ରା.ଉଦୟଗିରି: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‌ ପୁଟୁରୁପଡ଼ା ପଞ୍ଚାୟତର ବୁରୁସିଂ ଗ୍ରାମରେ ଦେଖିବାକୁ ମିଳିଛି ଅଞ୍ଚଳବାସୀଙ୍କ ଏକ ଉଲ୍ଲେଖନୀୟ କାର୍ଯ୍ୟ। ବର୍ଷ ବର୍ଷ ବିତିଗଲା, ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିମାନ‌େ ଗୁହାରି ନ ଶୁଣିବାରୁ ଶେଷରେ ସରପଞ୍ଚ ଚୈତନ୍ୟ ଭୂୟାଁଙ୍କ ନେତୃତ୍ବରେ ପାଞ୍ଚଖଣ୍ଡ ଗ୍ରାମବାସୀ ନିଜସ୍ବ ସହଯୋଗରେ ଏକ କୋଠଘର ନିର୍ମାଣ କରିବାରେ ସଫଳ ହୋଇଛନ୍ତି।

Advertisment

ଗାଁ ଲୋକଙ୍କ ଦୀର୍ଘ ବର୍ଷରୁ ଦାବି ରହିଥିଲା। ଗଲାବର୍ଷ ନିର୍ବାଚିତ ହେବା ପରେ ନିଜ ପଞ୍ଚାୟତର ବିଭିନ୍ନ ଗ୍ରାମରେ କୋଠଘର ନିର୍ମାଣ ପାଇଁ ସରପଞ୍ଚ ଶ୍ରୀ ଭୂୟାଁ ନୂଆଗଡ଼ ବ୍ଲକ୍‌ ପ୍ରଶାସନ ପାଖରେ ନିବେଦନ କରିଥିଲେ। ସେହିଭଳି, ବିଧାୟକ ଓ ସାଂସଦଙ୍କ ପାଖକୁ ଯାଇ ବାରମ୍ବାର ନିବେଦନ କରିଥିଲେ। ହେଲେ, କୌଣସି ପଦକ୍ଷେପ ନିଆ ନଯିବାରୁ ଶେଷରେ ବାଧ୍ୟ ହୋଇ ଲୋକଙ୍କୁ ଘର ପିଛା ଚାନ୍ଦା କରି କୋଠଘର ନିର୍ମାଣ କରିବାକୁ ପ୍ରସ୍ତାବ ଦେଲେ। ଫଳରେ, ରା. ଉଦୟଗିରି ବ୍ଲକ୍‌ର ଆରତୀସାହି ସମେତ ନୂଆଗଡ଼ ବ୍ଲକ୍‌ର ତୁମନ, ଅରାଡ଼ି, ବୁରୁସିଂ ଓ ତରଭା ଗ୍ରାମବାସୀ ପିଲାଙ୍କ ଉଚ୍ଚଶିକ୍ଷା ଏବଂ ଅନ୍ୟାନ୍ୟ ଅଭିଳାଷ ପୂରଣ ପାଇଁ ରଖିଥିବା ସଞ୍ଚିତ ଅର୍ଥରେ କୋଠଘର ନିର୍ମାଣ କରିବା ସକାଶେ ସହମତି ପ୍ରକାଶ କଲେ।

ଏହି କ୍ରମରେ ବର୍ତ୍ତମାନ ପ୍ରଥମେ ବୁରୁସିଂ ଗ୍ରାମରେ କୋଠଘର ନିର୍ମାଣ କାମ ଆରମ୍ଭ ହୋଇଛି। ପର୍ଯ୍ୟାୟ କ୍ରମେ ଅନ୍ୟ ଚାରିଟି ଗ୍ରାମରେ କୋଠଘର ନିର୍ମାଣ କରାଯିବ ବୋଲି ଅଞ୍ଚଳବାସୀ କହିଛନ୍ତି। ଗ୍ରାମବାସୀଙ୍କୁ ସାମାନ୍ୟ କୋଠଘରଟିଏ ଦେଇ ନଥିବା ଦଳକୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଉପଯୁକ୍ତ ଜବାବ ଦେବୁ ବୋଲି ଶ୍ରୀ ଭୂୟାଁଙ୍କ ସମେତ ବୁରୁସିଂ ଗ୍ରାମର ଗୌରାଙ୍ଗ ମଣ୍ଡଳ, ଶ୍ରୀନାଥ ଭୂୟାଁ, ବିଶ୍ବନାଥ ମଣ୍ଡଳ, ଶୈଳେନ୍ଦ୍ରୀ ମଣ୍ଡଳ, ଜଗା ମଣ୍ଡଳ, ମାଧବ ମଣ୍ଡଳ, ଜଗନ୍ନାଥ ମଣ୍ଡଳ ପ୍ରମୁଖ ପ୍ରକାଶ କରିଛନ୍ତି।