କଟକ : ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନସ୍ଥ ପଶୁ ଚିକିତ୍ସା ବିଜ୍ଞାନ କଲେଜରେ କାର୍ଯ୍ୟରତ ଆସୋସିଏଟ ପ୍ରଫେସରଙ୍କୁ ପ୍ରଫେସର ପଦକୁ ପଦୋନ୍ନତି କ୍ଷେତ୍ରରେ ନିୟମ ଅନୁପାଳନ ହେଉ ନଥିବା ଅଭିଯୋଗ କରି ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମାମଲାରେ ରାଜ୍ୟ ସରକାର ଓ ଓୟୁଏଟିକୁ ହାଇକୋର୍ଟ ନୋଟିସ୍ ଜାରି କରି ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଓୟୁଏଟି ପଶୁ ଚିକିତ୍ସା ବିଜ୍ଞାନ କଲେଜର ଆନିମଲ ରିପ୍ରଡକ୍ସନ, ଗାଇନକୋଲୋଜି ଓ ଅବଷ୍ଟେଟ୍ରିକ୍ସ ବିଭାଗରେ ଅାସୋସିଏଟ ପ୍ରଫେସର ଭାବେ କାର୍ଯ୍ୟରତ। କ୍ୟାରିୟର ଅାଡଭାନ୍ସମେଣ୍ଟ ସ୍କିମ୍ ନିୟମାନୁସାରେ ୨୦୨୦, ସେପ୍ଟେମ୍ବର ୧ରୁ ସେ ପ୍ରଫେସର ପଦକୁ ପଦୋନ୍ନତି ପାଇବା କଥା। କିନ୍ତୁ, ଏ ପର୍ଯ୍ୟନ୍ତ କର୍ତ୍ତୃପକ୍ଷ ପ୍ରଫେସର ପଦକୁ ପଦୋନ୍ନତି ସମ୍ପର୍କିତ କୋଣସି ନୋଟିସ୍ ବା ବିଜ୍ଞାପନ ପ୍ରକାଶ କରିନାହାନ୍ତି। ଅବସରର ନିକଟବର୍ତ୍ତୀ ହୋଇଥିଲେ ବି ତାଙ୍କୁ ପଦୋନ୍ନତି ପ୍ରଦାନ କରାନଯିବା କଟା ଘାରେ ଲୁଣ ସଦୃଶ ବୋଲି ଅାବେଦନକାରୀ ମାମଲାରେ ଦର୍ଶାଇଛନ୍ତି। ଅାବେଦନକାରୀଙ୍କ ପକ୍ଷରୁ ଅାଇନଜୀବୀ ଶୁଭଶ୍ରୀ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/ouat.png)