ବିଶିଷ୍ଟ ଜନନେତ୍ରୀ, ସୁସାହିତ୍ୟିକ ତଥା ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଜନନେତ୍ରୀ, ସୁସାହିତ୍ୟିକ ତଥା ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା ଜୟନ୍ତୀ ପଟ୍ଟନାୟକଙ୍କ ବୁଧବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହେଇଥିଲା। ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ନେଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜୟନ୍ତୀ ପଟ୍ଟନାୟକ ୧୯୩୨ ମସିହା ଏପ୍ରିଲ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଙ୍ଗଠିକା ସହ ଜଣେ ଭଲ ବକ୍ତା ଥିଲେ। ସେ ଓଡିଶାରୁ ପ୍ରଥମ ମହିଳା ଭାବେ ଲୋକସଭାକୁ ୧୯୮୧ ମସିହାରେ କଂଗ୍ରେସ ଟିକେଟରେ କଟକରୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ହରିହର ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିବା ପରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସେ ସ୍ନାତକ ଓ ବମ୍ବେସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ୧୯୫୩ ମସିହାରେ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ବିବାହ କରିଥିଲେ।

ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ନିରଞ୍ଜନ ପଟ୍ଟନାୟକଙ୍କ କନ୍ୟା ଜୟନ୍ତୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରିଣୀ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ଵାରା ୧୯୬୭ରେ ପ୍ରତିଷ୍ଠିତ ‘ପୌରୁଷ’ ପତ୍ରିକାରେ ଧାରାବାହିକ ଭାବେ କେ.ଏମ୍‌. ମୁନ୍‌ସିଙ୍କର ‘କୃଷ୍ଣାବତାର’ର ଅନୁବାଦ କରି ସେ ଓଡ଼ିଶାର ଘରେ ଘରେ ପରିଚିତା। ସେ କିଛିକାଳ ‘ପୌରୁଷ’ର ସମ୍ପାଦିକା ମଧ୍ୟ ଥିଲେ।

ରାଜନୈତିକ ଜୀବନରେ ସେ ମୋଟ ୪ ଥର ସାଂସଦ ନିର୍ବାଚିତ ହୋଇଥିଲେ । ୧୯୮୧ରେ ଲୋକସଭାକୁ ନିର୍ବାଚିତା ହେବାପରେ ସେ ପୁଣିଥିରେ ୧୯୮୪ରେ ସେହି କଟକ ଆସନରୁ ଓ ୧୯୯୮ରେ ବ୍ରହ୍ମପୁର ଆସନରୁ ଲୋକସଭାକୁ ନିର୍ବାଚିତା ହୋଇଛନ୍ତି। ଏହାଛଡ଼ା ୧୯୯୬ରେ ସେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତା ହୋଇଥିଲେ।

ଏହା ବାଦ୍ ପ୍ରଥମ ଓଡ଼ିଆ ଭାବେ ସେ ୧୯୮୭ ମସିହାରେ ଅଖିଳ ଭାରତ ମହିଳା କଂଗ୍ରେସର ସଭାପତି ହୋଇଥିଲେ । ୧୯୯୨ରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ପ୍ରଥମ ଓଡ଼ିଆ ତଥା ପ୍ରଥମ ମହିଳା ଭାବେ ନବଗଠିତ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ରହିଥିଲେ।

ପୂର୍ବତନ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର