ବ୍ୟାସକବି ଫକିର‌ମୋହନ ସମ୍ମାନ ପ୍ରଦାନରେ ଅନିୟମିତତା ମାମଲା: ସବୁ ପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରତିବର୍ଷ ପ୍ରଦାନ କରୁଥିବା ‘ବ୍ୟାସକବି ଫକିର‌ମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୦’ ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କିତ ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମାମଲାରେ ରାଜ୍ୟ ସଂସ୍କୃତି ବିଭାଗ କମିସନର ତଥା ସଚିବ, ନିର୍ଦ୍ଦେଶକ, ଉତ୍କଳ ସାହିତ୍ୟ ସମାଜ ଓ ପ୍ରଫେସର ଉଦୟନା‌ଥ ସାହୁଙ୍କୁ ହାଇକୋର୍ଟ ନୋଟିସ୍ ଜାରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସମ୍ମାନ ପାଇଁ ଅନ୍ୟତମ ଆଶାୟୀ ପ୍ରାର୍ଥୀ ପ୍ରଫେସର ଡକ୍ଟର ନୃସିଂହ ଷଡଙ୍ଗୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ‘ବ୍ୟାସକବି ଫକିର‌ମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୦’ ପାଇଁ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ୨୦୨୦, ଡିସେମ୍ବର ୧୮ରେ ପ୍ରାର୍ଥୀଙ୍କ ନିକଟରୁ ଦରଖାସ୍ତ ଆହ୍ବାନ କରିଥିଲେ। ଡକ୍ଟର ଷଡଙ୍ଗୀ ମଧ୍ୟ ଏଥିପାଇଁ ଆବେଦନ କରିଥିଲେ। ପରବର୍ତ୍ତୀ ସମୟରେ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି ଡକ୍ଟର ଷଡଙ୍ଗୀ ଦାୟର କରିଥିବା ଆବେଦନରେ ଉଲ୍ଲେଖ କରାଯାଇଛି ଯେ ୨୦୨୧, ଜୁଲାଇ ୨୦ରେ ଏହି ସମ୍ମାନ ଲାଗି ପ୍ରାର୍ଥୀ ଚୟନ ପାଇଁ ଚାରି ଜଣିଆ ବିଶେଷଜ୍ଞ କମିଟିର ବୈଠକ ବସିଥିଲା। ଏଥିରେ ସଦସ୍ୟ ଥିବା ସୀତାକାନ୍ତ ମହାପାତ୍ର, ରାମଚନ୍ଦ୍ର ବେହେରା, ସଂଘମିତ୍ରା ମିଶ୍ର, ପ୍ରଫେସର ରାଜକିଶୋର ମିଶ୍ର ବୈଠକରେ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ସୀତାକାନ୍ତ ମହାପାତ୍ର ଓ ରାମଚନ୍ଦ୍ର ‌େ‌ବହେରା କୌଣସି କାରଣରୁ ଏହି ଚୟନ ପ୍ରକ୍ରିୟାରୁ ଓହରି ଯାଇଥିଲେ। ଚାରି ଜଣିଆ କମିଟିର ପୁନର୍ଗଠନ କରାଯାଇଥିଲା। ଉଦୟନାଥ ସାହୁ ଓ ଅଲେଖଚନ୍ଦ୍ର ପଢିହାରୀଙ୍କୁ ଏହି କମିଟିରେ ସାମିଲ କରାଯାଇଥିଲା। ୨୦୨୧, ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୬ରେ ପ୍ରାର୍ଥୀ ଚୟନ କରିବାକୁ କମିଟିର ବୈଠକ ହୋଇଥିଲା ଓ ଏହି ପ୍ରସଂଗରେ ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଉପନୀତ ହୋଇଥିବା ନେଇ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲା। ମାତ୍ର ଏହି କମିଟିର ଅନ୍ୟତମ ସଦସ୍ୟ ରାଜକିଶୋର ମିଶ୍ରଙ୍କ ବିୟୋଗ ତଥା ସଂଘମିତ୍ରା ମିଶ୍ରଙ୍କ ବୈଠକରେ ଯୋଗଦେବା କ୍ଷେତ୍ରରେ ଅନିଚ୍ଛା ସତ୍ବେ ନିର୍ଦ୍ଦେଶକ ୪ଜଣ ବିଶେଷଜ୍ଞଙ୍କ ସ୍ଥାନରେ ଦୁଇ ଜଣ ସଦସ୍ୟ ଉଦୟନାଥ ସାହୁ ଓ ଅଲେଖଚନ୍ଦ୍ର ପଢିହାରୀଙ୍କୁ ନେଇ ୨୦୨୨, ଜାନୁଆରି ୧୯ରେ ଉତ୍କଳ ସାହିତ୍ୟ ସମାଜକୁ ଏହି ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଡକ୍ଟର ଷଡଙ୍ଗୀ କାଳେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଅନ୍ତରୀଣ ଆଦେଶ ଆଣି ଏହି ପୁରସ୍କାରକୁ ଅଟକାଇବେ ସେଥିପାଇଁ ଉତ୍କଳ ସାହିତ୍ୟ ସମାଜ ୨୦୨୨, ଜାନୁଆରି ୨୪ରେ ଆଗୁଆ କାଭିଏଟ ଦାୟର କରିଥିଲେ। ପୁରସ୍କାର ଚୟନ ପ୍ରକ୍ରିୟାର ପ୍ରକୃତ ରହସ୍ୟ ଜାଣିବା ପାଇଁ ଡକ୍ଟର ଷଡଙ୍ଗୀ ସଂସ୍କୃତି ବିଭାଗକୁ ୨୦୨୨, ଜାନୁଆରି ୨୫ରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ତେବେ ତାଙ୍କୁ ତଥ୍ୟ ମିଳି ନଥିଲା। ଏପ୍ରିଲ ୮ରେ ଡକ୍ଟର ଷଡଙ୍ଗୀ ଏହି ସମ୍ମାନ ପାଇଁ ଉତ୍କଳ ସାହିତ୍ୟ ସମାଜକୁ ଚୟନ କରାଯିବା କ୍ଷେତ୍ରରେ ଅନିୟମିତତା ଅଭିଯୋଗ କରି ହାଇକୋର୍ଟରେ ରିଟ୍ ପିଟିସନ ଦାୟର କରିଥିଲେ। ଅନ୍ୟପକ୍ଷରେ ସଂସ୍କୃତି ବିଭାଗ ଏହି ସମ୍ମାନ ଏପ୍ରିଲ ୧୯ରେ ଉତ୍କଳ ସାହିତ୍ୟ ସମାଜକୁ ପ୍ରଦାନ କରିଥିଲା।

ହାଇକୋର୍ଟରେ ଡକ୍ଟର ଷଡଙ୍ଗୀଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ଚାରି ଜଣ ସଦସ୍ୟଙ୍କ ସ୍ଥାନରେ ଦୁଇ ଜଣିଆ ବିଶେଷଜ୍ଞ କମିଟିକୁ ନେଇ ନିଆଯାଇଥିବା ନିଷ୍ପତ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏହି ଦୁଇ ବିଶେଷଜ୍ଞଙ୍କ ମଧ୍ୟରୁ ପ୍ରଫେସର ଉଦୟନାଥ ସାହୁ ଉତ୍କଳ ସାହିତ୍ୟ ସମାଜର ଆଜୀବନ ସଦସ୍ୟ ଥିବାରୁ ଉତ୍କଳ ସାହିତ୍ୟ ସମାଜ ସପକ୍ଷରେ ତାଙ୍କର ରାୟ ପ୍ରଭାବିତ ‌େହାଇଛି। ଏ କ୍ଷେତ୍ରରେ କରାଯାଇଥିବା ଚୟନ ପ୍ରକ୍ରିୟା ବୈଧ ନୁହେଁ। ତେଣୁ ଏହି ଚୟନ ପ୍ରକ୍ରିୟାକୁ ରଦ୍ଦ କରାଯାଉ ବୋଲି ଡକ୍ଟର ଷଡଙ୍ଗୀଙ୍କ ତରଫରୁ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର