ସାହିତ୍ୟ ଏକାଡେମି ପୁରସ୍କାର ବିଜେତା ବିଶିଷ୍ଟ ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କ ପରଲୋକ  

ଭୁବନେଶ୍ବର : ଓଡ଼ିଆ ଅନୁବାଦ ସାହିତ୍ୟର ଜଣାଶୁଣା ସ୍ରଷ୍ଟା ତଥା ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ  ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କର ଆଜି ୯୨ବର୍ଷ ବୟସରେ ପରଲୋକ ହୋଇଛି। ନିଜର ଅନୁବ‌ାଦ ଦକ୍ଷତା ବଳରେ ସେ ଭାରତୀୟ ସାହିତ୍ୟର ଅନେକ ଲୋକପ୍ରିୟ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଋଦ୍ଧିମନ୍ତ କରିଥିଲେ । ଏଥିସହ ବହୁ ଓଡ଼ିଆ ଗଳ୍ପକୁ ବଙ୍ଗଳା ଭାଷାକୁ ଅନୁବାଦ କରି ଓଡ଼ିଆ କଥା ସାହିତ୍ୟକୁ ପଡ଼ୋଶୀ ରାଜ୍ୟର ସାହିତ୍ୟ ପରିସରରେ ପରିଚିତ କରାଇଥିଲେ । ଦୀର୍ଘ ୫ ଦଶନ୍ଧିରୁ ଉର୍ଦ୍ଧ୍ବକାଳ ଧରି ସାରସ୍ବତ ସାଧନାରେ ନିଜକୁ ବ୍ୟାପୃତ ରଖିଥବା ସ୍ବର୍ଗତଃ ଦତ୍ତ ଭୁବନେଶ୍ବରରେ ବଡ଼ ଧରଣର ପୁସ୍ତକ ମେଳା ଆୟୋଜନ କରିବା ଦିଗରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ଯାଜପୁର ଜିଲ୍ଲାର ମହେଶ୍ୱରପୁରରେ ୧୯୨୮ ମସିହା ଡିସେମ୍ବର ୨୪ ତାରିଖରେ ଯୁଗଳ କିଶୋର ଦତ୍ତଙ୍କର ଜନ୍ମ । ପିତା ନଦୀୟା ଚାନ୍ଦ ଓ ମାତା କିରଣବାଳା। ସରକାରୀ ଚାକିରି କରି ସେ ଅବସର ଗ୍ରହଣ କରିଥିଲେ। କିନ୍ତୁ ତାଙ୍କର ଅବସର ଜୀବନ ମୁଖ୍ୟତଃ ଅନୁବାଦରେ ହିଁ ଅତିବାହିତ ହୋଇଥିଲା । ପ୍ରାୟ ୧୫୦ ବଙ୍ଗଳା ଉପନ୍ୟାସ ସେ ବଙ୍ଗଳାରୁ ଓଡ଼ିଆକୁ ଅନୁବାଦ କରିଛନ୍ତି। ଏଥିସହ ଅନେକ ଓଡ଼ିଆ ଗପ ବି ବଙ୍ଗଳାକୁ ଅନୁବାଦ କରିଛନ୍ତି ସେ।

ବିମଳ ମିତ୍ରଙ୍କ ସୁପ୍ରସିଦ୍ଧ ଉପନ୍ୟାସ ‘ଆସାମୀ ହାଜିର’ର ଓଡ଼ିଆ ଅନୁବାଦ ପାଇଁ ୧୯୯୭ରେ ଯୁଗଳ କିଶୋର ପାଇଥିଲେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର। ସେହି ବର୍ଷ ମଧ୍ୟ ବଙ୍ଗଳା ଉପନ୍ୟାସ ‘ଜନ ଗଣ ମନ’ର ଓଡ଼ିଆ ଅନୁବାଦ ପାଇଁ ସେ ପାଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର। ଗୋଟିଏ ବର୍ଷରେ ଓ ଗୋଟିଏ ବିଭାଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ଏକାଡେମି ପୁରସ୍କାର ପାଇବାରେ ସେ ଥିଲେ ଏକ ଓ ଅଦ୍ୱିତୀୟ। ତାଙ୍କର ବିୟୋଗରେ ଓଡ଼ିଶା ସାହିତ୍ୟ ପରିସରରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର