୧୫ଟି କଲେଜକୁ କାରଣ ଦର୍ଶାଅ ନୋଟିସ୍‌

୪ ଥର ସୁଯୋଗ ଦିଆଗଲା, ତଥାପି +୩ରେ ପିଲା ହେଲେନି

ଭୁବନେଶ୍ୱର: ଇଞ୍ଜିନିୟରିଂ, ଏମ୍‌ବିଏ, ଏମ୍‌ସିଏ ପରି ପାଠ୍ୟକ୍ରମରେ ସିଟ୍‌ ଖାଲି ପଡ଼ୁଥିବା ବେଳେ ଏବେ ସାଧାରଣ ପାଠ୍ୟକ୍ରମରୁ ମୁହଁ ମୋଡ଼ୁଛନ୍ତି ଛାତ୍ରଛାତ୍ରୀ। ଉଚ୍ଚଶିକ୍ଷା ପାଇଁ ଯୁକ୍ତ୩ କଲେଜରେ ପଢ଼ିବା ପାଇଁ ଆଗ୍ରହ ଦେଖାଉନାହାନ୍ତି ପିଲା। ଯେଉଁଥିପାଇଁ ୨୦୧୮-୧୯ ଶିକ୍ଷାବର୍ଷରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ହଜାର ହଜାର ସିଟ୍‌ ଖାଲି ପଡ଼ିଛି। ୪ଟି ପର୍ଯ୍ୟାୟରେ ନାମଲେଖା ପରେ କଳା ଓ ବିଜ୍ଞାନ ଅପେକ୍ଷା ବାଣିଜ୍ୟ ବିଭାଗରେ ଛାତ୍ରଛାତ୍ରୀଙ୍କ ମରୁଡ଼ି ହୋଇଯାଇଛି। ପିଲା ହେଉ ନ ଥିବାରୁ କେତେକ କଲେଜରେ ବାଣିଜ୍ୟ ପାଠ୍ୟକ୍ରମରେ ତାଲା ପଢ଼ିବାକୁ ଯୋଜନା ପ୍ରସ୍ତୁତ କରିଛି ଉଚ୍ଚଶିକ୍ଷା ବିଭାଗ।

ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍‌ ଥିବାରୁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଶିକ୍ଷା ନିର୍ଦେଶାଳୟ ଅଧୀନରେ ଥିବା ୧୦ଟି ଜିଲ୍ଲାର ୧୫ଟି କଲେଜକୁ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଛି। ନିର୍ଦ୍ଦିଷ୍ଟ ବିଭାଗରେ କାହିଁକି ପିଲା କମିଲେ ତାହାର ଜବାବ ଦେବାକୁ କୁହାଯାଇଛି। ୭ ଦିନ ମଧ୍ୟରେ ନୋଟିସ୍‌ର ଉତ୍ତର ଦେବାକୁ ୧୪ଟି କଲେଜକୁ କୁହାଯାଇଥିବା ବେଳେ ଗୋଟିଏ କଲେଜକୁ ଜବାବ ଦେବା ପାଇଁ କୌଣସି ସମୟ ସୀମା ଦିଆଯାଇନି। ଯେଉଁ କଲେଜଗୁଡ଼ିକୁ ନୋଟିସ୍‌ ଜାରି ହୋଇଛି ସେଥିରେ ସମ୍ପୃକ୍ତ ବିଭାଗରେ ୧୦ଜଣରୁ କମ୍‌ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଜାରି ହୋଇଥିବା ନୋଟିସ୍‌ରେ କୁହାଯାଇଛି ଓଡ଼ିଶା ଶିକ୍ଷା ଆଇନ ୧୯୬୯ର ଧାରା ୧୧(୨)ରେ ସର୍ବନିମ୍ନ ଛାତ୍ରଛାତ୍ରୀ ନାମ ଲେଖାଇବାରେ ବିଫଳ ହୋଇଛନ୍ତି। କ’ଣ ପାଇଁ ସମ୍ପୃକ୍ତ ବିଭାଗରେ ପିଲା କମିଲେ ୭ ଦିନ ମଧ୍ୟରେ ଉତ୍ତର ଦିଅ। ଏଥିସହ ଶିକ୍ଷା ଅଧିକାର ଆଇନ ୧୯୬୯ର ସେକ୍ସନ-୬-ବି(ଡି) ଅନୁଯାୟୀ ସହବନ୍ଧନ କାହିଁକି ପ୍ରତ୍ୟାହାର କରାଯିବ ନାହିଁ ବୋଲି ପ୍ରଶ୍ନ କରାଯାଇଛି। ନୋଟିସ୍‌ ଜାରି ହୋଇଥିବା କଲେଜ ତାଲିକାରେ ଭୁବନେଶ୍ୱରର ଅଧିକାଂଶ ସେଲ୍ଫ ଫାଇନାନ୍ସିଂ କଲେଜ ରହିଛି। ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ନୋଟିସ୍‌ ଜାରି ହୋଇଥିବା କଲେଗୁଡ଼ିକ ମଧ୍ୟରେ ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳର ନିଗମାନନନ୍ଦ ମହିଳା ଡିଗ୍ରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ମାତ୍ର ୬ ଜଣ ନାମ ଲେଖାଇଛନ୍ତି। ସେହିପରି ଭୁବନେଶ୍ୱର ଜୁପିଟର ଡିଗ୍ର୍ରି କଲେଜର ବାଣିଜ୍ୟ ବିଭାଗରେ ୪, ଗୌରବ କଲେଜ ଅଫ୍‌ କମର୍ସ ସାଇନ୍ସ ଆଣ୍ଡ ମ୍ୟାନେଜ୍‌ମେଣ୍ଟର ବାଣିଜ୍ୟ ବିଭାଗରେ ୩, ଏଏସ୍‌ବିଏମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପ୍ରଫେସନାଲ ଷ୍ଟଡିସ୍‌ର ବାଣିଜ୍ୟ ବିଭାଗରେ ୮, କେନ୍ଦ୍ରାପଡ଼ା ଜିଲ୍ଲା ତୁଳସୀ ମହିଳା ଡିଗ୍ରି କଲେଜର ବାଣିଜ୍ୟ ବିଭାଗରେ ୬, ଭୁବନେଶ୍ୱର ସାମନ୍ତରାୟପୁରସ୍ଥିତ କଳିଙ୍ଗ କଲେଜ ଅଫ୍‌ କମର୍ସର କଳା ବିଭାଗରେ ୪ ଜଣ ଓ ବିଜ୍ଞାନ ବିଭାଗରେ ୩ ଜଣ ନାମ ଲେଖାଇଛନ୍ତି। ପୁରୀ ଜିଲ୍ଲା ପିପିଲିଠାରେ ଦିବ୍ୟାଙ୍ଗଙ୍କ ପାଇଁ ଥିବା ପ୍ରାଚୀ ମହାବିଦ୍ୟାଳୟର କଳାରେ ୪ ଓ ବିଜ୍ଞାନ ବିଭାଗରେ କେହି ନାମ ଲେଖାଇନାହାନ୍ତି। ଢ଼େଙ୍କାନାଳସ୍ଥିତ ଆଞ୍ଚଳିକ ଡିଗ୍ରି ମହାବିଦ୍ୟାଳୟର ବାଣିଜ୍ୟରେ ୫, କଟକ ଜଗତ୍‌ପୁରସ୍ଥିତ ରେସ୍‌ମା ସାଇନ୍ସ ଡିଗ୍ରି କଲେଜର ବିଜ୍ଞାନ ବିଭାଗରେ ୭, ଭୁବନେଶ୍ୱର ମହୁରାସ୍ଥିତ ଓଡ଼ିଶା ସାଇନ୍ସ ଏକାଡେମିର ଯୁକ୍ତ୩ ବିଜ୍ଞାନରେ ୬, ଖୋର୍ଧା ହଳିଦିଆ ଡିଗ୍ରି କଲେଜର ବିଜ୍ଞାନ ବିଭାଗରେ ୮, କଟକ ଆଠଗଡ଼ସ୍ଥିତ ଧବଳେଶ୍ୱର ଡିଗ୍ରି କଲେଜର ବାଣିଜ୍ୟ ବିଭାଗରେ ୮, ଢ଼େଙ୍କାନାଳ ଇଭିନିଂ ଡିଗ୍ରି କଲେଜର ବାଣିଜ୍ୟରେ ୩, ଢ଼େଙ୍କାନାଳ ମହିମା ଡିଗ୍ରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ମାତ୍ର ୬ ଜଣ ପିଲା ନାମ ଲେଖାଇଛନ୍ତି। ନୟାଗଡ଼ ମଡେଲ୍‌ ଡିଗ୍ରି କଲେଜକୁ କୌଣସି ସମୟ ସୀମା ଦିଆଯାଇ ନାହିଁ। ବରଂ କୁହାଯାଇଛି ଯେ କଲେଜର ବାଣିଜ୍ୟ ବିଭାଗ ପାଇଁ ୮୦ଟି ସିଟ୍‌ ମଞ୍ଜୁର ହୋାଇଛି। କେଉଁ ପରିସ୍ଥିତିରେ ମାତ୍ର ୯ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ନାମ ଲେଖାଇଛନ୍ତି ତାହାର ଉତ୍ତର ଦେବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର