କଟକ : ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା) ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଙ୍ଗରେ ରହିଥିବା ସମସ୍ୟାକୁ ନେଇ ଦାୟର ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମାମଲାରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହିତ ଓରେରା ସଚିବଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହିସମସ୍ୟାର ସମାଧାନ କିଭିଳି ଭାବେ ହୋଇପାରିବ, ସେ ନେଇ ଜବାବରେ ସ୍ପଷ୍ଟ କରିବାକୁ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୧କୁ ଧାର୍ଯ୍ୟ କରାଯାଇଛି।
ଓରେରାରେ ରୁଜୁ ମାମଲାରେ ପ୍ରଦାନ କରାଯାଉଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଙ୍ଗରେ ନିଷ୍କ୍ରିୟତା ଅଭିଯୋଗ ହୋଇଛି। ନିଜ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଓରେରାର ଆଇନ ଅନୁସାରେ କ୍ଷମତା ରହିଛି। କିନ୍ତୁ, ଏହି କ୍ଷମତା ଓରେରା ପ୍ରୟୋଗ ନ କରି ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଙ୍ଗକୁ ସିଭିଲ କୋର୍ଟକୁ ପଠାଇ ଦେଉଛନ୍ତି ବୋଲି ହାଇକୋର୍ଟରେ ଦାୟର ମାମଲାରେ ଦର୍ଶାଯାଇଛି। ଫଳରେ, ଓରେରା ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସିଭିଲ କୋର୍ଟରେ ମାମଲା ରୁଜୁ କରିବାକୁ ପଡ଼ୁଛି। ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ରିୟଲ ଇଷ୍ଟେଟ (ରେଗୁଲେସନ୍ ଆଣ୍ଡ ଡେଭେଲପମେଣ୍ଟ) ଆକ୍ଟ, ୨୦୧୬ ଆସିବାପରେ ରାଜ୍ୟ ସରକାର ଓରେରା ନିୟମାବଳୀ, ୨୦୧୭ ପ୍ରଣୟନ କରିଥିଲେ। ରେରା ଆଇନ ଅନୁସାରେ ଅଥରିଟି, ଆଡଜୁଟିକେଟିଂ ଅଫିସର ଓ ଆପିଲେଟ ଟ୍ରିବୁନାଲ ନିଜ ନିର୍ଦ୍ଦେଶ କାର୍ଯ୍ୟକାରୀ କରିପାରିବେ। କିନ୍ତୁ, ରାଜ୍ୟ ସରକାର ପ୍ରଣୟନ କରିଥିବା ନିୟମାବଳୀରେ କେମିତି ରେରା ଆଇନ ଅନୁସାରେ ଗଠିତ ଅଥରିଟି, ଆଡଜୁଟିକେଟିଂ ଅଫିସର ଓ ଆପିଲେଟ୍ ଟ୍ରିବୁନାଲ୍ ନିଜ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବେ ସେ ନେଇ କିଛି ବ୍ୟବସ୍ଥା କରାଯାଇ ନଥିଲା। ଏ ନେଇ ପୂର୍ବରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ପ୍ରସଙ୍ଗରେ ବିଚାର କରି ନିଷ୍ପତ୍ତି ନେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ୨୦୧୯ରେ ଏ ନେଇ ନିୟମାବଳୀରେ ସଂଶୋଧନ ଆଣିଥିଲେ। ଏଥିରେ ରେରା ଆଇନ ଅନୁସାରେ ଗଠିତ ଅଥରିଟି, ଆଡଜୁଟିକେଟିଂ ଅଫିସର ଓ ଆପିଲେଟ ଟ୍ରିବ୍ୟୁନାଲ ନିଜ ନିର୍ଦ୍ଦେଶ କେମିତି କାର୍ଯ୍ୟକାରୀ କରିବେ ତାହା ଉଲ୍ଲେଖ କରାଯାଇଥିଲା। ଆଇନଗତ କ୍ଷମତା ଓ ନିୟମ ଥିଲେ ମଧ୍ୟ ଓରେରା ନିଜ ନିର୍ଦ୍ଦେଶ ନିଜେ କାର୍ଯ୍ୟକାରୀ କରୁ ନାହାନ୍ତି। ଏପର୍ଯ୍ୟନ୍ତ ଓରେରା ନିଜର ଗୋଟିଏ ମଧ୍ୟ ନିର୍ଦ୍ଦେଶ କାର୍ଯ୍ୟକାରୀ କରିନାହାନ୍ତି ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।
ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଓ ଓରେରାଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀ ବିମଳେନ୍ଦୁ ପ୍ରଧାନଙ୍କ ତରଫରୁ ଆଇନଜୀବୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।