ସମ୍ବଲପୁର: ବିଜେଡି ପକ୍ଷରୁ ଜାରି ନିର୍ବାଚନୀ ଇସ୍ତାହାରରେ କୌଣସି ନୂତନତ୍ୱ ନାହିଁ। ଅନେକ ଜିନିଷରେ ବିଜେପିର ଇସ୍ତାହାରକୁ ନକଲ କରିବାର ଚେଷ୍ଟା କରାଯାଇଛି। ବିଜେଡି ଇସ୍ତାହାର କେବଳ ଏକ ପ୍ରହସନ ଓ ଫମ୍ପା ପ୍ରତିଶ୍ରୁତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଆଜି ଅକ୍ଷୟ ତୃତୀୟାରେ ସମ୍ବଲପୁର ସାପଲହରା ଗାଁରେ ଅଖିମୁଠି ଅନୁକୂଳ କରିବା ଅବସରରେ ବିଜେଡି ଇସ୍ତାହାର ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, ୨ ଲକ୍ଷ ଚାକରି ଦେବା କଥା ସେମାନେ ଇସ୍ତାହାରରେ କହିଛନ୍ତି। ୨୪ ବର୍ଷ ସରକାରରେ ରହିବା ପରେ ଏ ଯାଏଁ କାହିଁକି ରୋଜଗାର ଦେଲେନି? ରାଜ୍ୟରେ ୧ ଲକ୍ଷ ସରକାରୀ ପଦ ଖାଲି ଥିବା କଥା ବିଧାନସଭାରେ ସରକାରଙ୍କ ମନ୍ତ୍ରୀ ଉତ୍ତର ରଖିଛନ୍ତି। ଏସବୁ ପଦ ପୂରଣ କରିବାକୁ କିଏ ମନା କରିଥିଲା? ସରକାରୀ ପଦ ପୂରଣ ନକରି ଏବେ ଚାକିରି ଦେବେ ବୋଲି କହିବା ପ୍ରହସନ ବ୍ୟତୀତ ଅନ୍ୟ କିଛି ନୁହଁ।
ସେହିପରି ଯୁବକମାନଙ୍କ ପାଇଁ ବଜେଟ୍ ଆଣିବା କଥା ଇସ୍ତାହାରରେ କହାଯାଇଛି। ଏହା ପୂର୍ବରୁ ମହିଳା ବଜେଟ୍ ଓ କୃଷି ବଜେଟ୍ ଆଣିଥିଲେ। ଏନ୍ସିଆର୍ବିର ତଥ୍ୟ ଦେଖିଲେ ଓଡ଼ିଶାରେ ହିଁ ମହିଳାମାନେ ଅସୁରକ୍ଷିତ ଓ ଅତ୍ୟଧିକ ଅତ୍ୟାଚାରର ଶିକାର ହେଉଛନ୍ତି। ରାଜ୍ୟରେ ଜଳସେଚନର ସୁବିଧା ନଥିବା ବେଳେ ଶୀତଳଭଣ୍ଡାର ନାହିଁ। ଚାଷୀଙ୍କୁ ସାମାନ୍ୟତମ ସୁବିଧା ମିଳିପାରୁ ନାହିଁ। ବିଜେଡିର ଘୋଷଣାଗୁଡ଼ିକ କେବଳ ଲୋକ ଦେଖାଣିଆ। ବିଜେପି ସରକାର ଓଡ଼ିଶାରେ କ୍ଷମତାକୁ ଆସିଲେ କଟ୍ନି ଛଟ୍ନି ବନ୍ଦ କରିବା ସହ ଧାନର ଏମ୍ଏସ୍ପି ୨୧୮୩ ଟଙ୍କାରୁ ୩୧୦୦ ଟଙ୍କାକୁ ବୃଦ୍ଧି କରିବା ନେଇ ଘୋଷଣା କରିଛି। ଓଡ଼ିଶାରେ ଜଳସେଚନର ବ୍ୟବସ୍ଥା ନାହିଁ, ଶୀତଳଭଣ୍ଡାର ନାହିଁ, ଚାଷୀମାନେ ଅତ୍ୟନ୍ତ ଖରାପ ଅବସ୍ଥାରେ ଅଛନ୍ତି। ଏହାର ଉତ୍ତର ସେମାନେ ଦେବେ କି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/DGJGGJGJ-1.jpg)