ଅନୁଗୁଳ : ଗ୍ରାମାଚଂଳରେ ବିଗୁଡୁଛି ସ୍ବାସ୍ଥ୍ୟ ସେବା। କାମରେ ଅବହେଳା କରୁଛନ୍ତି ସରକାରୀ ଡାକ୍ତର। ଛୁଟି ନ ନେଇ ନିଜ ଘର କାମରେ ବ୍ୟସ୍ତ ରହୁଛନ୍ତି। ଏପଟେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଡାକ୍ତରଖାନାରୁ ନିରାଶ ହୋଇ ଫେରୁଛନ୍ତି। ଏଭଳି ସ୍ଥିିତି ଦେଖି ହତବାକ ହୋଇଯାଇଛନ୍ତି ସିଡିଏମ୍ଓ ଡାକ୍ତର ପ୍ରତାପ ବେହେରା। ବିନା ଛୁଟିରେ ଡାକ୍ତରଖାନାରେ ଅନୁପସ୍ଥିତ ଥିବା ୩ ଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବ ସହ ଦରମା ବନ୍ଦ କରାଯିବ ବୋଲି ସିଡିଏମ୍‌ଓ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Advertisment

ଶନିବାର ସିଡିଏମ୍ଓଙ୍କ ପାଳଲହଡ଼ା ଗସ୍ତ କାର୍ଯ୍ୟକ୍ରମ ଥିଲା। କାର୍ଯ୍ୟାଳୟରୁ ବାହାରିବା ବେଳେ ଜଣେ ରୋଗୀଙ୍କ ସଂପର୍କୀୟଙ୍କ ଫୋନ୍‌ ଆସିଥିଲା। ଆଠମଲ୍ଲିକ ଉପଖଣ୍ଡ ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କେହି ଡାକ୍ତର ନଥିବା ଅଭିଯୋଗ ମିଳିଥିଲା। ସିଡିଏମଓ ଡାକ୍ତର ବେହେରା ପାଳଲହଡ଼ା ଯିବା ପରିବର୍ତ୍ତେ ସଂଗେସଂଗେ ମାଧପୁର ଅଭିମୁଖେ ବାହାରିଥିଲେ। ସତକୁ ସତ ସେଠାରେ ୩ ଜଣ ଡାକ୍ତରଙ୍କ ମଧ୍ୟରୁ ୨ ଜଣ ଏମ୍‌ବିବିଏସ୍‌ ଡାକ୍ତର ଛୁଟି ଦରଖାସ୍ତ ନଦେଇ ଅନୁପସ୍ଥିତ ରହିଥିଲେ। କେବଳ ଜଣେ ଆୟୁଷ ଡାକ୍ତର ସେଠାରେ କାର୍ଯ୍ୟରତ ଥିଲେ। ଏପଟେ ଚିକିତ୍ସା ଆଶାରେ ବହୁ ସଂଖ୍ୟାରେ ରୋଗୀ ଏଠାକୁ ଆସିଥିଲେ। ସିଡିଏମ୍ଓ ଶ୍ରୀ ବେହେରା ଦୁଇ ଜଣ ଡାକ୍ତରଙ୍କ ଅନୁପସ୍ଥିତ ଉପସ୍ଥାନ ଖାତାରେ ଦର୍ଶାଇବା ସହ ଡାକ୍ତରଖାନା କର୍ମଚାରୀଙ୍କୁ ସେମାନଙ୍କ ଦରମା ବିଲ୍ ପ୍ରସ୍ତୁତ ନ କରିବାକୁ ନିର୍ଦେଶ ଦେଇଥିଲେ। ମାଧପୁରରୁ ସିଡିଏମ୍‌ଓ ପତାକା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ନୂଆ) ପରିଦର୍ଶନରେ ଯିବା ବେଳେ ସମାନ ସ୍ଥିତି ଦେଖିବାକୁ ପାଇଥିଲେ। ସେଠାରେ ଜଣେ ଡାକ୍ତର ନିଯୁକ୍ତି ପାଇଛନ୍ତି। ମାତ୍ର ସେ ବି ସ୍ବାସ୍ଥ୍ୟକେନ୍ଦ୍ରରେ ଛୁଟି ନ ନେଇ ଅନୁପସ୍ଥିତ ଥିଲେ। ଏହା ପରେ ଡାକ୍ତର ବେହେରା ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନା, ଠାକୁରଗଡ଼ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ବେଳେ ବି ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ପାଇଥିଲେ। ଠାକୁରଗଡ଼ରେ ବହୁ ଦିନ ହେଲା ଡାକ୍ତର ପଦ ଖାଲି ପଡ଼ିଛି। ଏ ସଂକ୍ରାନ୍ତରେ ଡାକ୍ତର ବେହେରାଙ୍କୁ ପଚାରିବାରୁ ଆଜି ଛୁଟି ଥିବାରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ପାରି ନାହିଁ। ଚିଠି ପ୍ରସ୍ତୁତ ହୋଇ ସାରିଛି। ଆସନ୍ତାକାଲି ମାଧପୁରର ୨ ଜଣ ଓ ପତାକାର ଜଣେ ଡାକ୍ତରଙ୍କୁ ସେମାନଙ୍କ ଅନୁପସ୍ଥିତି ସଂକ୍ରାନ୍ତରେ ନୋଟିସ ଦିଆଯିବ ଏବଂ ଦରମା ବନ୍ଦ କରାଯିବ ବୋଲି ‘ସମ୍ବାଦ’କୁ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାର ଅଧିକାଂଶ ଗ୍ରାମାଂଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି। ଡାକ୍ତରମାନେ ନିଜ ମନ ଇଚ୍ଛା ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି। ବହୁ ଡାକ୍ତରଖାନାରେ ପୁଣି ଡାକ୍ତର ପଦ ଖାଲି ପଡ଼ିଛି। ଏଭଳି ସ୍ଥିତିରେ ‌ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଂଚିତ ହେଉଛନ୍ତି।