ଯାଜପୁର/କାଳିଆପାଣି: କ୍ରୋମ ଉପତ୍ୟକା କାଳିଆପାଣି ଅଞ୍ଚଳର ଓସ୍ତପାଳ ଓ ସାରୁଆବିଲ ଅଞ୍ଚଳରେ ଯକ୍ଷ୍ମା ରୋଗରେ ୧୭ ଜଣ ମୃତ୍ୟୁବରଣ କରିବା ପ୍ରସଙ୍ଗରେ ଜାତୀୟ ମାନବ ଅଧିକାର କମିସନ(ଏନଏଚଆରସି)ଙ୍କ ନିକଟରେ ଜିଲ୍ଲାପାଳ ହାଜର ହେବାକୁ ସର୍ତ୍ତମୂଳକ ସମନ ଜାରି ହୋଇଛି। ସରକାରୀ କଳର ଚରମ ଅବହେଳା ଓ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଯକ୍ଷ୍ମା ରୋଗରେ ଅକାଳରେ ମୃତ୍ୟୁବରଣ କରୁଥିବା ଦର୍ଶାଇ ଦିଲ୍ଲୀପ କୁମାର ଦାସ କମିସନଙ୍କ ଦ୍ବାରସ୍ଥ ହୋଇଥିଲେ।
ଗତବର୍ଷ ମାର୍ଚ୍ଚ ୨୪ତାରିଖ ‘ସମ୍ବାଦ’ରେ ସୁକିନ୍ଦା ବ୍ଲକ୍ର କଅଁସ ପଞ୍ଚାୟତର ଓସ୍ତପାଳ ଓ ସାରୁଆବିଲ ଅଞ୍ଚଳରେ ଯକ୍ଷ୍ମା ରୋଗରେ ୧୭ ଜଣ ମୃତ୍ୟୁ ଘଟିଥିବା ପ୍ରକାଶ ପାଇଥିଲା। ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀପ କୁମାର ଦାସ ଏନଏଚଆରସିଙ୍କର ଦୃଷ୍ଟିକୁ ଆଣିଥିଲେ। ଏଥି ମଧ୍ୟରେ ପ୍ରଶାସନ ଏହି ପ୍ରସଙ୍ଗରେ କି କି ପଦକ୍ଷେପ ନେଇଛି? ତାହା ଜାଣିବା ପାଇଁ କମିସନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ୨୮/୯/୨୦୨୨ ଓ ୨୩/୧୨/୨୦୨୨ ରେ ଦୁଇ ଥର ନୋଟିସ୍ ହୋଇଛି। ଅଥଚ ଜିଲ୍ଲାପାଳଙ୍କ ପକ୍ଷରୁ ଏହି ସମ୍ବେଦନଶୀଳ ପ୍ରସଙ୍ଗ ସମ୍ପର୍କିତ କୌଣସି ରିପୋର୍ଟ କମିସନଙ୍କୁ ପ୍ରଦାନ କରାଯାଇନାହିଁ। ଜୁନ୍ ୧୨ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ତଥ୍ୟ ପ୍ରଦାନ କରିବାକୁ କମିସନ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ରିପୋର୍ଟ ପ୍ରଶାସନ ପକ୍ଷରୁ ପ୍ରଦାନ କରାନଯାଏ ଜୁନ୍୧୯ତାରିଖରେ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ କମିସନଙ୍କ ନିକଟରେ ହାଜର ହୋଇ ତଥ୍ୟ ପ୍ରଦାନ କରିବାକୁ ନୋଟିସ ଜାରି ହୋଇଛି।