ବଲାଙ୍ଗୀର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପୂର୍ବ ଜନ ସୂଚନା ଅଧିକାରୀ ଏସ୍.କେ. ଚାଟାର୍ଜୀ ରତ୍ନଭଣ୍ଡାର ଚାବି ଓ ମନ୍ଦିର ପରିଚାଳନା ସମ୍ପର୍କୀୟ କେତେକ ତଥ୍ୟ ଯୁକ୍ତିଯୁକ୍ତ କାରଣ ନଥାଇ ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ ନକରିବାରୁ ରାଜ୍ୟ ସୂଚନା କମିସନର ସଞ୍ଜୟ କେଶରୀ ସ୍ୱାଇଁ ଏକ ଉଲ୍ଲେଖନୀୟ ରାୟରେ ୨୫ ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ଦେଇଛନ୍ତି। ସୂଚନା ଅଧିକାର ଆଇନ ଅନୁପାଳନ କରାଯାଇ ନଥିବା କାରଣରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନର ଜଣେ ଜନସୂଚନା ଅଧିକାରୀଙ୍କୁ ଆଇନ ଅନୁମୋଦିତ ଭାବେ ସର୍ବାଧିକ ଅର୍ଥଦଣ୍ଡରେ ଦଣ୍ଡିତ କରିବା ସର୍ବପ୍ରଥମ ଘଟଣା ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା ବଲାଙ୍ଗୀର ଯାଦବ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସେ କହିଛନ୍ତି ଯେ, ଜନସ୍ୱାର୍ଥ ଦୃଷ୍ଟିରୁ ଶ୍ରୀମନ୍ଦିର ପରିଚାଳନା ସମ୍ପର୍କୀୟ ପ୍ରଦାନଯୋଗ୍ୟ ସମସ୍ତ ସୂଚନାକୁ ସାର୍ବଜନୀନ କରିବା ଆବଶ୍ୟକତା ରହିଛି। ସୂଚନା କର୍ମୀ ଶ୍ରୀ ପଣ୍ଡା ୨୦୧୮ ମସିହା ଜୁନ ୧୧ରେ ପୁରୀ ରତ୍ନଭଣ୍ଡାର ଚାବି ସମେତ ୧୩ ସୂତ୍ରୀ ତଥ୍ୟ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଜନ ସୂଚନା ଅଧିକାରୀଙ୍କୁ ମାଗିଥିଲେ। କିନ୍ତୁ ଶ୍ରୀମନ୍ଦିର ତତ୍କାଳୀନ ଜନସୂଚନା ଅଧିକାରୀ ଗୋଟିଏ ଆବେଦନ ପତ୍ରରେ ଏତେଗୁଡ଼ିଏ ତଥ୍ୟ ଦିଆଯାଇ ପାରିବ ନାହିଁ ବୋଲି ଆବେଦନକାରୀଙ୍କୁ ଜଣାଇଥିଲେ। ଜନ ସୂଚନା ଅଧିକାରୀଙ୍କ ଏଭଳି ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ସେ ପ୍ରଥମ ଅପିଲ ଅଧିକାରୀଙ୍କୁ ଆବେଦନ କରିଥିଲେ।
ଏସବୁକୁ ବିଚାର କରି ସୂଚନା କମିସନର ଶ୍ରୀ ସ୍ୱାଇଁ ସୂଚନା ଆଇନର ୨୦(୧) ଧାରା ଅନୁଯାୟୀ ଦଣ୍ଡ ବିଧାନ କରିବା ସଙ୍ଗେ ତାଙ୍କ ରାୟରେ କହିଛନ୍ତି ଯେ, ଆବେଦନକାରୀ ଶ୍ରୀ ପଣ୍ଡାଙ୍କୁ ଗୋଟିଏ ଫର୍ମରେ ଗୋଟିଏ ତଥ୍ୟ ମାଗିବାକୁ କହି ଶ୍ରୀମନ୍ଦିର ପୂର୍ବ ଜନ ସୂଚନା ଅଧିକାରୀ ତାଙ୍କ କର୍ତ୍ତବ୍ୟ ତୁଲାଇବାରେ ବିଫଳ ହୋଇଛନ୍ତି ଏବଂ ସୂଚନା ଅଧିକାର ଆଇନକୁ ଅସମ୍ମାନ କରିଛନ୍ତି। ଏହା ସହ ଆବେଦନକାରୀ ଶ୍ରୀ ପଣ୍ଡାଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ବର୍ତ୍ତମାନର ଜନ ସୂଚନା ଅଧିକାରୀଙ୍କୁ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଭିତର ରତ୍ନଭଣ୍ଡାର ଚାବି ମିଳୁନଥିବା କଥା ୨୦୧୮ ମସିହାରେ ପୁରୀ ଜିଲ୍ଲା ପ୍ରଶାସନ କହିବା ପରେ ଏହାକୁ ନେଇ ସମଗ୍ର ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା। ଏପରିକି ଏହି ସମ୍ବେଦନଶୀଳ ଘଟଣାର ସତ୍ୟତା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ତଦନ୍ତ କମିସନ ଜଷ୍ଟିସ ରଘୁବୀର ଦାସଙ୍କ ନେତୃତ୍ୱରେ ଘୋଷଣା କରିଥିଲେ।
ପରବର୍ତ୍ତୀ ସମୟରେ ନକଲି ଚାବି ମିଳିଥିବା କୁହାଯାଇଥିଲା। ହେଲେ ନକଲି ଚାବି କିଏ କାହିଁକି ତିଆରି କରିଥିଲେ ତାହା କେହି କହି ପାରିଲେ ନାହିଁ। ଏସବୁର ସତ୍ୟତା ଜାଣିବା ପାଇଁ ସୂଚନା କର୍ମୀ ଶ୍ରୀ ପଣ୍ଡା ସୂଚନା ଅଧିକାର ଆଇନର ପ୍ରୟୋଗ କରିଥିଲେ ଏବଂ ୨୦୧୮ ମସିହାରେ ରତ୍ନଭଣ୍ଡାର ଚାବି ସମେତ ନବ କଳେବର ଅନିୟମିତତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଠାରୁ ତଥ୍ୟ ମାଗିଥିଲେ। ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଆବେଗକୁ ସମ୍ମାନ ପ୍ରଦର୍ଶନ କରି ରତ୍ନଭଣ୍ଡାର ଚାବି ସମ୍ପର୍କିତ ସବିଶେଷ ତଥ୍ୟ ସାର୍ବଜନୀନ କରିବା ପାଇଁ ଶ୍ରୀ ପଣ୍ଡା ଏହି ସମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।