ଯୋଗାଣମନ୍ତ୍ରୀଙ୍କ ଜିଲ୍ଲାରେ ହିତାଧିକାରୀଙ୍କୁ ମିଳୁନି ରାସନ୍‌ : ସବୁ ଜିଲ୍ଲାରେ ତିନିମାସର ଅଗ୍ରିମ କୋଟା ପାଇଲେଣି, କଟକରେ ନାହିଁ

କଟକ : ଯୋଗାଣମନ୍ତ୍ରୀଙ୍କ ଜିଲ୍ଲାରେ ହିତାଧିକାରୀଙ୍କୁ ମିଳୁନି ରାସନ୍‌। ସରକାରଙ୍କ ଘୋଷଣା ଅନୁସାରେ ସବୁ ଜିଲ୍ଲାରେ ହିତାଧିକାରୀଙ୍କୁ ଏକକାଳୀନ ନଭେମ୍ବର, ଡିସେମ୍ବର ଓ ଜାନୁଆରି ମାସର ରାସନ୍‌ ଦିଆଯାଉଥିବା ବେଳେ ଯୋଗାଣ ବିଭାଗର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଏବଂ କାଳକ୍ଷେପଣ ନୀତି ଯୋଗୁଁ କଟକ ଜିଲ୍ଲାରେ ଟଙ୍କିକିଆ ଚାଉଳ ଯୋଗାଣରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଖୋଦ୍ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଜିଲ୍ଲାରେ ଏଭଳି ଅଚଳାବସ୍ଥା ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

ସୂଚନା ଅନୁସାରେ,‘ମୋ ସରକାର, ‘୫-ଟି ଯୋଜନା ମାଧ୍ୟମରେ ସରକାର ସଂସ୍କାର ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ହେଲେ, କଟକ ଜିଲ୍ଲା‌ରେ ଏସବୁ ଯୋଜନା ପ୍ରତି ବିଭାଗୀୟ ଅଧିକାରୀମାନେ ଗୁରୁତ୍ବ ଦେଉ ନଥିବା ଦେଖାଯାଉଛି। ଜିଲ୍ଲାରେ ଯୋଗାଣ ନିଗମ ଦ୍ବାରା ଟେଣ୍ଡର ମାଧ୍ୟମରେ ୨୦୧୯-୨୦୨୧ ପାଇଁ ଚୟନ ହୋଇଥିବା ପରିବହନ ଠିକାଦାରମାନଙ୍କ ସହ ଚୁକ୍ତି(ଏଗ୍ରିମେଣ୍ଟ) କରିବାରେ ବିଳମ୍ବ ହେବାରୁ ଏପରି ବିପର୍ଯ୍ୟସ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ମିଳିଥିବା ତଥ୍ୟ ମୁତାବକ, ଯୋଗାଣ ନିଗମ ପୁରୁଣା ପରିବହନ ଠିକାଦାରଙ୍କ ମାଧ୍ୟମରେ ପୁରୁଣା ରେଟ୍‌ରେ କାର୍ଯ୍ୟ କରାଇନେବାକୁ ଚାପ ସୃଷ୍ଟି କରୁଛି। ମାତ୍ର, ପୁରୁଣା ରେଟ୍‌ରେ କାମ କରିବାକୁ ପୁରୁଣା ଠିକାଦାରମାନେ ଅସହାୟତା ପ୍ରକାଶ କରିଛନ୍ତି। ଏ ନେଇ ସେମାନେ ବହୁ ପୂର୍ବରୁ ଯୋଗାଣ ନିଗମକୁ ଜଣାଇଥିଲେ ବି ସେମାନଙ୍କୁ ଯୋଗାଣ ନିଗମ ଦ୍ବାରା ଧାର୍ଯ୍ୟ ଦରରେ କାର୍ଯ୍ୟାଦେଶ ଦିଆଯାଉ ନାହିଁ କିମ୍ବା ନୂତନ ଭାବେ ଚୟନ ହୋଇଥିବା ଠିକାଦାରଙ୍କ ସହ ମଧ୍ୟ ଚୁକ୍ତି କରାଯାଉ ନାହିଁ। ଅନ୍ୟାନ୍ୟ ଜିଲ୍ଲାରେ ନୂତନ ଠିକାଦାରଙ୍କ ସହ ୨୦୧୯-୨୦୨୧ ପାଇଁ ଚୁକ୍ତି କରାଯାଇ ସେମାନଙ୍କ ଦ୍ବାରା ୨ ମାସ ତଳୁ କାମ ଆରମ୍ଭ ହେଲାଣି। ହେଲେ, କଟକ ଜିଲ୍ଲାରେ ଏହା କାର୍ଯ୍ୟକାରୀ ନ ହେବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ଗତମାସ ୧ରୁ ୨୫ ତାରିଖ ମଧ୍ୟରେ ଉକ୍ତ ତିନିମାସର ସାମଗ୍ରୀ ଜଗତପୁରସ୍ଥ ଯୋଗାଣ ବିଭାଗ ଡିପୋରୁ ଉଠାଇ ହିତାଧିକାରୀଙ୍କୁ ଦେବାକୁ ସରକାରଙ୍କ ନିର୍ଦ୍ଦେଶ ଥିଲା। ମାତ୍ର ଡିଲର୍‌ ପଏଣ୍ଟରେ ସାମଗ୍ରୀ ଓଜନ କରି ଦେବା ତଥା ପିଓଏସ୍‌ ମେସିନ୍‌ କମିସନ ଦାବିରେ ଡିଲରମାନେ ଉକ୍ତ ସାମଗ୍ରୀ ଉଠାଇ ନ ଥିଲେ। ଡିଲରଙ୍କ ଦାବି ପୂରଣ କରିବାକୁ ଯାଇ ଯୋଗାଣ ବିଭାଗ ପକ୍ଷରୁ ସେମାନଙ୍କୁ ପ୍ରତି ବସ୍ତାରେ ଥିବା ସାମଗ୍ରୀର ଓଜନର ତଥ୍ୟ ଦେବାକୁ ପରିବହନ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ତିନିମାସର ସାମଗ୍ରୀ ପାଇଁ ଡିଲରମାନେ ଚାଳାଣ କାଟିଥିଲେ। ଅକ୍ଟୋବର ୨୫ ତାରିଖ ସୁଦ୍ଧା ହିତାଧିକାରୀଙ୍କୁ ସାମଗ୍ରୀ ଦେବାକୁ ନିୟମ ଥିବା ବେଳେ ଡିଲରଙ୍କ ଆନ୍ଦୋଳନ ଯୋଗୁଁ ଏହାକୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ମାତ୍ର ଅଧିକ କମିସନ୍‌ ଦାବି କରି ଏବେ ପରିବହନ ଠିକାଦାରମାନେ ବିଭିନ୍ନ ଡିପୋ‌ରୁ ମାଲ ଉଠାଉ ନଥିବାରୁ ହିତାଧିକାରୀଙ୍କୁ ସମାଗ୍ରୀ ମିଳିବା ନେଇ ଆଶଙ୍କା ଦେଖାଯାଇଛି। ଖାଦ୍ୟ ସୁରକ୍ଷା ପରି ଏକ ଗୁରୁତ୍ବପୂର୍ଣ୍ଣ ଯୋଜନାରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପ୍ରତି ବିଭାଗୀୟ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର