ନୋଟାରି ମହାସଂଘର କାର୍ଯ୍ୟକାରୀ କମିଟି : ନୋଟାରିଙ୍କ ଅବଧି ୧୦ ବର୍ଷ କରିବାକୁ ଦାବି

ଭୁବନେଶ୍ବର : ନିଖିଳ ଓଡ଼ିଶା ନୋଟାରି ମହାସଂଘର କାର୍ଯ୍ୟକାରୀ କମିଟିର ଏକ ଜରୁରି ବୈଠକ ଭୁବନେଶ୍ବର ଓକିଲ ସଂଘର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ସଭାପତି ମହେନ୍ଦ୍ର କୁମାର ବସ୍ତିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ନୋଟାରିମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ସଚିବାଳୟକୁ ଯିବା ପାଇଁ ପ୍ରବେଶ ପତ୍ର ପ୍ରଦାନ କରିବା, ନୋଟାରିମାନଙ୍କୁ ପେନ୍‌ସନ୍ ଦେବା, ରାଜଧାନୀରେ ନୋଟାରି ଆସୋସିଏସନ୍ ପାଇଁ ସରକାରୀ ବାସଗୃହ ଯୋଗାଇଦେବା, ନେ‌ାଟାରିଙ୍କ ଅବଧି ୫ ବର୍ଷ ପରିବର୍ତ୍ତେ ୧୦ ବର୍ଷ କରିବା, ନୋଟାରିମାନଙ୍କୁ ସରକାରଙ୍କ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରିବା ଏବଂ ବିବିଧ ବିକଳ୍ପ ଓ ସମାଧାନ କେନ୍ଦ୍ରରେ ନୋଟାରିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ଆଦି ପ୍ରସଙ୍ଗ ଆଲୋଚନା ହୋଇଥିଲା। ଏଥିରେ ମହାସଂଘର କାର୍ଯ୍ୟକାରୀ ସଭାପତି ସଂଘମିତ୍ରା ବେହେରା, ସାଧାରଣ ସମ୍ପାଦକ ନଳିନୀକାନ୍ତ ମିଶ୍ର, ସମ୍ପାଦକ ନଟବର ପଣ୍ଡା ଓ କବୀନ୍ଦ୍ର ବାରିକ, ଉପସଭାପତି ଅଶ୍ବିନୀ କୁମାର ପ୍ରଧାନ, ସନ୍ତୋଷ କୁମାର ଭୂୟାଁ ଓ ବିରୂପାକ୍ଷ ପାତ୍ର, ଯୁଗ୍ମ ସମ୍ପାଦକ ଅରୁଣ କୁମାର ମଲ୍ଲିକ, ଗଙ୍ଗାରାମ ବେହେରା, ପ୍ରମୋଦ କୁମାର ମହାପାତ୍ର ଓ ମାନସ କୁମାର ପାଟ୍ଟଶାଣୀ, ସହ ସମ୍ପାଦକ ଜ୍ୟୋତିରଞ୍ଜନ ପଟ୍ଟନାୟକଙ୍କ ସମେତ ଶତାଧିକ ନୋଟାରି ବୈଠକରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର