କୋଭିଡ୍‌ କଟକଣା କିଛି କୋହଳ ହେଲାନି, ନଭେମ୍ବରରେ ଯାହା ଡିସେମ୍ବରରେ ତାହା

ସ୍କୁଲ୍‌ ଖୋଲିବା ନେଇ ପୁଣି ଦ୍ୱନ୍ଦ୍ୱ ସୃଷ୍ଟି କଲେ

ମନ୍ଦିର ଖୋଲିବା ନିଷ୍ପତ୍ତି ନେବ ଜିଲ୍ଲା ପ୍ରଶାସନ
ସିନେମା ହଲ୍‌, ଅଡିଟୋରିୟମ୍‌, ମେଳା, ପ୍ରଦର୍ଶନୀ ବନ୍ଦ
ବିବାହ ପାଇଁ ୨୦୦, ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୫୦

ଭୁବନେଶ୍ୱର : ଡିସେମ୍ବର ମାସ ପାଇଁ ରାଜ୍ୟ ସରକାର ଆଜି କୋଭିଡ୍‌ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ନଭେମ୍ବର ମାସରେ ଯାହା ଯାହା କଟକଣା ଥିଲା, ଡିସେମ୍ବରରେ ତାହା ଆପାତତଃ ବଳବତ୍ତର ରହିଛି। କରୋନା ସଂକ୍ରମଣ କମୁଥିଲେ ବି କୌଣସି କଟକଣା କୋହଳ କରାଯାଇନି। ସମ୍ଭବତଃ କୋଭିଡ୍‌ ସଂକ୍ରମଣର ଦ୍ବିତୀୟ ଲହରି ଆଶଙ୍କା ଥିବାରୁ ସରକାର କୌଣସି ରିସ୍କ ନେବାକୁ ଚାହିଁ ନାହାନ୍ତି।

ସ୍କୁଲ୍‌ ଖୋଲିବା ସମ୍ପର୍କରେ ଗାଇଡ୍‌ଲାଇନ୍‌ରେ ପୁଣି ଦ୍ବନ୍ଦ୍ବ ସୃଷ୍ଟି କରାଯାଇଛି। ଡିସେମ୍ବର ୩୧ ତାରିଖ ଯାଏ ସ୍କୁଲ୍‌ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇ ସାରିଛନ୍ତି। କିନ୍ତୁ ଆଜି ଜାରି ହୋଇଥିବା ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ ସ୍କୁଲ୍‌ ଖୋଲିବା ନେଇ ଦାୟିତ୍ବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା, ପର୍ଯ୍ୟାଲୋଚନା କରି ନିଷ୍ପତ୍ତି ନେବ। ଯଦି ସ୍କୁଲ୍‌ ଖୋଲିବ, ତେବେ କେବଳ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ କ୍ଲାସ୍‌ ପାଇଁ ଅନୁମତି ମିଳିବ। ଡିସେମ୍ବର ୩୧ ତାରିଖ ଯାଏ ସ୍କୁଲ୍‌ ବନ୍ଦ ଥିଲା ବେଳେ ଏପରି ଗାଇଡ୍‌ଲାଇନ୍‌ କାହିଁକି ଜାରି କରାଯାଇଛି, ତାହା ବୁଝାପଡ଼ୁନି।

ଡିସେମ୍ବର ୧ ତାରିଖରୁ ରାଜ୍ୟର ମେଡିକାଲ୍‌ କଲେଜଗୁଡ଼ିକ ଖୋଲିବ। କଲେଜ, ବିଶ୍ବବିଦ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବୈଷୟିକ ଶିକ୍ଷା ବିଭାଗ ଆବଶ୍ୟକ ଆଲୋଚନା କରି ତାରିଖ ସ୍ଥିର କରିବେ।

ଧର୍ମାନୁଷ୍ଠାନ ଖୋଲିବା ଦାୟିତ୍ବ ପୂର୍ବ ପରି ସବୁ ଜିଲ୍ଲା ପ୍ରଶାସନ ଉପରେ ଛାଡ଼ି ଦିଆଯାଇଛି। ଜିଲ୍ଲା ପ୍ରଶାସନ ସ୍ଥାନୀୟ କୋଭିଡ୍‌ ସ୍ଥିତିକୁ ଦେଖି ନିଷ୍ପତ୍ତି ନେ‌େବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ନ‌େଭମ୍ବରରେ ଏମିତି ଗାଇଡ୍‌ଲାଇନ୍‌ ଥିଲେ ବି କୌଣସି ଗୋଟିଏ ଜିଲ୍ଲାରେ ମନ୍ଦିର ଖୋଲାଯାଇ ନାହିଁ। ଡିସେମ୍ବରରେ ମଧ୍ୟ ଖୋଲାଯିବାର ସମ୍ଭାବନା କମ୍।

ନଭେମ୍ବର ମାସ ପରି ଡିସେମ୍ବରରେ ବିବାହ, ବ୍ରତ ଆଦି ଉତ୍ସବରେ ସର୍ବାଧିକ ୨୦୦ ଲୋକ ଏବଂ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ମିଳିବ। କୌଣସି ହଲ୍‌ରେ ବିବାହ କାର୍ଯ୍ୟକ୍ରମ କଲେ ହଲ୍‌ କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଲୋକଙ୍କୁ ଅନୁମତି ଦିଆଯିବ। ଖୋଲା ସ୍ଥାନରେ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଲେ, ସେହି ସ୍ଥାନର ଆକାର ଦେଖି ଲୋକଙ୍କୁ ଅନୁମତି ଦିଆଯିବ। ତେବେ ଏହି ସଂଖ୍ୟା କୌଣସି ପରିସ୍ଥିତିରେ ୨୦୦ରୁ ଅଧିକ ହେବ ନାହିଁ। ଏହି ସମସ୍ତ ପ୍ରକାର କାର୍ଯ୍ୟକ୍ରମ ବେଳେ ମାସ୍କ, ସାମାଜିକ ଦୂରତା, ଥର୍ମାଲ୍‌ ସ୍କାନିଂ ଓ ହାତ ଧୂଆ ଆଦିକୁ କଡ଼ାକଡ଼ି ପାଳନ କରିବା ପାଇଁ ନି‌େର୍ଦ୍ଦଶ ଦିଆଯାଇଛି। ସ୍ଥାନୀୟ ପ୍ରଶାସନ ଚାହିଁଲେ କୋଭିଡ୍‌ ପରିସ୍ଥିତିକୁ ଦେଖି ଲୋକ ସଂଖ୍ୟା କମାଇପାରିବେ।

ପୂର୍ବ ପରି ସିନେମା ହଲ୍‌, ସୁଇମିଂ ପୁଲ୍‌, ମନୋରଞ୍ଜନ କମ୍ପ୍ଲେକ୍ସ, ଥିଏଟର୍‌, ଅଡିଟୋରିୟମ୍, ସମ୍ମିଳନୀ କକ୍ଷ ଆଦି ବନ୍ଦ ରହିବ। ଆବଶ୍ୟକ କୋଭିଡ୍‌ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରି ମୁକ୍ତାକାଶ ମଞ୍ଚକୁ ଖୋଲାଯାଇପାରିବ। ସର୍ବାଧିକ ୧୦୦ ଲୋକଙ୍କୁ ନେଇ କୋଭିଡ୍‌ କଟକଣା ଭିତରେ ବିଜ୍‌ନେସ୍‌ ଟୁ ବିଜ୍‌ନେସ୍‌ କାର୍ଯ୍ୟକ୍ରମ ହୋଇପାରିବ। କିନ୍ତୁ ତୋଷାଳୀ ମେଳା, ଶିଶିର ସରସ ପରି ପ୍ରଦର୍ଶନୀ, ମେଳା ଉପରେ କଟକଣା ଜାରି କରାଯାଇଛି।

କ୍ରୀଡ଼ାବିତ୍‌ଙ୍କ ତାଲିମ୍ ପାଇଁ ଉଦ୍ଦିଷ୍ଟ ସୁଇମିଂ ପୁଲ୍‌ ଖୋଲିବା ଉପରେ କୌଣସି କଟକଣା ଲଗାଯାଇ ନାହିଁ। ପୂର୍ବ ପରି ବଡ଼ ଧରଣର ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଉତ୍ସବ ଆୟୋଜନ ‌େହାଇପାରିବ ନାହିଁ। କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ପରିସରରେ ଡିସେମ୍ବର ୩୧ ଯାଏ ଲକ୍‌ଡାଉନ୍ କଟକଣା ଜାରି ରହିବ। ତେବେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ବାହାରେ ଅର୍ଥାତ ଜିଲ୍ଲା, ସବ୍‌ଡିଭିଜନ୍‌, ଗ୍ରାମୀଣ ଓ ସହର ସ୍ତରରେ କେନ୍ଦ୍ର ସରକାରଙ୍କ ପରାମର୍ଶ ନ ନେଇ କେହି ଲକ୍‌ଡାଉନ୍ କରିପାରିବେ ନାହିଁ। କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଭିତରେ କେବଳ ଅତ୍ୟାବଶ୍ୟକ କାରବାରକୁ ଅନୁମତି ମିଳିବ। ଆନ୍ତଃରାଜ୍ୟ ସାମଗ୍ରୀ ଓ ଯାତ୍ରୀ ପରିବହନ ପୂର୍ବ ପରି ବିନା ବାଧାରେ ଚାଲିବ। ବିମାନ ଓ ରେଳ ସେବା ପୂର୍ବରୁ ଗାଇଡ୍‌ଲାଇନ୍ ଅନୁଯାୟୀ ଜାରି ରହିବ। ଡିସେମ୍ବର ୩୧ ଯାଏ ଆନ୍ତର୍ଜାତିକ ବିମାନ ଉଡ଼ାଣ ବନ୍ଦ ରହିବ।

ସମ୍ବନ୍ଧିତ ଖବର