ମୋଟୁ ଥାନାରେ ଥାର୍ଡ ଡିଗ୍ରି ଘଟଣା: ମାଲକାନଗିରି ଏସ୍‌ପିଙ୍କୁ ଓଏଚ୍‌ଆରସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ ୨ ଜଣ ଯୁବକଙ୍କୁ ପୁଲିସର ଥାର୍ଡ ଡିଗ୍ରି ଘଟଣାରେ ଓଡ଼ିଶା ମାନବାଧିକାର କମିସନ (ଓଏଚ୍‌ଆରସି) ନିଜ ତରଫରୁ ମାମଲା ରୁଜୁ କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣାକୁ ମାନବାଧିକାର କମିସନ ଗୁରୁତର ସହିତ ନେଇଛନ୍ତି। ଘଟଣାର ତଦନ୍ତ ନେଇ ଓଏଚ୍‌ଆରସି ମାଲକାନଗିରି ଏସ୍‌ପିଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଘଟଣାର ତଦନ୍ତ କରି ଏହାର ରିପୋର୍ଟ ଆଗାମୀ ଶୁଣାଣି ପୂର୍ବରୁ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୨୬ରେ ହେବ।

ଚୋରି ଘଟଣାରେ ଅଭିଯୁକ୍ତ ଦର୍ଶାଇ ପୀଡ଼ିତଙ୍କୁ କଙ୍ଗାରୁ କୋର୍ଟରେ ହାଜର କରାଯାଇଥିଲା। ତେବେ ମୀମାଂସା ନ ହେବାରୁ ପୁଲିସ ଜିମାରେ ଦେଇଥିଲେ। ପୁଲିସ ୪ଦିନ ଧରି ହାଜତରେ ରଖି ନିସ୍ତୁକ ପିଟିଥିଲା, ଯାହାଫଳରେ ଆଉ ବିଛାଣରୁ ଉଠିପାରି ନଥିଲେ ଦୁଇ ଯୁବକ। ପୁଲିସ ଥାର୍ଡ ଡିଗ୍ରିକୁ ଅସ୍ୱୀକାର କରୁଥିଲେ ବି ତରବରିଆ ଭାବେ ପୁଲିସ ଏସ୍‌ଆଇଙ୍କୁ ହଟାଇ ଦେଇଛି। ଅନ୍ୟପଟେ ଦୁଇ ଯୁବକଙ୍କୁ ଚିକିତ୍ସା ନିମନ୍ତେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ମାଲକାନଗିରି ଏସ୍‌ଡିପିଓ ଅଭିଳାଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ମୋଟୁ ଥାନା ଅନ୍ତର୍ଗତ ଏମଭି-୮୧ ଗାଁର ବିନୋଦ ବିଶ୍ୱାସ ଓ ବିପ୍ଳବ ହାଲଦାର କିଛିଦିନ ତଳେ ରାଜ୍ୟ ବାହାରୁ ଦାଦନ ଖଟି ଗାଁକୁ ଫେରିଥିଲେ। ଏହାପରେ ଗାଁର ଅଭିଜିତ ବିଶ୍ୱାସଙ୍କ ଘରୁ ସୁନା ଗହଣା ଏବଂ ନଗଦ ଟଙ୍କା ଚୋରି ହୋଇଥିବାବେଳେ ଉପରୋକ୍ତ ଦୁଇ ଯୁବକଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲେ। ତେଣୁ ଗାଁରେ କଙ୍ଗାରୁ କୋର୍ଟ ବସି ଉଭୟଙ୍କ ବିଚାର ଆରମ୍ଭ ହୋଇଥିଲା। ତେବେ, ସେମାନେ ଚୋରି କରି ନଥିବା ବାରମ୍ବାର କହିବା ସତ୍ତ୍ୱେ କେହି ଶୁଣି ନଥିଲେ। ଶେଷରେ କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁଯାୟୀ ଉଭୟଙ୍କୁ ମୋଟୁ ଥାନା ପୁଲିସକୁ ଡକାଇ ଜିମାରେ ଦିଆଯାଇଥିଲା।

ପୁଲିସ ଗୁରୁବାର ଦିନ ଉଭୟଙ୍କୁ ଥାନାକୁ ନେଇ ହାଜତରେ ରଖିଥିଲା। ୪ଦିନ ଧରି ନିସ୍ତୁକ ପିଟିବା ପରେ ଗତକାଲି ପରିବାର ଲୋକଙ୍କୁ ଡକାଇ ଘରକୁ ନେଇଯିବାକୁ କହିଥିଲା। କିନ୍ତୁ ପୁଲିସ ସେମାନଙ୍କୁ ଏତେ ପିଟିଥିଲା ଯେ ସେମାନେ ଆଉ ଉଠିପାରି ନଥିଲେ। ପରିବାର ଲୋକ ବହୁ କଷ୍ଟରେ ଉଭୟଙ୍କୁ ଉଠାଇ ଗାଁକୁ ଆଣିଥିଲେ। ସେତେବେଳକୁ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବାରୁ ଏମଭି-୭୯ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅପରପକ୍ଷରେ ପୁଲିସ ଉଭୟଙ୍କୁ ବେଆଇନ ଭାବେ ଥାନାରେ ଅଟକ ରଖି ପିଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ବିରୋଧରେ ଏଭଳି ସଂଗିନ୍‌ ଅଭିଯୋଗ ଆସିଥିବାରୁ ମାଲକାନଗିରି ଏସ୍‌ଡିପିଓ ଅଭିଳାଷ ମୋଟୁ ଥାନାକୁ ଯାଇ ତଦନ୍ତ କରିଥିଲେ। ତୁରନ୍ତ ଏସ୍‌ଆଇ ସୋମନାଥ ଦଳବେହେରାଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିବାକୁ ସୁପାରିସ କରିଥିଲେ। ଯାହାକୁ ଏସ୍‌ପି ଗ୍ରହଣ କରିବାରୁ ଏସ୍‌ଆଇ ଦଳବେହେରାଙ୍କୁ ମୋଟୁ ଥାନାରୁ ହଟାଇ ଦିଆଯାଇଛ।

ସମ୍ବନ୍ଧିତ ଖବର