କବାଟବନ୍ଧ: ଧର୍ମଶାଳା ରାଜସ୍ବ ବିଭାଗ ଓ ଜେନାପୁର ପୁଲିସ ପକ୍ଷରୁ ଆଜି ଚକ୍ରଧରପୁର ଓ ବିଛାଖଣ୍ତି ଅଞ୍ଚଳର ୨୧ଟି କ୍ରସର ଯାଞ୍ଚ କରାଯିବା ସହ ନୋଟିସ କରାଯାଇଛି। ସେମାନଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି।
ଆଜି ଦିନ ତମାମ ଉଭୟ ବିଭାଗ ପକ୍ଷରୁ ବିଛାଖଣ୍ତିର ୧୫ଟି ଓ ଚକ୍ରଧରପୁରର ୬ଟି କ୍ରସର ଉପରେ ଚଢ଼ଉ କରାଯାଇଥିଲା। କ୍ରସରର ବିଭିନ୍ନ କାଗଜପତ୍ର ସହ ଏନ୍ଓସି ତଥା ସିସି କ୍ୟାମେରା ଅଛି କି ନାହିଁ ଯାଞ୍ଚ ହୋଇଥିଲା। କେଉଁ ଲିଜଧାରୀଙ୍କ ସହ ଚୁକ୍ତିକରି କଳାପଥର ନିଜ କ୍ରସରକୁ ଆଣୁଛନ୍ତି, ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା। ବିଭିନ୍ନ କାରଣ ତଥା ବେଆଇନ କାର୍ଯ୍ୟ ପାଇଁ ବିଛାଖଣ୍ତି ଓ ଚକ୍ରଧରପୁରର ୨୧ କ୍ରସରକୁ ରାଜସ୍ବ ବିଭାଗ ପକ୍ଷରୁ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜରିମାନା କରାଯାଇଥିବା ସୂଚନା ମିଳିଛି। ୨ ଦିନ ମଧ୍ୟରେ ଜରିମାନା ଦାଖଲ ନକଲେ ଲଘୁଖଣିଜ ସମ୍ପଦ ଚୋରି, ସରକାରଙ୍କ ରାଜସ୍ବ କ୍ଷତି ତଥା ପରିବେଶ ନଷ୍ଟ ଆଇନର ଧାରାରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ନୋଟିସରେ ଉଲ୍ଲେଖ ରହିଛି।
ଆଜିର ଏହି ଚଢ଼ଉରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସ, ଅତିରିକ୍ତ ତହସିଲଦାର ତପନ କୁମାର ମଲ୍ଲିକ, ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ସ୍ବାଇଁ, ବିରଞ୍ଚି କୁମାର ବୋଇତେଇ, ଚନ୍ଦନ କୁମାର ସାହୁ, ଅତିରିକ୍ତ ରାଜସ୍ବ ନିରୀକ୍ଷକ ଜଗବନ୍ଧୁ ଜେନାଙ୍କ ସମେତ ଜେନାପୁର ଥାନା ଏସ୍ଆଇ ବାସୁଦେବ ପରିଡ଼ା ଓ ପୁଲିସ ଫୋର୍ସ ସାମିଲ ଥିଲେ। ଯାଞ୍ଚ ସମୟରେ କିଛି କ୍ରସର ମାଲିକ ଓ କର୍ମଚାରୀ ଅନୁପସ୍ଥିତ ରହିଥିବା ଦେଖାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/11-16.jpg)