ସମ୍ବଲପୁର: ବିଶିଷ୍ଟ କବି ବିପିନ ଆଚାର୍ଯ୍ୟଙ୍କର ବୁଧବାର ଅପରାହ୍ଣରେ ପରଲୋକ ହୋଇଛି। ତାଙ୍କୁ  ୮୧ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ସେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେ ନିଜ ଅନ୍ତେ ତିନିଝିଅ କଳ୍ପଶ୍ରୀ, ସସ୍ମିତା ଓ ଜ୍ୟୋତିଶ୍ରୀ, ଦୁଇ ପୁଅ କଲ୍ୟାଣ ଓ ବାଳଗୋପାଳଙ୍କ ସମେତ ବୋହୂ, ଜ୍ବାଇଁ, ନାତିନାତୁଣୀଙ୍କୁ ଛାଡ଼ିଯାଇଛନ୍ତି। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। 

Advertisment

ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଭାଷାର ଜଣେ ଅଗ୍ରଗଣ୍ୟ ମାନବବାଦୀ କବି ଭାବେ ପରିଚିତ ବିପିନ ଆଚାର୍ଯ୍ୟ ବରଗଡ଼ ଜିଲ୍ଲାର ଜଡ଼ା ଗାଁରେ ଜନ୍ମଗ୍ରହଣ କରିଥିଲେ। ବରଗଡ଼ ଓ ସମ୍ବଲପୁରରେ ସେ ପ୍ରାରମ୍ଭିକ ଓ ଉଚ୍ଚଶିକ୍ଷା ଲାଭ କରି ସମ୍ବଲପୁର ଉଠାଜଳସେଚନ ବିଭାଗରୁ ଆକାଉଣ୍ଟସ୍‌ ଅଫିସର୍‌ ଭାବେ ଅବସର ନେଇଥିଲେ। ସମ୍ବଲପୁର ଏସ୍‌ଆର୍‌ଆଇଟି କଲୋନି କଲ୍ୟାଣନଗରରେ ସ୍ଥାୟୀ ବାସିନ୍ଦା ଭାବରେ ପରିବାର ସହିତ ରହୁଥିଲେ। ଦଶବର୍ଷ ତଳେ ପତ୍ନୀ ପଙ୍କଜିନୀଙ୍କ ପରଲୋକ ପରେ ସେ ଏକପ୍ରକାର ଭାଙ୍ଗିପଡ଼ିଥିଲେ। ଏହାପରଠୁ ସେ ସାନଝିଅ ଜ୍ୟୋତିଶ୍ରୀଙ୍କ ସହିତ ଭୁବନେଶ୍ବରରେ ରହୁଥିଲେ। ପିଲାଦିନରୁ ସାହିତ୍ୟ ପ୍ରତି ଆକର୍ଷିତ ହୋଇ ଛାତ୍ର ସମୟରୁ ଲେଖାଲେଖି ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ରଚିତ ଉପନ୍ୟାସ ‘ନଦୀ ମହାନଦୀ’ କଲିକତାରୁ ପ୍ରକାଶିତ ‘ଜନସାହିତ୍ୟ’ ପତ୍ରିକାରେ ପ୍ରକାଶ ପାଇଥିଲା। ୧୯୬୨ ମସିହାରେ ‘ଆସନ୍ତାକାଲି’ ପତ୍ରିକାରେ ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇଥିଲା। କବିତା ବ୍ୟତୀତ ଗଳ୍ପ, ପ୍ରବନ୍ଧ, ସମାଲୋଚନା ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ସୁନାମ ଅର୍ଜନ କରିଥିଲେ। ସମ୍ବଲପୁରର ‘ଯୁବ ଉଦୟନ’ର ମୁଖପତ୍ରରେ ପ୍ରକାଶିତ ସମ୍ବଲପୁରୀ ଭାଷା ଆନ୍ଦୋଳନ ସଂପର୍କିତ ତାଙ୍କ ପ୍ରବନ୍ଧ ଚର୍ଚ୍ଚାର ପରିସରକୁ ଆସିଥିଲା। ତାଙ୍କ ଦ୍ବାରା ରଚିତ ସମ୍ବଲପୁରୀ ଭାଷା ସାହିତ୍ୟର ପ୍ରତିନିଧିମୂଳକ କବିତା ସଂକଳନ ‘ମହକ୍‌’ ବିପୁଳ ପାଠକୀୟ ଆଦୃତି ଲାଭ କରିଛି।  

ସ୍ବର୍ଗତ ଆଚାର୍ଯ୍ୟ ‘ସମ୍ବାଦ ସାହିତ୍ୟଘର’ ସମ୍ବଲପୁର, ଡେବ୍ରିଗଡ଼ ସାହିତ୍ୟ ସଂସଦ ଭଟଲି (ବରଗଡ଼), ସଏଲତା ମହାମିଲନ୍‌ ଘେଁସ (ବରଗଡ଼), ଉତ୍କଳ ବିଶ୍ବବିଦ୍ୟାଳୟ (କନ୍‌ଟେମ୍ପୋରାରି ଲାଙ୍ଗୁଏଜ୍‌ କର୍ମଶାଳା), ପଶ୍ଚିମ ଓଡ଼ିଶା କବି ସମ୍ମେଲନ୍‌ ବିଜେପୁର (ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ), ନୀଳମାଧବ ସାହିତ୍ୟ ସ୍ମୃତି ସଂସଦ ସମ୍ବଲପୁର, ‘ନିହି’ ପ୍ରକାଶନୀ (ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ) ପକ୍ଷରୁ ସମ୍ମାନିତ ତଥା ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କ ବିୟୋଗରେ ଭୁବନେଶ୍ବର ସାହିତ୍ୟ ସମାଜ ଟ୍ରଷ୍ଟ ସଭାପତି କବି ସୂର୍ଯ୍ୟ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି।