ରୋକି ହେଉନି ଦାଦନ ସୁଅ, ବଢ଼ୁଛି ନିର୍ଯାତନା ମାମଲା

ବରଗଡ଼: ଦିନେ କି ଦୁଇ ଦିନ ନୁହଁ। ବର୍ଷ ତମାମ ବାହାର ରାଜ୍ୟକୁ ଯାଇଥିବା ଜିଲ୍ଲାର ଦାଦନ ନିର୍ଯାତନା ମାମଲା ସାମନାକୁ ଆସୁଛି। ସେମାନଙ୍କୁ ଉଦ୍ଧାର କରିବାକୁ ପରିବାରଲୋକେ ପ୍ରଶାସନ ଏବଂ ପୁଲିସ୍‌ ପାଖରେ ନେହୁରା ହେଉଛି। କଷ୍ଟେମଷ୍ଟେ ବିଭିନ୍ନ ଉପାୟରେ ଦାଦନମାନଙ୍କୁ ଉଦ୍ଧାର ବି କରାଯାଉଛି। କିନ୍ତୁ ଦାଦନ ସୁଅ ରୋକିବାକୁ ପ୍ରଶାସନର ସବୁ ପ୍ରକ୍ରିୟା ଫେଲ୍‌ ମାରିଛି।

କରେନାର ଦ୍ବିତୀୟ ଲହର ପର୍ଯ୍ୟନ୍ତ ଜିଲ୍ଲାର ଦାଦନମାନେ କର୍ମସଂସ୍ଥାନ ହରାଇ ବସିଥିଲେ। କିନ୍ତୁ ସ୍ଥିତି ସ୍ବାଭାବିକ ସହ ଟ୍ରେନ୍‌ ଚଳାଚଳ କରିବା ପରେ ପୁଣି ଦାଦନମାନେ ବାହାର ରାଜ୍ୟକୁ ଯାଇଛନ୍ତି। ଜିଲ୍ଲାର ପାଖାପାଖି ୩୦ହଜାର ଲୋକ ଦାଦନ ଖଟିବାକୁ ଯାଇଥିବା ଜଣାପଡ଼ିଛି। ନରେଗା ଯୋଜନାରେ ଦାଦନମାନଙ୍କୁ ନିୟମିତ କର୍ମସଂସ୍ଥାନ ଯୋଗାଇବାକୁ ପ୍ରଶାସନ ଉଦ୍ୟମ କରିଥିଲା। ହେଲେ ନରେଗାରେ ବ୍ୟାପକ ବିଭ୍ରାଟ ଯୋଗୁଁ ଲୋକେ ଦାଦନ ଖଟିବାକୁ ବାଧ୍ୟ ହୋଇଛନ୍ତି।  ଅଧିକାଂଶ ସ୍ଥାନରେ ଠିକାଦାରଙ୍କୁ ପୋଷିବା ପାଇଁ ମେସିନ୍‌ ଦ୍ବାରା କାମ ଚାଲିଛି। ଏହାର ପ୍ରତିବାଦ ହେଉଥିଲେ ହେଁ କିଛି ଫଳ ମିଳୁନାହିଁ।

ଅନ୍ୟପକ୍ଷରେ ଜିଲ୍ଲାରେ ମନରେଗା ସ୍ଥିତି ମଧ୍ୟ ଉତ୍ସାହଜନକ ନୁହେଁ।  ଜିଲ୍ଲାର ପାଇକମାଳ, ଝାରବନ୍ଧ, ପଦ୍ମପୁର ଏବଂ ଗାଇସିଲାଟ୍‌ ବ୍ଲକ୍‌ ଦାଦନ ପ୍ରବଣ ବ୍ଲକ୍‌ ସୂଚୀରେ ରହିଛି। ଏଠାରୁ ଜିଲ୍ଲାର ୯୦ ପ୍ରତିଶତ ଦାଦନ ବାହାର ରାଜ୍ୟକୁ ଯାଇଛନ୍ତି। ନିକଟ ଅତୀତରେ ଏସବୁ ବ୍ଲକ୍‌ରେ ଅଧିକାଂଶ ନରେଗା କାମ ମେସିନ୍‌ ଲଗାଇ କରାଯାଉଥିବା ଅଭିଯୋଗ ହୋଇଛି।  ଲୋକଙ୍କୁ ମନେରେଗା କାମ ମିଳୁନଥିବା ଅଭିଯୋଗ ହେଉଛି। ଏପରିକି କାମ ନମିଳିଲେ ଦାଦନ ଖଟିବାକୁ ଯିବୁ ବୋଲି ଲୋକେ ଖୋଲାଖୋଲି ଚେତାବନୀ ବି ଦେଉଛନ୍ତି।

ହେଲେ କୌଣସି ହିସାବରେ ଜିଲ୍ଲାର ଦାଦନ ସମସ୍ୟା ସମାଧାନ ହୋଇପାରିଲା ନାହିଁ। ଏଣେ ଶ୍ରମିକ ଶ୍ରେଣୀର ଲୋକେ ବାହାର ରାଜ୍ୟକୁ ପଳାଉଥିବାରୁ ଏଠାରେ କୃଷିକ୍ଷେତ୍ରରେ ଶ୍ରମିକ ଅଭାବ ଦେଖା ଦେଉଛି। ଜିଲ୍ଲାରୁ ପ୍ରତିବର୍ଷ ବାହାର ଜିଲ୍ଲା ଏବଂ ରାଜ୍ୟକୁ ହଜାର ହଜାର ଦାଦନ ଶ୍ରମିକ ଚାଲାଣ ହେଉଛନ୍ତି। କିନ୍ତୁ ଏମାନଙ୍କ ହିସାବ କାହାରି ପାଖରେ ରହୁନାହିଁ। କେବଳ ଉଦ୍ଧାର ପାଉଥିବା ଦାଦନଙ୍କ ତାଲିକା ପ୍ରଶାସନ ପାଖରେ ରହୁଛି। ଯଦ୍ବାରା ଅଣସଂଗଠିତ ଥିବା ଏହି ଶ୍ରମିକମାନେ ସବୁ ସରକାରୀ ଯୋଜନାରୁ ବି ବଂଚିତ ରହୁଛନ୍ତି।

ସମ୍ବନ୍ଧିତ ଖବର