ସଂରକ୍ଷିତ ଜଙ୍ଗଲକୁ କବ୍‌ଜା କରିବା ଘଟଣା: ରେଙ୍ଗେଶିସ ଇଣ୍ଡଷ୍ଟ୍ରିଜ୍‌କୁ ନୋଟିସ୍‌

ଅନୁଗୁଳ : ଶେଷରେ ହାଇଦ୍ରାବାଦ୍‌ ଶିଳ୍ପପତିଙ୍କୁ ଖୋଜି ବାହାର କଲା ବନ ବିଭାଗ। ଅନୁଗୁଳ ବନଖଣ୍ଡର ପୋକୁଣ୍ଡା ସଂରକ୍ଷିତ ଜଙ୍ଗଲକୁ କବ୍‌ଜା କରିବା ଘଟଣାରେ ସଂସ୍ଥାକୁ ଜାରି ହେଲା ନୋଟିସ୍‌। ବିଭାଗ ଦେଲା ତିନି ଦିନର ମହଲତ୍‌। ତିନିଦିନ ଭିତରେ ବନ ବିଭାଗ ପାଖରେ ହାଜର ହେବାକୁ ନୋଟିସ୍‌ରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅନୁଗୁଳର ଭାରପ୍ରାପ୍ତ ରେଞ୍ଜର୍‌ ସୁକାନ୍ତୀ ଦେଇ ପ୍ରକାଶ କରିଛନ୍ତି। ଏ ଘଟଣାରେ ବନ ବିଭାଗ କେସ୍‌ ନମ୍ବର ୧୭/୨୦୨୨-୨୩ରେ ଓଡ଼ିଶା ଫରେଷ୍ଟ ଆକ୍ଟ-୧୯୭୨ରେ ଏକ ମାମଲା ମଧ୍ୟ ରୁଜୁ କରିଛି।

ଶ୍ରୀମତୀ ଦେଇଙ୍କ କହିବା ମୁତାବକ, ଏ ଶିଳ୍ପର ନାଁ ହେଲା ରେଙ୍ଗେଶିସ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ୍ ଲିମିଟେଡ୍। କମ୍ପାନିର ସିଇଓ ମୁଡ଼ୁମ୍‌ବାଇ ବେଣୁ କୁମାର ନାଁରେ ଏ ଜାଗା ଖର୍ଦ୍ଦି ହୋଇଛି। ତାଙ୍କ ଘର ହାଇଦ୍ରାବାଦ୍‌ର ଥିରୁମାଳାନଗରରେ। ଅନୁଗୁଳ ତହସିଲ୍‌ ପୋକୁଣ୍ଡା ଅଞ୍ଚଳର ଖାତା ନମ୍ବର ୮୦/୧ ଓ ୮୦/୨ରୁ ମୋଟ୍ ୧୧ଟି ପ୍ଲଟ୍ ତାଙ୍କ ନାଁରେ ପଟ୍ଟା ହୋଇଛି। ଖାତା ନମ୍ବର ୮୦/୧ର ପ୍ଲଟ୍ ନମ୍ବର ୬୩ରୁ ୧.୯୨୫୯ହେକ୍ଟର ଜମି କିଣାଯାଇଥିବା ବେଳେ ଖାତା ନମ୍ବର ୮୦/୨ର ପ୍ଲଟ୍‌ ନମ୍ବର ୬୦ରୁ ୦.୦୬୫୨ହେକ୍ଟର, ପ୍ଲଟ୍ ନମ୍ବର ୬୧ରୁ ୦.୦୧୨୧ହେକ୍ଟର, ପ୍ଲଟ୍ ନମ୍ବର ୬୨ରୁ ୦.୦୫୨୬ହେକ୍ଟର ଜାଗା କିଣାଯାଇଥିବା ବନ ବିଭାଗ ତଦନ୍ତରୁ ଜାଣିବାକୁ ପାଇଛି। ଯେହେତୁ, ସଂରକ୍ଷିତ ଜଙ୍ଗଲକୁ କାଟି ଏହି ଚାରୋଟି ପ୍ଲଟ୍‌କୁ ରାସ୍ତା କରାଯାଇଥିଲା ସେହି ଆଧାରରେ ସଂସ୍ଥାର ସିଇଓଙ୍କୁ ସମନ୍‌ କରାଯାଇଛି। ତାଙ୍କୁ ଜେରା କଲା ପରେ ଆଇନ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରପ୍ରାପ୍ତ ରେଞ୍ଜର୍‌ ଶ୍ରୀମତୀ ଦେଇ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପ କହିଛନ୍ତି, ଗ୍ରାମ୍ୟ ଜଙ୍ଗଲରେ ଏ ପ୍ରକାର ମାଟି ଖୋଳା ପୂରା ବେଆଇନ୍। ଏନେଇ ତାଙ୍କ ବିରୋଧରେ ଏତଲା ଦିଆଯିବ। ବେଆଇନ୍‌ ଜଙ୍ଗଲ କାଟିବା ଘଟଣାରେ ତାଙ୍କଠାରୁ ରୟାଲିଟି ଆଦାୟ କରାଯିବ।

ସମ୍ବନ୍ଧିତ ଖବର