ଭୁବନେଶ୍ୱର: ଆଳୁ ଓ ପିଆଜ ଦର ବଢ଼ିବ ନାହିଁ । ରାଜ୍ୟ ସରକାର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ଆଳୁ ପିଆଜ ଉପଲବ୍ଧ କରୁଛନ୍ତି । ଦୋକାନୀମାନେ ଯେପରି ଆଳୁ ଓ ପିଆଜ ଅଧିକ ଦାମରେ ବିକ୍ରି କରି ନପାରିବେ ସେଥିପାଇଁ ସରକାର ନଜର ରଖିଛନ୍ତି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟରୁ ଆଳୁ ଓ ପିଆଜି ଆମଦାନୀ କରୁଛନ୍ତି ସରକାର । କୋଭିଡ ମୁଖ୍ୟ ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରେ ଖାଦ୍ୟ ଯୋଗାଣ ସଚିବ ବୀର ବିକ୍ରମ ଯାଦବ ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶାରେ ପେଟ୍ରୋଲ ଓ ଏଲପିଜି ଗ୍ୟାସର ଅଭାବ ନାହିଁ । ତେଣୁ ଶ୍ରୀ ପ୍ରଧାନ ଧନ୍ୟବାଦର ପାତ୍ର ।

Advertisment

ଖାଦ୍ୟ ଯୋଗାଣ ସଚିବ କହିଛନ୍ତି, ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆମକୁ ସବୁବେଳେ ପରାମର୍ଶ ଦେଉଛନ୍ତି । ଲୋକେ କେମିତି ସରକାରଙ୍କ ଯୋଜାନାରୁ ଉପକୃତ ହେବେ ସେଥିପାଇଁ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ଯେ, ଜଣେ ବି ଲୋକ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହେବା ଦରକାର । ତେଣୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ କାମ ଚାଲିଛି । ରାଜ୍ୟର ସାଢ଼େ ୪କୋଟି ଲୋକଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ୱ ।

ତିନି ମାସର ପିଡିଏସ ବଣ୍ଟନ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିର୍ଦେଶ ମିଳିବା ପରେ ୧୯ ମାର୍ଚ୍ଚରୁ କାମ ଆରମ୍ଭ ହୋଇଯାଇଥିଲା । ରାଜ୍ୟରେ ଏବେ ୨୧୭ଟି ଗୋଦାମ ଅଛି । ଏଥିରେ ୧୦୦ରୁ ଅଧିକ କର୍ମଚାରୀ ନୟୋଜିତ ଥିବା ବେଳେ ୧୬ ହଜାର ଶ୍ରମିକ କାମ କରୁଛନ୍ତି । ୩୭୪ ପରିବହନ ସଂସ୍ଥାର ୧୧୦୦ ଗାଡ଼ି ହିତାଧିକାରୀଙ୍କୁ ଚାଉଳ ଯୋଗାଉଛନ୍ତି । ସେମାନେ ବହୁ ପରିଶ୍ରମ କରିଛନ୍ତି । ଗୋଦାମରେ ମଧ୍ୟ ସାମାଜିକ ଦୂରତା ପାଳନ କରାଯାଉଛି । ସେଥିପାଇଁ ବିତରଣ ପାଇଁ ବେଳେ ବେଳେ ବିଳମ୍ବ ହେଉଛି । ସାମାଜିକ ଦୂରତା ରକ୍ଷା କରିବା ରାଜ୍ୟ ସରକାରଙ୍କ ନିର୍ଦେଶ ହୋଇଛି ।