ଅଣ୍ଡା ପାଇଁ ଆନ୍ଧ୍ର ଭରସା : ଦୈନିକ ଆବଶ୍ୟକ ୮୫ ଲକ୍ଷ, ଉତ୍ପାଦନ ହେଉଛି ୬୫ ଲକ୍ଷ, ଅଣ୍ଡା ଦର ବଢ଼ୁନି, କୁକୁଡ଼ା ଚାଷରୁ ମୁହଁ ମୋଡ଼ୁଛନ୍ତି ଚାଷୀ

ଭୁବନେଶ୍ବର : ୨୦୧୫ରେ ଓଡ଼ିଶା କୁକ୍କୁଟ ନୀତି ଆରମ୍ଭ ହୋଇଥିଲା। ଲକ୍ଷ୍ୟ ଥିଲା, ୨୦୨୦ ସୁଦ୍ଧା ଓଡ଼ିଶା ଅଣ୍ଡା ଓ ଚିକେନ୍‌ ଉତ୍ପାଦନରେ ସ୍ବାବଲମ୍ବୀ ହୋଇପାରିବ। ଇତି ମଧ୍ୟରେ ୪ ବର୍ଷ ବିତିଗଲାଣି। ତଥାପି ଅଣ୍ଡା ଉତ୍ପାଦନରେ ଓଡ଼ିଶା ପଛୁଆ। ଏବେ ବି ଅଣ୍ଡା ପାଇଁ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼ୁଛି। ଓଡ଼ିଶା ପାଇଁ ପ୍ରତିଦିନ ହାରାହାରି ୮୫ ଲକ୍ଷ ଅଣ୍ଡା ଆବଶ୍ୟକତା ହେଉଥିବା ବେଳେ ରାଜ୍ୟରୁ ଏବେ ୬୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି। ବାକି ୨୦ ଲକ୍ଷ ଅଣ୍ଡା ପାଇଁ ପଡ଼ୋଶୀ ରାଜ୍ୟ ଉପରେ ଭରସା କରିବାକୁ ପଡ଼ୁଛି। ବିଶ୍ବ ଅଣ୍ଡା ଦିବସ ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ପଲଟ୍ରି ଫାର୍ମର୍ସ ଆସୋସିଏସନ୍‌ ଓ ଅଲ୍‌ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ୍‌ର ମିଳିତ ସହଯୋଗରେ ଓୟୁଏଟିସ୍ଥିତ ଭେଟେରିନାରି କଲେଜ ପରିସରରେ ଆଜି ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବକ୍ତାମାନେ ଏଭଳି ମତ ପୋଷଣ କରିଛନ୍ତି।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଗତ ୨୦ ବର୍ଷରେ ଅଣ୍ଡା ଉତ୍ପାଦନ ବଢ଼ିଛି। ୨୦୦୦ରେ ଓଡ଼ିଶାରେ ୨୦ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିଲା। ୨୦୦୫ରେ ୩୩ ଲକ୍ଷ, ୨୦୧୮-୧୯ରେ ଏହା ୬୫ ଲକ୍ଷରେ ପହଞ୍ଚିଛି। କୁକୁଡ଼ା ମାଂସ ଉତ୍ପାଦନ ବି ବାର୍ଷିକ ୯୧ହଜାର ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଛି। ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ଅଣ୍ଡା ଉତ୍ପାଦନ ଏକ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଅଣ୍ଡା ଉତ୍ପାଦନରେ ଓଡ଼ିଶା ଦେଶରେ ୧୧ତମ ସ୍ଥାନରେ ରହିଛି। ଏବେ ଦେଶରେ ମୁଣ୍ଡ ପିଛା ଅଣ୍ଡା ଉପଲବ୍ଧତା ୬୯ଟି ଥିବା ବେଳେ ଓଡ଼ିଶାରେ ୪୮ଟି ରହିଛି। ଜାତୀୟସ୍ତରରେ ମୁଣ୍ଡ ପିଛା ମାଂସର ଉପଲବ୍ଧତା ବାର୍ଷିକ ୨.୯୨ କେଜି ହୋଇଥିବା ବେଳେ ଓଡ଼ିଶାରେ ୧.୮୩ କେଜି ରହିଥିବା ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାଧାରଣ ବର୍ଗର ଚାଷୀଙ୍କ ପାଇଁ ୪୦% ଓ ମହିଳା,ଏସ୍‌ସି ଓ ଏସ୍‌ଟିଙ୍କ ପାଇଁ ୫୦% ରିହାତି ବ୍ୟବସ୍ଥା କରାଯାଇଛି। ଏଥିସହ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଅଣ୍ଡାଦିଆ କୁକୁଡ଼ା ପାଳନ ପାଇଁ ସହାୟତା ଯୋଗାଇ ଦିଆଯାଉଛି। ବାତ୍ୟା ‘ଫନି’ ଦ୍ବାରା କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କ ଫାର୍ମ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୪ ହଜାରରୁ କମ୍‌ ସଂଖ୍ୟକ କୁକୁଡ଼ା ପାଳନ କରୁଥିବା ପୁରୀ ଜିଲ୍ଲାର ୧୦୩୬ଚାଷୀଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ।

ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ତଥା ଅଲ୍‌ ଓଡ଼ିଶା ଲେୟର ଫାମର୍ସ ଆସୋସିଏସନ୍‌ର ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, କୁକୁଡ଼ା ଚାଷୀଙ୍କୁ ଆଧୁନିକ ଜ୍ଞାନକୌଶଳ ଯୋଗ‌ାଇ ଦିଆଯାଉନାହିଁ। କୁକୁଡ଼ା ଖାଦ୍ୟ ମୂଲ୍ୟ ବଢ଼ୁଥିଲେ ମଧ୍ୟ ଅଣ୍ଡା ଦର ବୃଦ୍ଧି ପାଉନି। ଯେଉଁଥିପାଇଁ ଚାଷୀ ଧୀରେ ଧୀରେ କୁକୁଡ଼ା ଚାଷରୁ ମୁହଁ ଫେରାଉଛନ୍ତି। ଯଦି ଏମିତି ଚାଲିବ, ଆଗାମୀ ଦିନରେ ଅଣ୍ଡା ଉତ୍ପାଦନ କ୍ଷେତ୍ର‌‌ରେ ବଡ଼ ସଂକଟ ସୃଷ୍ଟି ହେବ। ସ୍କୁଲ ମଧ୍ୟାହ୍ନଭୋଜନରେ ଓଡ଼ିଶା ଚାଷୀଙ୍କ ଅଣ୍ଡା ବଦଳରେ ବାହାର ଅଣ୍ଡା ଦିଆଯାଉଛି। ଏ ଦିଗରେ ପଦକ୍ଷେପ ନେବାକୁ ସେ ମନ୍ତ୍ରୀ ଶ୍ରୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଶାସନ ସଚିବ ଆର୍‌. ରଘୁପ୍ରସାଦ ଯୋଗଦେଇ କହିଲେ, ଓଡ଼ିଶାରେ ୫ରୁ ୯ବର୍ଷ ବୟସର ୮୮% ଓ ୧୦ରୁ ୧୯ବର୍ଷ ବୟସର ୬୪% ପିଲା ଅଣ୍ଡା ଖାଉଛନ୍ତି। ଏ କ୍ଷେତ୍ରରେ ଓଡ଼ିଶା ଦେଶରେ ୬ଷ୍ଠ ସ୍ଥାନରେ ରହିଛି। ଏବେ ରାଜ୍ୟରେ ୧୩୮ଟି ବ୍ୟାବସାୟିକ ଲେୟର କୁକୁଡ଼ା ଫାର୍ମ ରହିଛି। ଏହି ଫାର୍ମଗୁଡ଼ିକରୁ ଦୈନିକ ୬୫ଲକ୍ଷ ଅଣ୍ଡା ଉତ୍ପାଦିତ ହେଉଛି। ବ୍ରଏଲର କ୍ଷେତ୍ରରେ ୧ କୋଟି ୮୨ ଲକ୍ଷରୁ ଅଧିକ କୁକୁଡ଼ା ୧୦ ହଜା‌ରରୁ ଅଧିକ ଫାର୍ମରେ ପାଳନ କରାଯାଉଛି। ଆଗାମୀ ଦିନରେ ଆହୁରି ୧୦୦ଟି ବ୍ୟାବସାୟିକ ଲେୟର କୁକୁଡ଼ା ଫାର୍ମ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀ ସମ୍ପାଦ ଓ ପ୍ରାଣୀ ଚିକିତ୍ସା ନିର୍ଦେଶକ ରତ୍ନାକର ରାଉତ, ଓୟୁଏଟି କୁଳପତି ପବନ କୁମାର ଅଗ୍ରୱାଲ, ଓଡ଼ିଶା ପଲଟ୍ରି ଫାର୍ମର୍ସ ଆସୋସିଏସନ୍‌ର ସଭାପତି ଜ୍ୟୋତିକାନ୍ତ ମହାପାତ୍ର, ଉପଦେଷ୍ଟା ଅଶୋକ ପ୍ରଧାନ, ସମ୍ପାଦକ ପ୍ରଦ୍ୟୁମ୍ନ ପରିଡ଼ା, ଅଲ୍‌ ଓଡ଼ିଶା ଲେୟର ଫାମର୍ସ ଆସୋସିଏସନର ସଭାପତି ବି ବି ଚୌହାନ, ସମ୍ପାଦକ ଏଲ୍‌ ସରୋଜ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର