ଏସ୍‌ସିବିରେ ନାହିଁ ଠିକ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ଏବିିସି ପରିବର୍ତ୍ତେ ସିଓ୨ ସିଲିଣ୍ଡର ରଖିବାକୁ ପରାମର୍ଶ

କଟକ: ଏସ୍‌ସିବି ମେଡିକାଲ୍‌ର ବିିଭିନ୍ନ ଓ୍ଵାର୍ଡରେ ଲଗାଯାଇଥିବା ଅଗ୍ନି ନିର୍ବାପକ ଯନ୍ତ୍ରକୁ ନେଇ ମେଡିକାଲ୍‌ ଦମକଳ କେନ୍ଦ୍ର ଆପତ୍ତି ଉଠାଇଛି। ଓ୍ଵାର୍ଡ ଓ ଜରୁରିକାଳୀନ ସେବା କେନ୍ଦ୍ରଗୁଡ଼ିକରେ ଏବିସି ମାନ୍ୟତାପ୍ରାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଯାଇଥିବା ବେଳେ ନିଅାଁ ଲଭାଇବା ବେଳେ ସେଥିରୁ ପ୍ରବଳ ଧୂଆଁ ବାହାରୁଥିବାରୁ ରୋଗୀମାନେ ଭୟଭୀତ ହେବା ଅଥବା ସେମାନଙ୍କୁ କ୍ଷତି ପହଞ୍ଚିବା ଆଶଙ୍କା କରାଯାଇଛି। ଯେଉଁଥିପାଇଁ ଭୁବନେଶ୍ୱର ସମ୍‌ ହସ୍‌ପିଟାଲ୍‌ ଅଗ୍ନିକାଣ୍ଡ ବେଳେ ଆଇସିୟୁର ରୋଗୀମାନେ ଆତଙ୍କିତ ହୋଇଯିବାରୁ ମୃତ୍ୟୁବରଣ କରିଥିଲେ। ତେଣୁ ଏହାର ବିକଳ୍ପ ଭାବେ ସିଓ୨ ସିଲିଣ୍ଡର ସମସ୍ତ ଓ୍ଵାର୍ଡ, ଆଇସିୟୁ ଓ ଜରୁରିକାଳୀନ କେନ୍ଦ୍ରଗୁଡ଼ିକରେ ଲଗାଯିବାକୁ ମେଡିକାଲ୍‌ ଦମକଳ କେନ୍ଦ୍ର ପକ୍ଷରୁ ବିଭିନ୍ନ ବିଭାଗକୁ ଚିଠି କରାଯାଇଛି।

ବିଭିନ୍ନ ଅଗ୍ନି ନିର୍ବାପକ ଯନ୍ତ୍ରର କାର୍ଯ୍ୟ ଦକ୍ଷତାକୁ ନେଇ ତାହାର ବିଭକ୍ତିକରଣ କରାଯାଇଛି। ‘ଏ’ ମାନ୍ୟତା ପ୍ରାପ୍ତ ଯନ୍ତ୍ର ଦ୍ୱାରା ଅଙ୍ଗାର ଜାତୀୟ ନିଆଁକୁ ଲିଭାଯାଇପାରିବ। ଅର୍ଥାତ୍‌ କାଠ, କାଗଜ, କପଡ଼ା ଇତ୍ୟାଦି ଦ୍ୱାରା ନିଅାଁ ଲାଗିଥିଲେ ଏ’ ମାନ୍ୟତା ପ୍ରାପ୍ତ ଯନ୍ତ୍ର ଦ୍ୱାରା ତାହାକୁ ଲିଭାଯିବ। ସେହିପରି ବି’ ମାନ୍ୟତା ପ୍ରାପ୍ତ ଯନ୍ତ୍ରରେ ତୈଳ ଜାତୀୟ ଓ ସି’ ମାନ୍ୟତା ପ୍ରାପ୍ତ ଯନ୍ତ୍ରରେ ଗ୍ୟାସ୍‌ ଜାତୀୟ ନିଅାଁକୁ ଲିଭାଯାଇପାରିବ। ଏହାବ୍ୟତୀତ ଡି’ ମାନ୍ୟତା ପ୍ରାପ୍ତ ସିଲିଣ୍ଡର ଦ୍ୱାରା ଧାତୁ ଜାତୀୟ ନିଅାଁକୁ ଲଭାଯିବାକୁ ସେହି ଅନୁଯାୟୀ ନିର୍ବାପକ ଯନ୍ତ୍ରରେ ବିଭକ୍ତିକରଣ ଚିହ୍ନ ଦିଆଯାଇଛି। କିନ୍ତୁ ଉକ୍ତ ଯନ୍ତ୍ର ଦ୍ୱାରା ନିଅାଁ ଉପରକୁ ସ୍ପ୍ରେ କରାଗଲେ ସେଠାରେ ପ୍ରଚୂର ପରିମାଣର ଧୂଅାଁ ବାହାରିଥାଏ। ଏହାଦ୍ୱାରା ଉପସ୍ଥିତ ଲୋକଙ୍କୁ ୨ଫୁଟ ଦୂରତା ପର୍ଯ୍ୟନ୍ତ ଦେଖିବାରେ ସମସ୍ୟା ଦେଖାଦେଇଥାଏ। ତେଣୁ ଚାରିପଟେ ଧୂଅାଁ ହୋଇଗଲେ ରୋଗୀ ବିପଦରୁ ବାହାରିବା ବଦଳରେ ବିପଦ ଭିତରକୁ ଚାଲିଯିବା ଭୟ ଦେଖା ଦେଇଥାଏ। ତେଣୁ ମେଡିକାଲ୍‌ ଭଳି ଜନଗହଳି ଅଞ୍ଚଳରେ ଏବିସି ମାନ୍ୟତାପ୍ରାପ୍ତ ସିଲିଣ୍ଡର ନରଖିବାକୁ ପରାମର୍ଶ ଦିଆଯାଇଥିବା ମେଡିକାଲ୍‌ ଦମକଳ କେନ୍ଦ୍ରର ଷ୍ଟେସନ୍‌ ଅଫିସର ନଟବର ନାୟକ ସୂଚନା ଦେଇଛନ୍ତି। ସିଓ୨ ଦ୍ୱାରା ଧୂଅାଁ ବାହାରିବା ପରିବର୍ତ୍ତେ ନିଅାଁକୁ ସହଜରେ ଲିଭାଇପାରିଥାଏ। ଏଥିପାଇଁ ପ୍ରତ୍ୟେକ ବିଭାଗଗୁଡ଼ିକୁ ଏବିସି ଯନ୍ତ୍ର ବଦଳରେ ସିଓ୨ ଯନ୍ତ୍ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି।

ସରକାରୀ ନିର୍ଦ୍ଦେଶନାମା ଆସିବା ପରେ ମେଡିକାଲ୍‌ ପକ୍ଷରୁ ଜିଇଡିକୁ ଅଗ୍ନିନିର୍ବାପକ ଯନ୍ତ୍ର ବସାଇବା ପାଇଁ କୁହାଯାଇଥିଲା। ତେଣୁ ମେଡିକାଲ୍‌ରେ ପ୍ରାୟ ୫୦ ପ୍ରତିଶତ ସ୍ଥାନରେ ଏବିସି ଓ ଅନ୍ୟ ସ୍ଥାନ ମାନଙ୍କରେ ସିଓ୨ ବସାଯାଇଛି। ହେଲେ ଏଠାରୁ ଏବିସି ସିଲିଣ୍ଡରକୁ ସଂପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ପରାମର୍ଶ ଦିଆଯାଇଛି। ସମ୍‌ ହସ୍‌ପିଟାଲ୍‌ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ବେଳେ ଆଇସିୟୁ ଭିତରେ ଏବିସି ଅଗ୍ନିନିର୍ବାପକ ଯନ୍ତ୍ରରୁ ନିଅାଁ ଲିଭାଇବାକୁ ଉଦ୍ୟମ କରାଯାଇଥିଲା। ଫଳରେ ଚାରିଆଡେ ଧୂଅାଁ ଖେଳାଇ ହୋଇଯାଇଥିଲା। ଏଥିଯୋଗୁଁ ଅନ୍ୟ କୌଣସି ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଏଭଳି ସିଲିଣ୍ଡର ନବସାଇବାକୁ ସର୍କୁଲାର କରାଯାଇଥିଲା। ତେବେ ଦମକଳ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ପ୍ରଶାସନିକ ଅଧିକାରୀ ଡକ୍ଟର ପ୍ରତାପ ମିଶ୍ର ସୂଚନା ଦେଇଛନ୍ତି। ତଥାପି ବର୍ତ୍ତମାନସୁଦ୍ଧା ତାଙ୍କର କୌଣସି ଚିଠି କିମ୍ବା ପରାମର୍ଶ ତାଲିକା କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିନାହିଁ। ଅଗ୍ନି ନିରାପତ୍ତା ସୁରକ୍ଷା ଜନିତ ପରାମର୍ଶ ଦେବା ପାଇଁ ଅଗ୍ନିଶମ ଅଧିକାରୀଙ୍କୁ ସ୍ୱାଧୀନତା ଦିଆଯାଇଛି। ରୋଗୀଙ୍କ ସୁରକ୍ଷା ପାଇଁ ଯାହା ଠିକ୍‌, ତାହାକୁ ମେଡିକାଲ୍‌ରେ ପାଳନ କରାଯିବ ବୋଲି ଡକ୍ଟର ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର