କଟକ : ଏଣିକି ସମସ୍ତ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସ୍ପୋକନ୍‌ ଇ˚ଲିସ ତାଲିମ ଦିଆଯିବାକୁ ଯୋଜନା କରାଯାଉଛି। ଓଡ଼ିଆ ଛାତ୍ରଛାତ୍ରୀ କିଭଳି ଇ˚ରାଜୀ ଭାଷାରେ ଦକ୍ଷତା ଅର୍ଜନ କରିପାରିବେ, ସେଥିପ୍ରତି ଦୃଷ୍ଟି ଦିଆଯିବ। ଯଦ୍ବାରା ସରକାରୀ ସ୍କୁଲ ପ୍ରତି ଅଭିଭାବକଙ୍କ ଆଗ୍ରହ ବଢ଼ିବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟ ପରିଦର୍ଶନ କରିବା ଅବସରରେ ଏଭଳି ଯୋଜନା ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

Advertisment

ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଶ୍ରୀ ଦାସ ଆଜି ପୂର୍ବାହ୍ନରେ ପ୍ରଥମ ଥର ପାଇଁ ବୋର୍ଡ କାର୍ଯ୍ୟାଳୟକୁ ଆସିଥିଲେ। ବୋର୍ଡ ସଭାପତି ଡକ୍ଟର ଜାହାନ ଆରା ବେଗମ୍‌, ସମ୍ପାଦକ ରାମାଶିସ ହାଜରା, ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ଏବ˚ ବରିଷ୍ଠ ଅଧିକାରୀଙ୍କ ସହିତ ସ୍କୁଲର ଭିତ୍ତିଭୂମି, ପରୀକ୍ଷା ଫଳ ଏବ˚ ଗୁଣାତ୍ମକ ଶିକ୍ଷାର ବିକାଶ ସଂପର୍କରେ ଶ୍ରୀ ଦାସ ଆଲୋଚନା କରିଥିଲେ। ଯେଉଁ ସ୍କୁଲରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୌଣସି ପିଲା ପାସ କରି ପାରି ନାହାନ୍ତି, ସେହି ସବୁ ସ୍କୁଲକୁ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ଗସ୍ତ କରିବେ। ସ୍କୁଲର ସ୍ଥିତି କଣ ରହିଛି, ପାଠ ପଢା ହେଉଛି କି ନାହିଁ, ସ୍ଥାନୀୟ ଲୋକେ ସ୍କୁଲ ସମ୍ପର୍କରେ କଣ କହୁଛନ୍ତି, ସେ ସଂପର୍କିତ ସୂଚନା ସେ ବ୍ୟକ୍ତିଗତ ଭାବେ ସେଠାକୁ ଯାଇ ସଂଗ୍ରହ କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଅନ୍ୟପଟେ ମନ୍ତ୍ରୀ କହିଛନ୍ତି ଯେ, ଶୂନ ପରୀକ୍ଷାଫଳ ହେଇଥିବା ୮୨ଟି ସ୍କୁଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। କେଉଁ କାରଣ ପାଇଁ ଏଭଳି ଫଳ ହେଇଛି, ସେ ସମ୍ପର୍କରେ ସେମାନେ ଦର୍ଶାଇବେ। ସରକାରୀ ସ୍କୁଲ ଉପରେ ଅଭିଭାବକଙ୍କ ଆସ୍ଥା କମି ଯାଉଥିବାରୁ ତ‌ାହା ଫେରାଇ ଆଣିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।