ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : ଏ ପର୍ଯ୍ୟନ୍ତ ହତ୍ୟା ନେଇ ପ୍ରମାଣ ମିଳି ପାରିନାହିଁ, ତଦନ୍ତର ସାନି ସ୍ଥିତି ନେଇ ଅବଗତ କରବାକୁ ନିର୍ଦ୍ଦେଶ

କ୍ରାଇମବ୍ରାଞ୍ଚ

କଟକ: ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଏ ପର୍ଯ୍ୟନ୍ତ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି କିଛି ପ୍ରମାଣ ମିଳି ପାରି ନାହିଁ। ଘଟଣାର ତଦନ୍ତ ଚାଲିଛି। ତଦନ୍ତକାରୀ ଅଧିକାରୀ ଏବେ ଅସୁସ୍ଥ ଅଛନ୍ତି ତେଣୁ ଅପ୍-ଟୁ-ଡେଟ୍ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇ ପାରି ନାହିଁ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଜଷ୍ଟିସ ବିଶ୍ୱଜିତ୍ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲା‌ର ପରବର୍ତ୍ତୀ ଶୁଣାଣି ସମୟରେ ତଦନ୍ତର ସାନି ସ୍ଥିତି ସଂକ୍ରାନ୍ତରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କୁ ଏ ସଂପର୍କିତ ଷ୍ଟାଟସ୍ ରିପୋର୍ଟର କପି ପ୍ରଦାନ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆଦିତ୍ୟଙ୍କ ମା’ ପଦ୍ମାଳୟା ଦାସ, ବାପା ନନ୍ଦିକିଶୋର ଦାସ ଓ ପତ୍ନୀ ବିଦ୍ୟାଶ୍ରୀ ଶିଶୁଙ୍କ ପକ୍ଷରୁ ସିବିଆଇ ତଦନ୍ତ ପ୍ରାର୍ଥନା କରି ଦାୟର ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆବେଦନକାରୀଙ୍କ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାୟର ଏହି ମାମଲାରେ ଦର୍ଶାଯାଇଛି ଯେ ଆଦିତ୍ୟ ବୃଦ୍ଧାଶ୍ରମ କରିବା ସହିତ ମଦ ବିରୋଧୀ ଅଭିଯାନରେ ସାମିଲ ହୋଇଥିଲେ। ତା’ଛଡ଼ା ଆଦିତ୍ୟ ମୋଟିଭେସନାଲ ସ୍ପିକର ଭାବେ ବି ଖୁବ୍ ଲୋକପ୍ରିୟ ଥିଲେ। ନିଜ ସେବା ଓ ସାମାଜିକ କାର୍ଯ୍ୟ ପାଇଁ ଆଦିତ୍ୟ ରାଜ୍ୟ ତଥା ଦେଶବିଦେଶରେ ମଧ୍ୟ ଲୋକପ୍ରିୟ ହୋଇ ପାରିଥିଲେ। ଉଭୟ ପରିବାର ସହମତିରେ ବିଦ୍ୟାଶ୍ରୀଙ୍କ ସହିତ ଆଦିତ୍ୟଙ୍କ ବିଭାଗର ହୋଇଥିଲା। କିନ୍ତୁ ବିଭାଗରର ୨୭ ଦିନ ପରେ ଆଦିତ୍ୟ ଘରେ ମିଳି ନଥିଲେ। ବହୁତ ଖୋଜା ଖୋଜି ପରେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ତାଙ୍କ ମୃତ ଦେହ ମିଳିଥିଲା। ଏହି ଘଟଣାକୁ ନେଇ ଜିଆରପି ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିଥିଲା ଓ ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ପ୍ରଦାନ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଛି। ପରିବାର ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହି ଘଟଣାର ଠିକ୍ ଭାବେ ତଦନ୍ତ କରାଯାଉ ନାହିଁ।

ଆଦିତ୍ୟଙ୍କ ମୃତ୍ୟୁର କାରଣ ତଦନ୍ତକାରୀ ସଂସ୍ଥା ଜାଣି ପାରି ନାହିଁ। ଏହି ଘଟଣାରେ ଅପରାଧୀଙ୍କ ଗିରଫଦାରୀ, ସତ୍ୟ ଉନ୍ମୋଚନ ଓ ମୃତ୍ୟୁ ରହସ୍ୟ ଖୋଲିବାରେ ଦିଗରେ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଦାୟର ଆବେଦନରେ ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ତଦନ୍ତର ନଜିର ଦିଆଯାଇଛି। ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଉ ବା ରାଜ୍ୟ ସରକାରଙ୍କ ଅଧୀନରେ ନଥିବା କୌଣସି ସ୍ବାଧୀନ ଏଜେନ୍ସକୁ ତଦନ୍ତ ଦାୟିତ୍ବ ଦିଆଯାଉ ବୋଲି  ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ମାମଲାରେ ରାଜ୍ୟ ଗୃହ ସଚିବ, ଜିଆରପି ଏସପି, ସିବିଆଇ ଓ କ୍ରାଇମବ୍ରାଞ୍ଚକୁ ପକ୍ଷଭୁକ୍ତ କରାଯାଇଛି। ନଭେମ୍ବର ୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ତଦନ୍ତର ସାନି ସ୍ଥିତି ସଂପର୍କରେ ଅବଗତ କରିବାକୁ ସରକାରଙ୍କୁ ନ‌ିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର

Comments are closed.