୭ ଶିଳ୍ପସଂସ୍ଥାକୁ ନୋଟିସ୍‌

ଧୂଳିଧୂଆଁ ଘେରରେ ପାରାଦୀପ ବନ୍ଦର

ପାରାଦୀପ:ପାରାଦୀପ ଏବେ ଧୂଳିଧୂଆଁ ଘେରରେ ରହିଛି। ବନ୍ଦର ମଧ୍ୟକୁ ପ୍ରବେଶ କରିବା ବି ମୁସ୍କିଲ୍‌ ହୋଇପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଶିଳ୍ପସଂସ୍ଥାକୁ ପାଣି ସିଞ୍ଚନ ପାଇଁ ଦାୟିତ୍ୱ ଦିଆଯାଇଥିଲା। ଏହି ଦାୟିତ୍ୱ ପୂରଣ ନ କରିବାରୁ ୭ ଶିଳ୍ପସଂସ୍ଥାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।

ସୂଚନା ଅନୁସାରେ, ପାରାଦୀପରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବର୍ତ୍ତମାନ ବାୟୁମଣ୍ଡଳ ଶୁଷ୍କ ରହିଥିବାରୁ ଏହାର ମାତ୍ରା ଅଧିକ ରହିଛି। ବିଶେଷକରି, ‘ଜିରୋ’ ପଏଣ୍ଟରୁ ଅଠରବାଙ୍କୀ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱ ଲୋକମାନଙ୍କ ପାଇଁ ଏକପ୍ରକାର ଅଭିଶାପ ପାଲଟିଛି। ପ୍ରତ୍ୟେକ ଦିନ ହଜାରହଜାର ସଂଖ୍ୟାରେ ଟ୍ରକ୍‌ ଲୁହା, କୋଇଲା ଓ ଅନ୍ୟାନ୍ୟ କଞ୍ଚା ମାଲ୍‌ ଧରି ବନ୍ଦର ମଧ୍ୟକୁ ପ୍ରବେଶ କରିବା ସମୟରେ ରାସ୍ତାରେ ସାଂଘାତିକ ଭାବେ ଧୂଳି ଉଡ଼ୁଛି।

ଏହାକୁ ଦୃଷ୍ଟିରେ ରଖି ନିକଟରେ ଗତମାସ ୧୫ ତାରିଖ ଦିନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ ରାସ୍ତା ଉପରେ ପାଣି ସିଞ୍ଚନ କରିବା ପାଇଁ ଶିଳ୍ପସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। କିଏ କେତେ ବାଟ ଯାଏଁ ପାଣି ସିଞ୍ଚନ କରିବ, ସେ ସମ୍ପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସବୁ ଶିଳ୍ପସଂସ୍ଥାକୁ ଲିଖିତ ଆକାରରେ ଜଣାଇ ଦିଆଯାଇଥିଲା।
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ମିଳିଥିବା ତଥ୍ୟ ଅନୁଯାୟୀ, ପାରାଦୀପ ବନ୍ଦର ନ୍ୟାସକୁ ଅଠରବାଙ୍କୀରୁ ବନ୍ଦର ଗେଟ୍‌-୩ ଓ ଗେଟ୍‌-୧ ରାସ୍ତାର ଉଭୟ ପାର୍ଶ୍ୱରେ ଦୈନିକ ୭ କିଲୋମିଟର ଯାଏଁ ପାଣି ସିଞ୍ଚବା ପାଇଁ କୁହାଯାଇଥିଲା। ସେହିପରି ଇଫ୍‌କୋକୁ ୧ କି.ମି, ଆଇଓସିଏଲକୁ ୧.୫ କି.ମି, ଏଏସ୍‌ଏସ୍‌ଆର ପାୱାର ଓ ଷ୍ଟିଲକୁ ୧ କି.ମି, ବିପିସିଏଲକୁ ୦.୮୫ କି.ମି ଓ ଏଚ୍‌ପିସିଏଲକୁ ମଧ୍ୟ ୦.୮୫କି.ମି ରାସ୍ତାର ଉଭୟ ପାର୍ଶ୍ୱରେ ପାଣି ସିଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ମାତ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀମାନେ ସ୍ଥିତି ଯାଞ୍ଚ କରିବା ସମୟରେ ଶିଳ୍ପସଂସ୍ଥା ଗୁଡ଼ିକ ନିଜ ଦାୟିତ୍ଵରେ ଖିଲାଫ କରିଥିବା ଜାଣିବାକୁ ପାଇଥିଲେ। ଫଳରେ, ଦାୟିତ୍ୱ ତୁଲାଇ ନ ଥିବା ଉପରୋକ୍ତ ୭ ଶିଳ୍ପସଂସ୍ଥାକୁ ପ୍ରଦୂଷଣ ବୋର୍ଡ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ତୁରନ୍ତ ଦିଆଯାଇଥିବା ନିର୍ଦ୍ଦେଶ ଗୁଡ଼ିକୁ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି।
ଏ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିତ ଅଧିକାରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ରାସ୍ତାରେ ପାଣି ସିଞ୍ଚିବା ପାଇଁ ଦିଆଯାଇଥିବା ଦାୟିତ୍ଵକୁ ଶିଳ୍ପ ସଂସ୍ଥା ଗୁଡ଼ିକ ଠିକ୍‌ ଭାବେ ପାଳନ କରୁନାହାନ୍ତି। ପିପିଏଲ୍‌ ଓ ଇଫ୍‌କୋ କେତେକାଂଶରେ ଏହି ନିର୍ଦ୍ଦେଶକୁ ପାଳନ କରିଛନ୍ତି। ମାତ୍ର, ଅନ୍ୟମାନେ ଏହାର ଖିଲାଫ କରିଛନ୍ତି। ଏ ନେଇ ସେମାନଙ୍କୁ ପୁଣିଥରେ ନୋଟିସ ଜାରି କରାଯିବା ସହ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି।

ସମ୍ବନ୍ଧିତ ଖବର