ରେଳ ଷ୍ଟେସନଠାରୁ ବି ଅନୁନ୍ନତ

ଟି-୨ ଟର୍ମିନାଲରେ ନାଁକୁ ମାତ୍ର ଅନ୍ତର୍ଜାତୀୟ ସେବା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିଛି। ବିଦେଶକୁ ବି ବିମାନ ଉଡ଼ାଣ ହେଉଛି। ଦୈନିକ ଶହ ଶହ ଯାତ୍ରୀ ବିଦେଶକୁ ଯାତାୟତ କରୁଛନ୍ତି। ହେଲେ ଯେଉଁ ଟର୍ମିନାଲରୁ ବିଦେଶକୁ ବିମାନ ଉଡ଼ାଣ ହେଉଛି ଏବଂ ବିଦେଶୀ ଯାତ୍ରୀ ଯାତାୟତ କରୁଛନ୍ତି ତାହା ସ୍ଥିତି ଏବେ ସଙ୍ଗିନ୍‌। ଅନ୍ତର୍ଜାତୀୟ ନାଁରେ ଭୁବନେଶ୍ୱର ରେଳ ଷ୍ଟେସନ ଭଳି ବି ସୁବିଧା ସୁଯୋଗ ମିଳୁନି। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ। ଯାତ୍ରୀମାନେ ବିମାନବନ୍ଦରରେ ମିଳୁଥିବା ସୁବିଧା ସୁଯୋଗ ନେଇ ଦୀର୍ଘ ଦୁଇ ବର୍ଷ ହେଲା ବାରମ୍ବାର ଅଭିଯୋଗ କରୁଥିଲେ ହେଁ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ଏହାକୁ ଦୂର କରିପାରୁନାହାନ୍ତି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟି-୨ ଟର୍ମିନାଲ ଦେଇ ଏବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହେଉଛି। ଏଠାରୁ ଏବେ ସପ୍ତାହକୁ ଚାରି ଦିନ ଏୟାର ଏସିଆର ଭୁବନେଶ୍ୱର-କ୍ୱାଲାଲମ୍ପୁର ବିମାନ ସମେତ ହବ୍‌ ଆଣ୍ଡ୍‌ ସ୍ପୋକ୍‌ ମଡେଲରେ ଏୟାର ଇଣ୍ଡିଆର ପ୍ରାୟ ୪ଟି ବିମାନ ଉଡ଼ାଣ କରୁଛି। ଯାତ୍ରୀଙ୍କୁ ବିଶ୍ୱର ୧୨୬ଟି ଦେଶକୁ ଯିବା ପାଇଁ ବିମାନ ଯାତ୍ରାର ସୁଯୋଗ ମିଳୁଛି। ଏଥିପାଇଁ ଏୟାର ଇଣ୍ଡିଆ ଏବଂ ଏହାର ୨୭ଟି ସହବନ୍ଧିତ ବିମାନରେ ଯାତ୍ରା କରୁଛନ୍ତି। ଦୈନିକ ପ୍ରାୟ ୩୦୦ରୁ ଅଧିକ ଯାତ୍ରୀ ଏହି ଟର୍ମିନାଲ ଦେଇ ବିଦେଶକୁ ଯାତାୟତ କରୁଛନ୍ତି। ଏହି ଟି-୨ ଟର୍ମିନାଲରେ ଘଣ୍ଟାକୁ ୨୦୦ଯାତ୍ରୀ ପ୍ରବେଶ ଓ ୨୦୦ ଯାତ୍ରୀ ପ୍ରସ୍ଥାନ କରିପାରିବେ। ଟର୍ମିନାଲର ବାର୍ଷିକ ଯାତ୍ରୀ ଧାରଣା କ୍ଷମତା ହେଉଛି ୦.୧୮ମିଲିଅନ। କିନ୍ତୁ ବିମାନବନ୍ଦର କର୍ତ୍ତୃପକ୍ଷ ଏଠାରେ ଉନ୍ନତମାନର ସୁବିଧା ସୁଯୋଗ ଯୋଗାଇପାରୁନାହାନ୍ତି। ସ୍ଥିତି ଏପରି ହେଲାଣି ଯେ, ଭୁବନେଶ୍ୱରରୁ ବିଦେଶକୁ ଯିବାକୁ ଥିବା ଯାତ୍ରୀମାନେ ଘରୋଇ ବିମାନରେ ଅନ୍ୟ ରାଜ୍ୟକୁ ଯାଇ ସେଠାରୁ ବିଦେଶକୁ ଯାତ୍ରା କରୁଛନ୍ତି।
ଟି-୨ ଟର୍ମିନାଲରେ ଯାତାୟତ କରୁଥିବା ଯାତ୍ରୀଙ୍କୁ ଚେକ୍‌ ଇନ୍‌ ପାଇଁ ଦେଢ଼ ଘଣ୍ଟା ପୂର୍ବରୁ ଆସିବାକୁ ପଡ଼ୁଥିବାବେଳେ ଏଠାରେ ବସିବା ପାଇଁ ନା ଆରାମଦାୟକ ସୋଫା ଅଛି ନା ପ୍ରତୀକ୍ଷା ଗୃହ। ବ୍ୟାଗେଜ୍‌ ବେଲ୍ଟ ନିକଟରେ ଓଜନ ମେସିନ୍‌ ନାହିଁ। ଫଳରେ ଯାତ୍ରୀ ବ୍ୟାଗ୍‌ ଓଜନ କରିପାରୁନାହାନ୍ତି। ବ୍ୟାଗ୍‌ ଓଜନ ହୋଇପାରୁ ନ ଥିବାରୁ ବ୍ୟାଗ୍‌ ନିଜ ସହିତ ସିଟ୍‌ ପାଖକୁ ନେବେ ନା କାର୍ଗୋକୁ ପଠାଇବେ ସେନେଇ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ଏପରିକି ଯଦି କେହି ୧୫ କେଜିରୁ ଅଧିକ ଓଜନ ବ୍ୟାଗ୍‌ ନେଇ ବିମାନରେ ଯାତ୍ରା କରିବାକୁ ଯାଉଛନ୍ତି ତେବେ ତାଙ୍କୁ ବ୍ୟାଗ୍‌ ଚେକ୍‌ ଇନ୍‌ ସମୟରେ ଗେଟ୍‌ ନିକଟରୁ ଫେରାଇ ଦିଆଯାଉଛି। ସେହିପରି ଗୋଟିଏ ମେସିନ୍‌ରେ ବ୍ୟାଗ୍‌ ସ୍କାନିଂ କରାଯାଉଛି। ଏକସଙ୍ଗେ ୧୦ରୁ ଅଧିକ ଯାତ୍ରୀ ହୋଇଗଲେ ବ୍ୟାଗ୍‌ ସ୍କାନିଂ ଶେଷ କରିବାକୁ ୩୦ମିନିଟରୁ ଅଧିକ ସମୟ ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି।

ଖାଲି ଏତିକି ନୁହେଁ, ଏହି ଟର୍ମିନାଲରେ ଥିବା ଶୌଚାଳୟର ସ୍ଥିତି ମଧ୍ୟ ସାଂଘାତିକ। ବସ୍‌ଷ୍ଟାଣ୍ଡ ଶୌଚାଳୟ ପରି ଦିନତମାମ୍‌ ଦୁର୍ଗନ୍ଧ ବାହାରୁଛି। ଏନେଇ ଅଭିଯୋଗ କଲେ ବି କେହି ଶୁଣିବାକୁ ନାହାନ୍ତି କି ସଫା କରିବାକୁ ନାହାନ୍ତି। ଅନ୍ତର୍ଜାତୀୟ ବିମାନରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ କଷ୍ଟମ୍‌ସ ଇମିଗ୍ରେସନ ସହିତ ବିଭିନ୍ନ ପ୍ରକାରର ଯାଞ୍ଚ କରିବାକୁ ଥିବାରୁ ଯାତ୍ରାର ଦେଢ ଘଣ୍ଟା ପୂର୍ବରୁ ଚେକ୍‌ ଇନ୍‌ କରିବାକୁ ନିୟମ ଅଛି। ତେଣୁ ବହୁ ଯାତ୍ରୀ ୨ଘଣ୍ଟା ପୂର୍ବରୁ ଏଠାରେ ଚେକ୍‌ ଇନ୍‌ କରି ବସୁଛନ୍ତି। ମନୋରଞ୍ଜନ ପାଇଁ କିଛି ବ୍ୟବସ୍ଥା ନାହିଁ କି ସ୍ନାକ୍ସ ଖାଇବାକୁ ଷ୍ଟଲ୍‌ଟିଏ ବି ନାହିଁ। ସପିଂ ତ ସାତ ସପନ। ଟର୍ମିନାଲ ପରିସରରେ ନର୍ସିଂ ରୁମ୍‌ଟିଏ ନଥିବାରୁ ଛୋଟଛୋଟ ପିଲାଙ୍କୁ ନେଇ ଯାଉଥିବା ଯାତ୍ରୀମାନେ ପିଲାଙ୍କର ପୋଷାକ ଓ ନାପକିନ୍‌ ବଦଳାଇବା ପାଇଁ ଶୌଚାଳୟକୁ ଯାଉଛନ୍ତି। ଏହିଭଳି ସ୍ଥିତିରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିଜର ଚମକ ହରାଇବାରେ ଲାଗିଛି। ଏହି ଅନ୍ତର୍ଜାତୀୟ ଟର୍ମିନାଲରେ ମିଳୁଥିବା ସୁବିଧା ସୁଯୋଗ ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ବି କମ୍‌ ବୋଲି ଯାତ୍ରୀ ଅଭିଯୋଗ କରୁଛନ୍ତି।

ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଯେଉଁ ଅନୁସାରେ ବିମାନ ଯାତାୟତ କରୁଛି, ଯାତ୍ରୀଙ୍କର ସୁବିଧା ସୁଯୋଗ ଉପଲବ୍ଧ ହେଉଛି। ଏବେ ମାତ୍ର ଗୋଟିଏ ଅନ୍ତର୍ଜାତୀୟ ବିମାନ ଯାତାୟତ କରୁଛି। ଏଠାରେ ଯେଉଁ ସ୍ନାକ୍ସ କାଉଣ୍ଟର ଥିଲା ବ୍ୟବସାୟ ନହେବାରୁ ବନ୍ଦ ହୋଇଯାଇଛି। ଆମେ ଏଠାରେ ବିଭିନ୍ନ ପ୍ରକାରର ସପିଂ କାଉଣ୍ଟର, ଖାଦ୍ୟ ଷ୍ଟଲ୍‌ ଖୋଲିବାକୁ ଯୋଜନା କରୁଛୁ। ହେଲେ ବ୍ୟବସାୟୀ ଆଗ୍ରହ ଦେଖାଉନାହାନ୍ତି। କାରଣ ଭଡ଼ାକୁ ଚାହିଁ ସେମାନଙ୍କର ବ୍ୟବସାୟ ହେବନି ବୋଲି କହୁଛନ୍ତି। ନିୟମ ଅନୁଯାୟୀ ଆମକୁ ସବୁ କରିବାକୁ ପଡ଼ୁଛି। ଘରୋଇ ଟର୍ମିନାଲ ଟି-୧ରେ ଆମେ ସବୁ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଉଛୁ। ଏଠାରେ ଯୋଗାଇବାରେ କିଛି ଅସୁବିଧା ନାହିଁ। କିନ୍ତୁ ଯାତ୍ରୀ ଓ ବ୍ୟବସାୟୀ ବି ଚାହିଁବା ଦରକାର। ଏଠାରେ ବିଦେଶୀ ମୁଦ୍ରା ବିନିମୟ କାଉଣ୍ଟର ଖୋଲାଯିବ। ଏହାଦ୍ୱାରା ବହୁ ଯାତ୍ରୀ ଉପକୃତ ହେବେ ବୋଲି ଶ୍ରୀ ହୋତା କହିଛନ୍ତି।

ସୂଚନାଯୋଗ୍ୟ ଯେ, ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ପାଇଁ ୧୪୫କୋଟି ବ୍ୟୟରେ ନୂଆ ଟର୍ମିନାଲ ନିର୍ମାଣ ହେଲା। ୨୦୧୩ରେ ମସିହାରେ ଏହାକୁ ଉଦ୍‌ଘାଟନ କରିବା ସମୟରେ ଘୋଷଣା ହେଲା ଯେ, ବିମାନବନ୍ଦରରେ ଏବେ ଘରୋଇ ଯାତ୍ରୀ ଓ ବିମାନ ସଂଖ୍ୟା ଅଧିକ ଥିବାରୁ ନୂଆ ଟର୍ମିନାଲ ଟି-୧ ଘରୋଇ ବିମାନ ପାଇଁ ବ୍ୟବହାର ହେବ। ପୁରୁଣା ଟର୍ମିନାଲ ଟି-୨ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହେଲେ ସେଥିପାଇଁ ବ୍ୟବହାର ହେବ। ପୁରୁଣା ଟର୍ମିନାଲର ପୁନରୁଦ୍ଧାର ପାଇଁ ୪୫କୋଟି ବି ଖର୍ଚ୍ଚ ହେଲା। ଦୀର୍ଘ ୨ବର୍ଷ ପରେ ଟର୍ମିନାଲ ଖୋଲିଲା ବେଳକୁ ଅତ୍ୟାଧୁନିକ ସୁବିଧା ମିଳିବା ତ ଦୂରର କଥା ପୂର୍ବ ଠାରୁ ବି ଖରାପ ସୁବିଧା ସୁଯୋଗ ଉପଲବ୍ଧ ହେଲା। ୪୫କୋଟିରେ କ’ଣ କାମ ହେଲା, କି କି ସୁବିଧା ମିଳିଲା ତାହାର ଟେର୍‌ କେହି ପାଇଲେନି। ଯାହାର ଦଶା ଏବେ ସାଧାରଣ ଯାତ୍ରୀ ଭୋଗୁଛନ୍ତି।

ସମ୍ବନ୍ଧିତ ଖବର