ଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ଓଡ଼ିଶାରେ ଖାଲି ହୋଇଥିବା ୩ଟି ଆସନ ପାଇଁ ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାନସଭାର ରିଟର୍ଣ୍ଣିଂ ଅଫିସ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ସୂଚନାଯୋଗ୍ୟ, ନିର୍ବାଚନ କମିସନ୍ ଗତ ଗୁରୁବାର ଦିନ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ଜୁନ୍ ୧୦ ତାରିଖରେ ଓଡ଼ିଶା ସମେତ ୧୫ ରାଜ୍ୟରେ ୫୭ ରାଜ୍ୟସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଆସନ୍ତା ୨୪ରେ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ୩୧ ହେବ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ବୋଲି ସୂଚନା ଦିଆଯାଇଥିଲା।
ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ବିଜେଡିର ଏନ୍ ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଜୁଲାଇ ୧ ତାରିଖରେ ଶେଷ ହେଉଛି। ଏହି ତିନିଟି ଆସନ ପାଇଁ ନିର୍ବାଚନ ହେବ। ସଂଖ୍ୟା ଦୃଷ୍ଟିକୋଣରୁ ବିଜେଡିର ତିନି ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବାରେ କୌଣସି ସମସ୍ୟା ନାହିଁ। ବର୍ତ୍ତମାନ ରାଜ୍ୟସଭାରେ ବିଜେଡିର ୮ ଜଣ ସଭ୍ୟ ଥିଲା ବେଳେ ବିଜେପିର ଜଣେ ସଭ୍ୟ ଅଛନ୍ତି। ସୁବାସ ସିଂହ ଇସ୍ତଫା ଦେଲା ପରେ ଗୋଟିଏ ଆସନ ଖାଲି ପଡ଼ିଛି। ଏହି ଖାଲି ଆସନରେ ନିର୍ବାଚନ ପାଇଁ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜାରି ହେବ।
ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀ ରାଓ ୨୦୧୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଜୁଲାଇ ୧ ତାରିଖରେ ସମ୍ପୂର୍ଣ୍ଣ ୬ ବର୍ଷ କାର୍ଯ୍ୟକାଳ ଶେଷ କରିବେ। ଶ୍ରୀ ପାତ୍ର ୨୦୧୯ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ ୩ ବର୍ଷ ପ୍ରତିନିଧିତ୍ବ କରିଛନ୍ତି। ପ୍ରତାପ ଦେବ ବିଧାୟକ ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ଯେଉଁ ଆସନ ଖାଲି ପଡ଼ିଥିଲା, ସେଥିରେ ବିଜେଡି ଶ୍ରୀ ପାତ୍ରଙ୍କୁ ପ୍ରାର୍ଥୀ କରିଥିଲା। ତେଣୁ ଏହି ଆସନର କାର୍ଯ୍ୟକାଳ ୨୦୨୨ ଜୁଲାଇ ୧ ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର