କଟକ : କଟକ ବଡମେଡିକାଲ ସେଣ୍ଟ୍ରାଲ ଓ ଟ୍ରମା କେୟାର ଆଇସିୟୁରେ ଅଚଳାବସ୍ଥା। ହାଇ-ଭୋଲଟେଜ୍ ଯୋଗୁ ଏମ୍ସିବି ଓ ଡିଜି ମେସିନ୍ ଫାଟିଯିବାରୁ ଘଣ୍ଟାଏରୁ ଅଧିକ ସମୟ ଅନ୍ଧାରରେ ରହିଲା ଏହି ଦୁଇ ଆଇସିୟୁ। ସମସ୍ୟାରେ ପଡ଼ିଲେ ଗୁରୁତର ରୋଗୀ। କିନ୍ତୁ କୌଣସି ଅଘଟଣ ଘଟିବା ପୂର୍ବରୁ ମରାମତି କରାଯାଇ ପରିସ୍ଥିତିକୁ ସ୍ୱାଭାବିକ କରାଯାଇଥିଲା। ଅନ୍ୟପଟେ ଏମ୍ସିବି ସମସ୍ୟା ପାଇଁ ଏଭଳି ସ୍ଥିତି ଉପୁଜିଥିବା ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା କହିଛନ୍ତି।
ସୂଚନାନୁସାରେ, ଏସ୍ସିବିରେ ବହୁ ସମୟରେ ବିଭିନ୍ନ ଓ୍ଵାର୍ଡ, ଆଉଟ୍ଡୋର ଓ ବିଭାଗରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ବିଚ୍ଛିନ୍ନ ହେଉଛି। ସବୁଠି ଡିଜି ସୁବିଧା ଥିଲେ ସୁଦ୍ଧା ତେଲ ଅଭାବ ଓ କର୍ମଚାରୀଙ୍କ ଅନୁପସ୍ଥିତ ପାଇଁ ଲାଇନ୍ ଗଲେ ଡିଜି ଠିକଣା ସମୟରେ ଚାଲିବା ପରିବର୍ତେ ବିଳମ୍ବରେ ଚାଲୁଥିବା ପରିଲକ୍ଷିତ ହୋଇଛି। ଏଭଳି ସ୍ଥିତିରେ ଏସ୍ସିବିରେ ଆଜି ଭୋର ସକାଳୁ ପ୍ରାୟ ଘଣ୍ଟାଏ ସେଣ୍ଟ୍ରାଲ ଆଇସିୟୁ ଅନ୍ଧାରରେ ରହିଥିଲା। ଡିଜି ବି କାମ ଦେଇନଥିଲା। ଏଠାରେ ସମସ୍ୟା ସମାଧାନ ହେବା ପରେ ପୁଣି ସକାଳ ପ୍ର୍ରାୟ ୯ଟାବେଳକୁ ଟ୍ରମା ଆଇସିୟୁରେ ପୁଣି ବିଦ୍ୟୁତ୍ ସମସ୍ୟା ଉପୁଜି ଅନ୍ଧାର ହୋଇଯାଇଥିଲା। ମନିଟର କାମ ଦେଲାନି। ଗୋଟିଏ ଡିଜି ଚାଲିଲା, ଅନ୍ୟଟି ଷ୍ଟାର୍ଟ ହେଲାନି। ୩ଟି ଜେନେରେଟରୁ ଗୋଟିଏକୁ ଲଗାଇବା ମାତ୍ରେ ହାଇଭୋଲଟେଜ୍ରୁ ପ୍ରଚଣ୍ଡ ଶଦ୍ଦ କରି ସବୁ ଅଚଳ ହୋଇପଡିଥିଲା। ମନିଟର ତଥା ବିଭିନ୍ନ ଜରୁରି ଯନ୍ତ୍ରାଂଶ ବି ଏକପ୍ରକାର ଅଚଳ ହୋଇପଡିଥିଲା। ଖବର ପାଇ ଅଧୀକ୍ଷକ ପ୍ରଫେସର ଦେବତା, ଜରୁରିକାଳୀନ ଅଧିକାରୀ ଭୁବନ ମହାରଣା, ଜିଇଡିର ଯନ୍ତ୍ରୀ ଓ ସେସୁର କର୍ମଚାରୀମାନେ ପହଞ୍ଚି ମରାମତି କରିବା ପରେ ଆଇସିୟୁ ଅବସ୍ଥା ସ୍ୱଭାବିକ ହୋଇଥିଲା।
କନିଷ୍ଠ ଯନ୍ତ୍ରୀ(ଜିଇଡି)ଙ୍କ କହିବା ଅନୁସାରେ ଆମର କିଛି ସମସ୍ୟା ନାହିଁ ବରଂ ସେସୁର ସମସ୍ୟା ରହିଛି। ଅଧିକ ହାଇଭୋଲଟେଜ୍ ପାଇଁ ମନିଟର୍ କାମ କରୁନଥିବା ଏବଂ ବାରମ୍ବାର ଲାଇନ୍ କଟୁଥିବାରୁ ଏଭଳି ସମସ୍ୟା ଉପୁଜିଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଜି ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନେଇ ଏସ୍ସିବି ଅଧୀକ୍ଷକ ସେସୁକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ସେସୁ, ଜିଇଡି ଓ ବିଭିନ୍ନ ବିଭାଗକୁ ନେଇ ବୈଠକ ଡାକିଥିବା ସୂଚନା ମିଳିିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/scb-5.jpg)