ବାରମ୍ବାର ତାଗିଦ୍‌ ସତ୍ତ୍ବେ ଭିତ୍ତିଭୂମି ସଜାଡ଼ିଲେନି, ଶହେ କଲେଜକୁ କାରଣ ଦର୍ଶାଅ ନୋଟିସ୍‌

୩୦ରେ ହାଜର ହେବାକୁ ନିର୍ଦେଶ, ଖୋର୍ଧା ଜିଲ୍ଲାର ସର୍ବାଧିକ ୨୧ କଲେଜ

ଭୁବନେଶ୍ବର: ବାରମ୍ବାର ତାଗିଦ୍‌ କରାଗଲା। ଭିତ୍ତିଭୂମି ସଜାଡ଼ିବାକୁ ଚିଠି ଲେଖାଗଲା। ତଥାପି କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସୁଧୁରିଲେନି। ଭିତ୍ତିଭୂମି ସଜାଡ଼ିଲେନି କି ଅଧ୍ୟାପକ ପଦବି ପୂରଣ କଲେନି। ଯେଉଁଥିପାଇଁ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ରାଜ୍ୟର ଏପରି ଶହେ ଯୁକ୍ତ୨ କଲେଜକୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଚଳିତବର୍ଷ କାହିଁକି ନାମଲେଖା ବନ୍ଦ କରାଯିବ ନାହିଁ ବୋଲି ଉତ୍ତର ରଖିବାକୁ କୁହାଯାଇଛି। ମେ’ ୩୦ ତାରିଖରେ ନିର୍ଦ୍ଧାରିତ ସମୟରେ ଓପେପା ବିଲ୍‌ଡିଂରେ ସମସ୍ତ ଡକ୍ୟୁମେଣ୍ଟ ସହ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ନିକଟରେ ହାଜର ହେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କଡ଼ା ନିର୍ଦେଶ ଦିଆଯାଇଛି।

କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଥିବା ଶହେ ଯୁକ୍ତ କଲେଜ ମଧ୍ୟରୁ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୨୧ଟି କଲେଜ ରହିଛି। ଉକ୍ତ କଲେଜଗୁଡ଼ିକ ମୁଖ୍ୟତଃ ସେଲ୍‌ଫ ଫାଇନାନ୍ସିଂ କଲେଜ। ଖୋର୍ଧା ବ୍ୟତୀତ ଅନୁଗୁଳର ୪, କଟକ ୯, ଜଗତ୍‌ସିଂହପୁରର ୫, ବାଲେଶ୍ବର ୧୧, ମୟୂରଭଞ୍ଜ ୬, ନୟାଗଡ଼ ୩, କେନ୍ଦ୍ରାପଡ଼ା ୪, ଭଦ୍ରକ ୫, ବଲାଙ୍ଗୀର ୪, ଗଞ୍ଜାମ ୭, ପୁରୀ ୬, ସମ୍ବଲପୁର ୪, କେନ୍ଦୁଝର ୨, ସୋନପୁର ୨, କଳାହାଣ୍ଡି ୨ ଓ କୋରାପୁଟ, ନବରଙ୍ଗପୁର, ଦେବଗଡ଼, ବରଗଡ଼, ଯାଜପୁର ଜିଲ୍ଲାର ଗୋଟିଏ ଲେଖାଏ କଲେଜକୁ ନୋଟିସ ଜାରି ହୋଇଛି। କଲେଜଗୁଡ଼ିକ ଦୀର୍ଘବର୍ଷ ହେଲା ରାଜ୍ୟ ସରକାରଙ୍କଠାରୁ ଅସ୍ଥାୟୀ ସ୍ୱୀକୃତି ପାଇଥିଲେ। ସ୍ୱୀକୃତି ନେବା ସମୟରେ ସେମାନେ ସର୍ତ ରଖିଥିଲେ ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜସ୍ୱ ଜମି, ନିଜସ୍ୱ କୋଠା, ଯୋଗ୍ୟତାଧାରୀ ଅଧ୍ୟାପକଙ୍କୁ ନିଯୁକ୍ତି, ଛାତ୍ରଛାତ୍ରୀଙ୍କ ଲାଗି ଉପଯୁକ୍ତ ଲାଇବ୍ରେରି ଓ ଲାବୋରୋଟାରି ପ୍ରତିଷ୍ଠା କରିବେ। ହେଲେ ସମ୍ପୃକ୍ତ କଲେଜଗୁଡ଼ିକ ଏପର୍ଯ୍ୟନ୍ତ ଭିତ୍ତିଭୂମି ଠିକ୍‌ କରିପାରି ନାହାନ୍ତି।
ନୋଟିସ୍‌ ଜାରି ହୋଇଥିବା କଲେଜଗୁଡ଼ିକ ମଧ୍ୟରୁ ଅଧିକାଂଶ ସେଲ୍ଫ ଫାଇନାନ୍ସିଂ କଲେଜ ରହିଛି। କେତେକ ଘରୋଇ କଲେଜକୁ ମଧ୍ୟ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ନିର୍ଧାରିତ ସମୟରେ ଭିତ୍ତିଭୂମି ସଜାଡ଼ି ନ ଥିବାରୁ କାହିଁକି ସ୍ୱୀକୃତି ପ୍ରତ୍ୟାହାର କରା ନ ଯିବ? ନାମଲେଖା ଉପରେ କାହିଁକି ରୋକ ଲଗା ନ ହେବ?

ନିୟମ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ କଲେଜଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରାଯିବା ସମୟରେ ଉପଯୁକ୍ତ ଭିତ୍ତିଭୂମି, ନିଜସ୍ୱ ଘର, ଯୋଗ୍ୟତାପ୍ରାପ୍ତ ଅଧ୍ୟାପକ, ଲାଇବ୍ରେରି, ଲାବୋରୋଟାରି ଆଦି ଠିକ୍‌ ରହିବା ଆବଶ୍ୟକ। ଯେଉଁ କଲେଜଗୁଡ଼ିକର ଉପଯୁକ୍ତ ଭିତ୍ତିଭୂମି ନ ଥିବ ସେମାନେ ୭ ବର୍ଷ ମଧ୍ୟରେ ଭିତ୍ତିଭୂମି ସୁଦୃଢ଼ କରିବା ଆବଶ୍ୟକ। ନିଜସ୍ୱ ଜମି ଓ ବିଲ୍‌ଡିଂ ପ୍ରତିଷ୍ଠା କରି ସେଠାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ବାଧ୍ୟତାମୂଳକ। ଯଦି ନିର୍ଧାରିତ ସମୟ ମଧ୍ୟରେ କଲେଜଗୁଡ଼ିକ ସେମାନଙ୍କ ଭିତ୍ତିଭୂମି ଠିକ୍‌ ନ କରନ୍ତି ତେବେ ସ୍ୱୀକୃତି ପ୍ରତ୍ୟାହାର କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଏବେ ସାରା ରାଜ୍ୟରେ ୧୬୩୨ରୁ ଅଧିକ କଲେଜ ରହିଛି। ସେଥିମଧ୍ୟରୁ ଅଧିକାଂଶ କଲେଜର ଭିତ୍ତିଭୂମି ଠିକ୍‌ ନାହିଁ। କାହାର ନିଜସ୍ୱ ଜମି ନାହିଁ ତ ଆଉ କାହାର ଲାଇବ୍ରେରି, ଲାବୋରୋଟାରି ଖରାପ ହୋଇ ପଡ଼ିଛି। କେତେକ ସେଲ୍ଫ ଫାଇନାନ୍ସିଂ କଲେଜ ଏବେ ବି ଭଡ଼ା ଘରେ ଚାଲିଛି। ୨୦୧୧ଠାରୁ ରାଜ୍ୟ ସରକାରଙ୍କ ସ୍ୱୀକୃତି ପାଇଥିଲେ ମଧ୍ୟ ୧୫୦ରୁ ଅଧିକ କଲେଜ ଆଜି ପର୍ଯ୍ୟନ୍ତ ଭିତ୍ତିଭୂମି କରିପାରି ନାହାନ୍ତି। ଗତବର୍ଷ କିଛି କଲେଜକୁ କାରଣ ଦର୍ଶାଅ ରିପୋର୍ଟ ପଠାଯାଇଥିଲେ ମଧ୍ୟ ସେମାନେ ଭୁଆଁ ବୁଲାଇ ଦେଇଥିଲେ। ଏଥର ଶିକ୍ଷାବର୍ଷ ଆରମ୍ଭରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର