ପରଲୋକରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ କବି ପ୍ରମୋଦ କୁମାର ମହାନ୍ତି

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ଖ୍ୟାତନାମା  କବି ପ୍ରଫେସର ପ୍ରମୋଦ କୁମାର ମହାନ୍ତିଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।

‘ଅସରନ୍ତି ଅଣସର’ କବିତା ସଙ୍କଳନ ପାଇଁ ୨୦୦୮ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି କବିତା ସଂକଳନଟି ପରବର୍ତ୍ତୀ ସମୟରେ ମେରି ମହାନ୍ତିଙ୍କ ଦ୍ବାରା  ‘ଏଣ୍ଡ୍‌ଲେସ୍‌ ଆଡର୍ଣ୍ଣମେଣ୍ଟ୍‌’ ନାମରେ ଇଂରାଜୀ ଭାଷାକୁ ଅନୁଦିତ ହୋଇଥିଲା।

କବିତା ରଚନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ୬୩ତମ ବିଷୁବ ପୁରସ୍କାର ମିଳିଥିଲା। ଏହା ବ୍ୟତିରେକେ,  ସାରସ୍ବତ ସାଧନା ଲାଗି ସେ ଅନ୍ୟାନ୍ୟ ବହୁ ଅନୁଷ୍ଠାନରୁ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି।

୧୯୪୨ ମସିହା ଜାନୁଆରି ୨୬ରେ ଅବିଭକ୍ତ କଟକ ଜିଲ୍ଲା ଅନ୍ତର୍ଗତ ଜଗତ୍‌ସିଂହପୁର ବିରିଡ଼ି ଗ୍ରାମରେ ଜନ୍ମିତ ପ୍ରମୋଦ କୁମାର ମହାନ୍ତି ମନୋବିଜ୍ଞାନରେ ଅଧ୍ୟାପନା କରୁଥିଲେ ବି କବିତା ଲେଖିବା ଥିଲା ତାଙ୍କର ଆବେଗ। ପ୍ରାୟ ଅର୍ଦ୍ଧ ଶତାବ୍ଦୀ କାଳ କବିତା ରଚନାରେ ମନୋନିବେଶ କରିଥିବା କବି ପ୍ରମୋଦ କୁମାର ମହାନ୍ତିଙ୍କର ୧୧ଟି କବିତା ସଙ୍କଳନ ପ୍ରକାଶିତ ହୋଇଛି। ସେସବୁ ମଧ୍ୟରେ ରହିଛି, ‘କ୍ରମଶଃ’ (୧୯୬୭), ‘ଦେବୀପାଦ’ (୧୯୮୧), ‘ଅକାତକାତ’ (୧୯୯୫), ‘ଚିତ୍ର ନଦୀ’ (୨୦୦୨) ‘ଅସରନ୍ତି ଅଣସର’ (୨୦୦୬), ‘ଅଲଗା କୁହ’ (୨୦୦୭), ‘ଚିତ୍ର, ଚିତ୍ରକ, ଚିତ୍ରପେଡ଼ି’ (୨୦୦୯), ‘ଅକ୍ଷର ସେବା’ (୨୦୧୪), ‘ବାଙମୟ ବର୍ଣ୍ଣମାଳା’ (୨୦୧୬) ଓ ‘ଅଧାଅଧା ଅଲିମ୍ପିକ୍’ (୨୦୧୭)।

ତରୁଣ ବୟସରୁ କବିତା ‌ଲେଖିବା ପ୍ରତି ଆଗ୍ରହୀ ହୋଇଉଠିଥିବା ପ୍ରମୋଦ କୁମାରଙ୍କ କବିତାରେ ଜୀବନ ଓ ସମାଜର କଥା ପ୍ରତିଫଳିତ ହୋଇଥାଏ । ଅତି ସରଳ ଭାଷାରେ ଲିଖିତ ତାଙ୍କ କବିତା ସବୁ ଅନାୟାସରେ ପାଠକମାନଙ୍କ ମନକୁ ଛୁଇଁ ପାରେ। ବାଗଲପୁରସ୍ଥିତ ଅଳକା ହାଇସ୍କୁଲ୍‌ରୁ ମେଟ୍ରିକ୍‌ ପାସ୍‌ କରିବା ପରେ ସେ କଟକ ସହରସ୍ଥିତ ରେଭନେ୍‌ସା କଲେଜରେ ପାଠ ପଢ଼ିଥିଲେ। ଉଚ୍ଚଶିକ୍ଷା ପାଇଁ ଆଗ୍ରହ ଥିଲେ ବି ଅସୁବିଧା ହେତୁ ଚିନ୍ତାମଣି ବିଦ୍ୟାପୀଠରେ କିଛି କାଳ ଶିକ୍ଷକତା କରିଥିଲେ। ପରେ ସେ ମନୋବିଜ୍ଞାନରେ ସ୍ନାତକତ୍ତୋର ହାସଲ କରି ବାଙ୍କି କଲେଜରେ ଜଣେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ଶେଷରେ ୧୯୯୪ରେ ଭୁବନେଶ୍ବରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନରୁ ଶିଶୁ-ମନୋବିଜ୍ଞାନ ନିର୍ଦେଶନା-ଅଧ୍ୟାପକ ପଦରେ ଥାଇ ଅବସର ଗ୍ରହଣ କରିଥିଲେ।

କବିତା ସଙ୍କଳନ ବ୍ୟତୀତ ତାଙ୍କର କେତୋଟି ଗଦ୍ୟ ପୁସ୍ତକ ମଧ୍ୟ ରହିଛି। ସେସବୁ ମଧ୍ୟରେ ‘ପିଲାଙ୍କୁ କିପରି ମଣିଷ କରିବ’, ‘ସିଗ୍‌ମଣ୍ଡ୍‌ ଫ୍ରଏଡ୍‌: ଜୀବନୀ ଓ ମନସମୀକ୍ଷା ତତ୍ତ୍ବ’ ଏବଂ କୋଣାର୍କ ମନ୍ଦିର ଉପରେ ଏକ ପୁସ୍ତକ ଅନ୍ୟତମ।

ସମ୍ବନ୍ଧିତ ଖବର