ସିନାପାଲି: ଆସନ୍ତା ୧୨ ତାରିଖ ଦିନ ନୂଆପଡ଼ା ଜିଲ୍ଲା ସିନାପାଲି ପଞ୍ଚାୟତ ସମିତିର ପ୍ରଥମ ବୈଠକ ତଥା ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ହେବ। ଏହି ବୈଠକରେ ଯୋଗଦେଇ ବ୍ଲକ୍ ଅଧ୍ୟକ୍ଷ ବାଛିବାକୁ ଜଣେ ପରାଜିତ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ନିର୍ବାଚିତ ସଭ୍ୟ ଭାବେ ଚିଠି କରାଯାଇଥିବା ଜଣାପଡ଼ିଛି।
ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବ୍ଲକ୍ ନିର୍ବାଚନ ଅଧିକାରୀ ତଥା ବିଡିଓଙ୍କ କାର୍ଯ୍ୟାଳୟରୁ ନିର୍ବାଚିତ ସମିତି ସଭ୍ୟମାନଙ୍କୁ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ଯୋଗଦେବା ପାଇଁ ନୋଟିସ ହୋଇଥିଲା। ଗୋର୍ଲା ପଞ୍ଚାୟତ ସମିତି ସଭ୍ୟ ପଦରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ପ୍ରମିଳା ହଂସଙ୍କୁ ମଧ୍ୟ ଗତ ୪ ତାରିଖ ଦିନ ଏହି ନୋଟିସ ଦିଆଯାଇଥିଲା।
ପ୍ରକୃତରେ ଏହି ପଞ୍ଚାୟତରେ ସମିତି ସଭ୍ୟ ଭାବେ ରାଧା ଘିଭେଲା ଜୟଯୁକ୍ତ ହୋଇଛନ୍ତି। ତାଙ୍କୁ ୩୧୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା। ଘଟଣା ଜଣାପଡ଼ିବା ପରେ ପୁଣି ଶ୍ରୀମତୀ ଘିଭେଲାଙ୍କୁ ବୈଠକରେ ଯୋଗଦେବାକୁ ନୋଟିସ କରାଯାଇଛି ବୋଲି ବ୍ଲକ୍ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଜିପିଇଓ ପ୍ରେମଲାଲ ନାଏକଙ୍କୁ ପଚରାଯିବାରୁ ଭିଡ଼ରେ ଭୁଲବଶତଃ ଏପରି ହୋଇଯାଇଥିଲା ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Election-Symbol1.jpg)