ଢେଙ୍କାନାଳ : ଦୀର୍ଘ ୭୫ ବର୍ଷ ହେବ ଇଂରେଜ ଦେଶ ଛାଡ଼ି ଚାଲିଗଲେଣି, ହେଲେ ଆମ ଲୋକଙ୍କ ଭିତରୁ ଆଜି ପର୍ଯ୍ୟନ୍ତ ଇଂରାଜୀ ପ୍ରେମ ଯାଇ ନାହିଁ। ଓଡ଼ିଆରେ ନାମ ଫଳକ ଲଗାଇବାକୁ ସରକାର ବାଧ୍ୟତାମୂଳକ କରି ନୋଟିଫିକେସନ୍ କରିଥିଲେ ମଧ୍ୟ ଏହି ନିର୍ଦ୍ଦେଶକୁ ଅଧିକାଂଶ ମାନୁନାହାନ୍ତି। ନିଜ ଭାଷାପ୍ରତି ହୀନମନ୍ୟତା କରୁଥିବା ବେଳେ ଇଂରାଜୀରେ ନାମ ଫଳକ ଲଗାଇ ଗର୍ବ ଅନୁଭବ କରୁଛନ୍ତି। ଗତ ୬ ତାରିଖରେ ପୁନର୍ବାର ସରକାର କଡ଼ା ନିୟମ ଆଣିବା ପରେ ଶ୍ରମ ବିଭାଗ ପକ୍ଷରୁ ନାମଫଳକ ଲଗାକୁ ନେଇ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଗତ ଏକ ସପ୍ତାହ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଓଡ଼ିଆରେ ନାମ ଫଳକ ଲଗାଇବାକୁ ୩୦ଟି ବ୍ୟବସାୟ ପ୍ରତିଷ୍ଠାନକୁ ଶ୍ରମ ବିଭାଗ ପକ୍ଷରୁ ନୋଟିସ୍ କରାଯାଇଛି।
ସୂଚନା ଅନୁଯାୟୀ, ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ରାଜ୍ୟ ସରକାର ୨୦୧୮ ମସିହାରେ ସମସ୍ତ ନାମ ଫଳକ ଓଡ଼ିଆରେ ଲେଖିବାକୁ ନିୟମ କରିଥିଲେ। ଇଂରାଜୀରେ ଲେଖିଥିଲେ ମଧ୍ୟ ଦୋକାନ, ବଜାର, ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଆଦି ସବୁଠାରେ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରା ନଗଲେ ପ୍ରଥମ ଥର ପାଇଁ ୫ ହଜାର ଟଙ୍କା ଏବଂ ଦ୍ବିତୀୟ ଥର ଉଲ୍ଲଂଘନ କଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାର ସରକାରୀ ନିୟମ ରହିଛି। ଦୀର୍ଘ ୫ ବର୍ଷ ମଧ୍ୟରେ ଏହି ନିୟମର ଠିକ୍ କାର୍ଯ୍ୟକାରିତା ନ ହେବା ଯୋଗୁଁ ଆଜି ବି ବିଭିନ୍ନ ସ୍ଥାନରେ ଇଂରାଜୀ ନାମଫଳକ ଝୁଲୁଛି। ସବୁଠାରେ ବଡ଼ ବଡ଼ ଅକ୍ଷରରେ ଓଡ଼ିଆ ନାମ ଫଳକ ଲେଖିବାକୁ ସରକାର ପୁନର୍ବାର ଗତ ୬ ତାରିଖରେ କଡ଼ାକଡ଼ି ନିୟମ ଆଣିଛନ୍ତି। ହେଲେ ସରକାରଙ୍କ ଏହି ନିୟମକୁ କେତେକ ହେୟଜ୍ଞାନ କରି ଓଡ଼ିଆରେ ନାମ ଫଳକ ଲଗାଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଅନ୍ୟ କେତେକ ସ୍ଥାନରେ ଇଂରାଜୀକୁ ପ୍ରାଧାନ୍ୟ ଦେଇ ବଡ଼ ବଡ଼ ଅକ୍ଷରରେ ଫଳକ ଲଗାଇଥିବା ବେଳେ ତା ତଳକୁ ଓଡ଼ିଆରେ ଲେଖି ଧର୍ମକୁ ଆଖିଠାର ମାରୁଛନ୍ତି।
ଏ ସଂପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ସତ୍ୟ ନାରାୟଣ ଆଚାର୍ଯ୍ୟ କୁହନ୍ତି ଯେ ଢେଙ୍କାନାଳ ସହରରେ ୨୦୦ରୁ ୨୫୦ ଦୋକାନ ଓଡ଼ିଆରେ ନାମ ଫଳକ ଲେଖିନାହାନ୍ତି। ଏଥି ପାଇଁ ବିଭାଗ ପକ୍ଷରୁ ଗତ ଏକ ସପ୍ତାହ ହେବ ସ୍ବତନ୍ତ୍ର ଚଢ଼ଉ ଆରମ୍ଭ କରାଯାଇ ସଚେତନତା କରାଯାଉଛି। ଜାଣିଶୁଣି ଓଡ଼ିଆରେ ଲେଖିବା ଉପରେ ଗୁରୁତ୍ବ ଦେଇ ନଥିବା ୩୦ଟି ବ୍ୟବସାୟ ପ୍ରତିଷ୍ଠାନକୁ ଅଦ୍ୟାବଧି ନୋଟିସ୍ ଜାରି କରାଯାଇଛି। ଆସନ୍ତା ମେ ୧ ତାରିଖ ମଧ୍ୟରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓଡ଼ିଆ ନାମ ଫଳକ ଲଗାଇବା କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜରିମାନା ଆଦାୟ କରାଯିବ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/dhenkanal-bb.jpg)