୩୫ ବିଧାୟକଙ୍କୁ କ୍ବାର୍ଟର୍ସ ଛାଡ଼ିବାକୁ ନୋଟିସ୍: କେବେ ସୁଦ୍ଧା ଛାଡ଼ିବେ କଣ୍ଟ ଦିଆଯାଇନି

ଭୁବନେଶ୍ବର: ବିଧାୟକମାନେ ଗୋଟିଏ ଜାଗାରେ ଏକାଠି ରହିବେ। ଏଥିପାଇଁ ବିଧାନସଭା ସଚିବାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଧାନସଭା ନୂଆ ଅତିଥି ଭବନଠାରୁ କମିସନରେଟ୍‌ ପୁଲିସ ମୁଖ୍ୟାଳୟ ପର୍ଯ୍ୟନ୍ତ ୟୁନିଟ-୪ରେ ଥିବା ବିଧାୟକ କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗି ବହୁତଳ କୋଠା ନିର୍ମାଣ କରାଯିବ। ତେଣୁ ଏଠାରେ ଥିବା ୩୫ଜଣ ମନ୍ତ୍ରୀ/ବିଧାୟକ ଏବଂ ଅନ୍ୟ ୪ଜଣଙ୍କୁ କ୍ବାର୍ଟର୍ସ ଛାଡ଼ିବାକୁ ବିଧାନସଭା ସଚିବାଳୟ ପକ୍ଷରୁ ନୋଟିସ୍ ହୋଇଛି। ହେଲେ କେବେ ସୁଦ୍ଧା କ୍ବାର୍ଟର୍ସ ଛାଡ଼ିବେ, ସେନେଇ କଣ୍ଟ ଦିଆଯାଇନି।

ମିଳିଥିବା ସୂଚନା ଅନୁଯାୟୀ, ଏଠାରେ କ୍ବାର୍ଟର୍ସ ଛାଡ଼ିବାକୁ ଥିବା ନୂଆ ବିଧାୟକମାନଙ୍କୁ ଏମ୍‌ଏଲ୍‌ଏ କଲୋନିରେ ଥିବା ଡି- ବ୍ଲକରେ ଖାଲି ଥିବା କ୍ବାର୍ଟର୍ସ ପ୍ରଦାନ କରାଯିବ। ମନ୍ତ୍ରୀ ଓ ବରିଷ୍ଠ ବିଧାୟକମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କ୍ବାର୍ଟର୍ସ ଆବଣ୍ଟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କ୍ବାର୍ଟର୍ସ ଛାଡ଼ିବାକୁ ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂ, ଟୁକୁନି ସାହୁଙ୍କ ସମେତ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କୁ ନୋଟିସ୍ କରାଯାଇଛି। ସେହିପରି ବିଧାୟକଙ୍କ ମଧ୍ୟରେ ବ୍ୟୋମକେଶ ରାୟ, ପ୍ରଶାନ୍ତ ଜଗଦେବ, କେ. ନାରାୟଣ ରାଓ, ଶ୍ରୀକାନ୍ତ ସାହୁ, ଲକ୍ଷ୍ମଣ ମୁଣ୍ଡା, ରୀତା ସାହୁ, ପ୍ରୀତିରଞ୍ଜନ ଘଡ଼େଇ, ପ୍ରଶାନ୍ତ ବେହେରା, ସୁବାସ ପାଣିଗ୍ରାହୀ, ଭାଗୀରଥି ସେଠୀ, ଭାସ୍କର ମଢ଼େଇ, ସତ୍ୟନାରାୟଣ ପ୍ରଧାନ, ସୁଶାନ୍ତ କୁମାର ରାଉତ, ରମେଶ ଚନ୍ଦ୍ର ଜେନା, ଦାଶରଥୀ ଗମାଙ୍ଗ, ବାସନ୍ତୀ ହେମ୍ବ୍ରମ, ବିଷ୍ଣୁ ସେଠୀ, ମଞ୍ଜୁଳା ସ୍ୱାଇଁ, ଧ୍ରୁବ ସାହୁ, ସୁବାସ ଚନ୍ଦ୍ର ବେହେରା, ସୂର୍ଯ୍ୟମଣି ବୈଦ୍ୟ, ମୀନାକ୍ଷୀ ମହାନ୍ତ, ରମେଶ ଚନ୍ଦ୍ର ସାଏ, ସୁନନ୍ଦା ଦାସ, ସଞ୍ଜୀବ କୁମାର ମଲ୍ଲିକ, ଜୟନ୍ତ ଷଡ଼ଙ୍ଗୀ, ସାଲୁଗା ପ୍ରଧାନ, ସୁଧୀର କୁମାର ସାମଲ, ଅଧିରାଜ ମୋହନ ପାଣିଗ୍ରାହୀ, ସୌଭିକ ବିଶ୍ୱାଳ ଓ ରଘୁରାମ ପଡ଼ାଲ ପ୍ରମୁଖ। ସେହିପରି ବାକି ୪ଜଣଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ମାର୍ଶଲ ଦେବାଶିଷ ପ୍ରଧାନ, ଆର.ସି. ପଣ୍ଡା ପ୍ରମୁଖଙ୍କୁ କ୍ବାର୍ଟର୍ସ ଛାଡ଼ିବାକୁ କୁହାଯାଇଛି।

ବିଧାନସଭା ସଚିବାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରତିନିଧିମାନଙ୍କୁ ସମ୍ମାନ ଜଣାଇ ‌କ୍ବାର୍ଟର୍ସ ଛାଡ଼ିବାକୁ କିଛି କଣ୍ଟ ଦିଆଯାଇନି। ସେମାନେ ଯେତେ ଜଲ୍‌ଦି ଛାଡ଼ିବେ, ସେତେ ଶୀଘ୍ର କାମ ଆରମ୍ଭ ହେବ। ସୂଚନାଯୋଗ୍ୟ, ସରକାର ପ୍ରାୟ ୟୁନିଟ-୪ରେ ବହୁତଳ ପ୍ରାସାଦ ବିଶିଷ୍ଟ କୋଠା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଠାରେ ବିଧାୟକମାନଙ୍କୁ ୭ରୁମ୍‌ ବିଶିଷ୍ଟ ଫ୍ଲାଟ୍ ଆବଣ୍ଟନ ହେବ।

ସମ୍ବନ୍ଧିତ ଖବର