ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ କାର୍ଯ୍ୟାଳୟ ପରିସରରୁ ସୂଚନା ଅଧିକାର କର୍ମୀ ବିଶ୍ବମ୍ବର ପାତ୍ରଙ୍କୁ ଅପହରଣ ଘଟଣାରେ ରାଜ୍ୟ ପୁଲିସ ମୁଖ୍ୟାଳୟ ଏଚ୍‌ଆର୍‌ପିସି ପକ୍ଷରୁ ବ୍ରହ୍ମପୁର ଏସ୍‌.ପି ଓ ଜିଲ୍ଲା ଗୁଇନ୍ଦା ବିଭାଗକୁ ନୋଟିସ୍‌ କରାଯିବା ସହ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ନେଇ ରିପୋର୍ଟ ତଲବ କରିଛନ୍ତି। ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ମାନବାଧିକାର ସେଲ୍ ପକ୍ଷରୁ ଚିଠି ନଂ ୭୭୪୯/ଏଚ୍‌ଆର୍‌ପିସି/(ପିଟି),ତା:୨୧/୧୨/୨୦୨୨ ପ୍ରକାରେ ବ୍ରହ୍ମପୁର ଏସ୍‌.ପି ଓ ଜିଲ୍ଲା ଗୁଇନ୍ଦା ବିଭାଗକୁ ତଦନ୍ତ ପରେ କ'ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଜଣାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

Advertisment

ସୂଚନା ପ୍ରକାରେ, ଗତ ସେପ୍ଟେମ୍ବର ୧୯ ତାରିଖରେ ବିଶ୍ବମ୍ବର ଏକ ସୂଚନା ଅଧିକାର ପିଟିସନ୍‌ ଉପରେ ବିଡିଓଙ୍କ ଡାକରା ପାଇ ପ୍ରଥମ ଅପିଲ୍‌ର ଶୁଣାଣି ପାଇଁ ଯାଇଥିଲେ। ସେ ସମୟରେ ବିଡିଓଙ୍କ ପ୍ରରୋଚନା ଓ ଇଙ୍ଗିତରେ କୁସୁମୀ ଡବଲ୍ ମର୍ଡ଼ର ଘଟଣାରେ ଆଜୀବନ କାରାଦଣ୍ଡ ପାଇଥିବା ଏବଂ ଉଚ୍ଚ ନ୍ୟାୟାଳୟରୁ ଅପିଲ୍ ଜାମିନରେ ଆସିଥିବା ସିଏଚ. ବାଇରୀ ପାତ୍ର କିଛି ସହଯୋଗୀଙ୍କ ସହିତ ବ୍ଲକ୍‌ କାର୍ଯ୍ୟାଳୟ ପରିସରରୁ ବିଶ୍ବମ୍ବରଙ୍କୁ ଅପହରଣ କରି ନେଇ ଏକ ନିର୍ଜନ ଆମ୍ବତୋଟାରେ ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିଥିଲେ। ଏହି ଘଟଣାରେ କଟକ ଜିଲ୍ଲାର ଭଜମନ ବିଶ୍ବାଳ ନାମକ ଜଣେ ମାନବାଧିକାର କର୍ମୀ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଏଥିସହ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ, ଘରୋଇ ବିଭାଗ ସଚିବ, ମୁଖ୍ୟ ଶାସନସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଅଭିଯୋଗ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଓ ଦଣ୍ଡବିଧାନ ନିମନ୍ତେ ଦାବି କରିଥିଲେ।