ଉତ୍ତର ବାଲେଶ୍ବରର ଜୀବନଧାରା କୁହାଯାଉଥିବା ସୁବର୍ଣ୍ଣରେଖା ନଦୀ ଏବେ ଅକାଳ ମୃତ୍ୟୁଆଡ଼କୁ ଅଗ୍ରସର ହେଉଛି। ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ଅଞ୍ଚଳବାସୀଙ୍କ ପାଇଁ ବରଦାନ ସାଜିଥିଲା ଏହି ନଦୀ। ଏହାର ପାଣିକୁ ଲୋକେ ଦୈନନ୍ଦିନ ଜୀବନଚର୍ଯ୍ୟାରେ ବ୍ୟବହାର କରୁଥିଲେ। ନଦୀତଟରେ ହଜାର ହଜାର ହେକ୍ଟର ଚାଷଜମି ଜଳସେଚିତ ହେଉଥିଲା। ନଦୀରୁ ମାଛ ମାରି ଶହଶହ ପରିବାର ଜୀବିକା ନିର୍ବାହ କରୁଥିଲେ। ବିଶେଷ କରି ବର୍ଷରେ ଥରେ ସୁବର୍ଣ୍ଣରେଖାର ବନ୍ୟାପାଣି ଯେଉଁ ସବୁ ଅଞ୍ଚଳରେ ମାଡ଼ୁଥିଲା ସେସବୁ ଅଞ୍ଚଳରେ ଉର୍ବର ପଟୁମାଟି ପଡ଼ି ପରବର୍ତ୍ତୀ ସମୟରେ ଚାଷଜମି ଶସ୍ୟଶ୍ୟାମଳା ହେଉଥିଲା। ସେହିପରି ନୌପରିବହନ କ୍ଷେତ୍ରରେ ମଧ୍ୟ ସୁବର୍ଣ୍ଣରେଖା ନଦୀର ସ୍ବତନ୍ତ୍ର ପରିଚୟ ଥିଲା।
ବାଲି ମାଫିଆଙ୍କ କବ୍ଜାରେ ନଦୀଶଯ୍ୟା
ବିଷାକ୍ତ ପାଣି ଛାଡ଼ୁଛନ୍ତି ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ
ବଦଳି ଗଲାଣି ନଦୀର ଭୌଗୋଳିକ ଚିତ୍ର
କୂଳ ଖାଉଛି, ଚାଷଜମି, ଝାଉଁଜଙ୍ଗଲ ଗିଳୁଛି
ଠପ୍ ହୋଇଗଲାଣି ନୌପରିବହନ
ନଦୀକୂଳିଆ ଗାଁରେ ଜଳସ୍ତର ନିମ୍ନଗାମୀ
ତେବେ ଏସବୁ ପରିଚୟ ଏବେ ହଜିଯିବାକୁ ବସିଛି। ବିଭିନ୍ନ କାରଣରୁ କମିଚାଲିଛି ସୁବର୍ଣ୍ଣରେଖାର ଆୟୁଷ। ଗତ ୧୫ ବର୍ଷ ହେଲା ଏଠାରେ ବାଲି ଚୋରି ସୀମା ଟପିଗଲାଣି। ୪ଟି ବ୍ଲକ୍ର ୫୦ରୁ ଊର୍ଦ୍ଧ୍ବ ସ୍ଥାନରେ ବେଆଇନ ବାଲି ଉତ୍ତୋଳନ ହେଉଛି। ସେଥିରୁ ସିଂହଭାଗ ବାଲି ପଶ୍ଚିମବଙ୍ଗକୁ ଚାଲାଣ ହେଉଛି। ବାଲି ଉତ୍ତୋଳନ ପାଇଁ ନଦୀଗର୍ଭରେ ବନ୍ଧ ପକାଯାଇ ଜଳଧାରକୁ ରୋକି ଦିଆଯାଇଛି। ଜେସିବି, ସ୍ବାମ୍ପ ପମ୍ପ, ଡଙ୍ଗା ଦ୍ବାରା ଦୈନିକ ୧୫୦ ଟ୍ରିପ୍ରୁ ଅଧିକ ବାଲି ଚୋରି ହେଉଛି। ଫଳରେ ବର୍ଷାଦିନେ ଏହି ନଦୀ ଗତିପଥ ବଦଳାଇ ପ୍ରଳୟ ରଚୁଛି। ଏଥିପାଇଁ ନଦୀତଟ ସୁରକ୍ଷା କରୁଥିବା ଶହଶହ ହେକ୍ଟର ଝାଉଁ ଜଙ୍ଗଲ ସଫା ହୋଇଗଲାଣି। ଏବେ ବର୍ଷାଦିନେ ନଦୀରେ ୪-୫ ଥର ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି କରୁଛି ଓ ଚାଷଜମି ନଦୀ ଆଁରେ ପଶୁଛି। ସେହିପରି ଡିସେମ୍ବରରୁ ଜୁନ୍ ଯାଏଁ ନଦୀଶଯ୍ୟା ଶୁଖିଯାଉଛି। ଫଳରେ ନଦୀତଟ ଗ୍ରାମାଞ୍ଚଳରେ ଭୂତଳ ଜଳ ନିମ୍ନଗାମୀ ହେବାରେ ଲାଗିଛି।
ଏ ସମ୍ପର୍କରେ ପରିବେଶବିତ୍ ଡ. ଶ୍ରୀକାନ୍ତ ଚରଣ ପାତ୍ର କହନ୍ତି ସୁବର୍ଣ୍ଣରେଖା ନଦୀର ସୁରକ୍ଷା ବିପନ୍ନ ହୋଇପଡ଼ିଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବିଭିନ୍ନ କଳ କାରଖାନାର ପ୍ରଦୂଷିତ ପାଣି ସିଧାସଳଖ ନଦୀରେ ମିଶୁଛି। ଏହା ଜଳଚର ଜୀବଙ୍କ ସତ୍ତା ଲୋପ କରିବାକୁ ବସିଛି। ସେହିପରି ବାଲି ଚୋରଙ୍କ ପାଇଁ ନଦୀର ଭୌଗୋଳିକ ରୂପରେଖ ବି ବଦଳିଗଲାଣି। ତେଣୁ ବେଳ ଥାଉଥାଉ ଏଥିରେ ରୋକ୍ ନ ଲାଗିଲେ ସୁବର୍ଣ୍ଣରେଖାର ଅକାଳ ମୃତ୍ୟୁ ଘଟିବ ବୋଲି ଶ୍ରୀ ପାତ୍ର ଚେତାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/03/adgdgagdacv-2025-11-03-02-14-05.jpg)