ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ : ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ସାଂସଦ ଚନ୍ଦ୍ରାଣୀ

ଟ୍ୱିଟ୍‌ ପାଇଁ ବୈଜୟନ୍ତଙ୍କ ବିରୋଧରେ ଏତଲା

ଭୁବନେଶ୍ୱର : ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ମୋତେ ମାନସିକ ନିର୍ଯାତନା ଦିଆଯାଉଛି। ବଦନାମ୍ କରିବା ପାଇଁ ଷଡ଼୍‌ଯନ୍ତ୍ର କରାଯାଉଛି।

ଏମିତି କିଛି ସାଂଘାତିକ ଅଭିଯୋଗ ଆଣି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଆଜି ଓଟିଭି ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଦେଇଛନ୍ତି।

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ତିନି ପୃଷ୍ଠାର ଏକ ଲମ୍ବା ଚିଠି ଲେଖି ଏ ସଂକ୍ରାନ୍ତରେ ଅଭିଯୋଗ ରଖିବା ସହିତ ଆବଶ୍ୟକ ହେଲେ ସ୍ବାଧିକାର ଭଙ୍ଗ କମିଟି ନିକଟରେ ସେ ସାକ୍ଷୀ ଭାବେ ହାଜର ହେବେ ବୋଲି ଜଣାଇଛନ୍ତି। ‌ସେ ଏହି ଭିଡିଓ ମଧ୍ୟ ଲୋକସଭାର ସେକ୍ରେଟାରି ଜେନେରାଲଙ୍କୁ ପଠାଇଛନ୍ତି।

ସାଂସଦ ଚନ୍ଦ୍ରାଣୀ ଚିଠିରେ ଲେଖିଛନ୍ତି ଯେ ଏହି ଘଟଣା ସଂପର୍କରେ ପୁଲିସ ତଦନ୍ତ କରି ଓଟିଭି ଜଣେ ସାମ୍ବାଦିକଙ୍କ ସହିତ ଅନ୍ୟମାନଙ୍କୁ ଗିରଫ କରିଥିଲା। ଓଟିଭିର ସାମ୍ବାଦିକ ରମେଶ ରଥ ଏହି ଘଟଣାର ମୁଖ୍ୟ ଷଡ୍‌ଯନ୍ତ୍ରକାରୀ। କିନ୍ତୁ ଯେତେବେଳେ ତାଙ୍କୁ ପୁଲିସ ଗତ ୧୫ ତାରିଖଦିନ ଜେରା କଲା, ସେତେବେଳେ ସତ୍ୟକୁ ବଦଳାଇବାକୁ ଉଦ୍ୟମ କରାଯାଉଛି। ଅକ୍ଟୋବର ୧୫ ପରଠାରୁ ଓଟିଭିରେ ବିଭ୍ରାନ୍ତିକର ଖବର ପରିବେଷଣ କରାଯାଉଛି। ଏକଥା ବି ପ୍ରସାରଣ କରାଯାଉଛି ଯେ ଅଶ୍ଳୀଳ ଭିଡିଓ ମାମଲାରେ ନୁ‌ହେଁ, ବରଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରକାଶ କରିଥିବା ଖବର ପାଇ ତାଙ୍କୁ ପୁଲିସ ପଚରାଉଚରା କରୁଛି।

ଏହାକୁ ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରି ଚନ୍ଦ୍ରାଣୀ କହିଛନ୍ତି ଯେ ଲୋକସଭା ସାଂସଦ ଭାବେ ଏହା ତାଙ୍କର ସ୍ବାଧିକାରକୁ ଉଲ୍ଲଂଘନ କରୁଛି। ତଦନ୍ତକୁ ଦିଗହରା କରି ନ୍ୟାୟ ଦେବା ପ୍ରକ୍ରିୟାରୁ ବଞ୍ଚିତ କରାଯାଇପାରେ ବୋଲି ମନ୍ଦ ଉଦ୍ଦେଶ୍ୟ ଥିବା ଜଣାପଡୁଛି।

ସାଂସଦ ଚିଠିରେ ବାଚସ୍ପତିଙ୍କଠାରୁ ସୁରକ୍ଷା ମାଗିବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଓଟିଭି ତାଙ୍କ ସାମ୍ବାଦିକକୁ ସୁରକ୍ଷା ଦେବା ଲାଗି ଏଭଳି ଅସତ୍ୟ ଖବର ପ୍ରସାରଣରୁ ବିରତ ରହିବା ଲାଗି ନିର୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି।

ଭାରତର ସର୍ବକନିଷ୍ଠ ସାଂସଦ ତଥା ଜଣେ ଆଦିବାସୀ ମହିଳା ଭାବେ ସଂସଦରେ ସେ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି ବୋଲି ଦର୍ଶାଇ ଚନ୍ଦ୍ରାଣୀ କହିଛନ୍ତି ଯେ ଏହି ଘଟଣାରୁ ଭାରତରେ ନାରୀମାନଙ୍କର ସ୍ଥାନ କେଉଁଠି ତାହା ଅନୁମାନ କରାଯାଇପାରେ।

ଟ୍ୱିଟ୍‌ ପାଇଁ ବୈଜୟନ୍ତଙ୍କ ବିରୋଧରେ ଏତଲା
ଭୁବନେଶ୍ୱର : ଏକ ବିବାଦୀୟ ଟ୍ବିଟ୍‌ରେ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା ପ୍ରସଙ୍ଗରେ ଆଜି ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଡୁଆ ବଢ଼ିଛି। ଯୁବ ଅଭିଯାନ ଓଡ଼ିଶା ପକ୍ଷରୁ ଅମୀୟ ପାଣ୍ଡବ ଓ ପାର୍ଥସାରଥି ଜେନାଙ୍କ ସମେତ ଅନ୍ୟ କର୍ମୀମାନେ ଏ ନେଇ ଆଜି କ୍ୟାପିଟାଲ୍‌ ଥାନାରେ ଏତଲା ଦେଇଛନ୍ତି। ଏଥିରେ କୁହାଯାଇଛି, ବୈଜୟନ୍ତଙ୍କ ଟ୍ବିଟ୍‌ କୋଟି କୋଟି ଓଡ଼ିଆଙ୍କ ଭାବପ୍ରବଣତାକୁ ଆଘାତ ଦେଇଛି ଓ ଏହା ଦେଶକୁ ଅପମାନ। ଏହାକୁ ଦେଶବାସୀ କ୍ଷମା କରିପାରିବେ ନାହିଁ। ଏଣୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ସମ୍ବନ୍ଧିତ ଖବର