ମହାପ୍ରଭୁ ଅଖିଆ, ଅପୂଜା ରହିବା ଘଟଣା : ୧୮ ସେବକଙ୍କୁ ନୋଟିସ୍‌

ପୁରୀ : ପୁଲିସ-ଭିତରଚ୍ଛ ଗଣ୍ଡଗୋଳକୁ କେନ୍ଦ୍ର କରି ଡିସେମ୍ବର ୨୮ ତାରିଖରେ ଶ୍ରୀମନ୍ଦିରରେ ନୀତି ବିଶୃଙ୍ଖଳା ଓ ମହାପ୍ରଭୁଙ୍କୁ ଦୀର୍ଘ ୧୪ ଘଣ୍ଟା କାଳ ଅଖିଆ, ଅପୂଜା ରଖିଥିବା ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍‌ ଜାରି କରିଛି। ତେବେ ଏହି ନୋଟିସ୍‌ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ଦିଷ୍ଟ ନୁହେଁ, ଏ ବାବଦରେ ୧୮ ଜଣ ସେବକଙ୍କର ମତାମତ ଲୋଡା ଯାଇଥିବା ଶ୍ରୀମନ୍ଦିର ଲୋକସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ଗତ ୨୮ ତାରିଖ ବିଶୃଙ୍ଖଳା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରଫିଟା ନୀତି ଓ ଅନ୍ୟ ନୀତି ସହିତ ସଂପୃକ୍ତ ୧୮ ଜଣ ‌ସେବକଙ୍କୁ ନୋଟିସ ଜାରି କରିଛି। ଭିତରଚ୍ଛଙ୍କ ସମେତ ୫ ଜଣ ଦ୍ବାରଫିଟା ପାଳିଆ ସେବାୟତ ଓ ୧୩ ଜଣ ଧୂଳିଆ ସେବାୟତଙ୍କଠାରୁ ଏ ନେଇ ମତାମତ ଲୋଡାଯାଇଛି। କେଉଁ କାରଣରୁ ମହାପ୍ରଭୁଙ୍କ ସେବାପୂଜା‌ ବନ୍ଦ ହେଲା ସେ ସଂପର୍କରେ ଆସନ୍ତା ୭ ଦିନ ଭିତରେ ଜଣାଇବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୭ ତାରିଖରେ ଭିତରଚ୍ଛ ସେବକ ଭବାନୀ ମହାପାତ୍ର ଓ ପୁଲିସ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏହି ଘଟଣାକୁ ନେଇ ଭିତରଚ୍ଛ ସେବକ ଶ୍ରୀମନ୍ଦିର ଜୟ ବିଜୟ ଦ୍ବାର ଖୋଲିନଥିଲେ। ଫଳରେ ମହାପ୍ରଭୁ ପ୍ରାୟ ୧୪ ଘଣ୍ଟା କାଳ ଅପୂଜା, ଅଖିଆ ରହିଥିଲେ।

ସମ୍ବନ୍ଧିତ ଖବର