ଯାଜପୁର : ମେସ୍କା କର୍ମଚାରୀ ଦରମା ନପାଇବା ସଂକ୍ରାନ୍ତ ମାମଲାରେ ଜାତୀୟ ମାନବାଧିକାର କମିସନ ଯାଜପୁର ଜିଲ୍ଲାପାଳ ଓ ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ବର ଶ୍ରମ ଅଦାଲତରେ ରୁଜୁ ହୋଇଥିବା ମାମଲା ନମ୍ବର ୧୫/୨୧ର ସ୍ଥିତାବସ୍ଥା ସଂପର୍କରେ ଜଣାଇବା ନିମନ୍ତେ କମିସନ ନିର୍ଦ୍ଦେଶ ଦେଇଛନ୍ତି।
ମେସ୍କୋ ପ୍ଲାଣ୍ଟରେ ‘କାମ ନାହିଁ ତ ଦରମା ନାହିଁ’ ନୀତି ଲାଗୁ ହେବାପରେ କର୍ମଚାରୀ ସତ୍ୟଜିତ କାୟସ୍ଥ ଜାତୀୟ ମାନବାଧିକାର ଆୟୋଗର ଦ୍ବାରସ୍ଥ ହୋଇ ୯ଶହ କର୍ମଚାରୀ ଓ ପରିବାରର ଦୁର୍ଦଶା ସଂପର୍କରେ ୨୦୨୧ ସେପ୍ଟେମ୍ବର ୨୪ରେ ଜଣାଇଥିଲେ। କମିସନରେ ଏସଂକ୍ରାନ୍ତରେ ୨୧୨୬/୧୮/୨୪/୨୦୨୧ରେ ଏକ ମାମଲା ରୁଜୁ ହେବା ପରେ ଅକ୍ଟୋବର ୨୧ରେ ଯାଜପୁର ଜିଲ୍ଲାପାଳ ଓ ଶ୍ରମ ବିଭାଗ ସଚିବଙ୍କୁ ସମନ ଜାରି ହୋଇଥିଲା। ଏହାର ରିପୋର୍ଟ ଦାଖଲ କରିବା ପରେ ଅଗଷ୍ଟ ୨ରେ ଜିଲ୍ଲାପାଳ ଓ ପ୍ରମୁଖ ସଚିବଙ୍କୁ ପୁଣି ଏକ ନୋଟିସ କମିସନଙ୍କ ପକ୍ଷରୁ ଜାରି କରାଯାଇଛି। ଭୁବନେଶ୍ବର ଶ୍ରମ ଅଦାଲତରେ ଚାଲିଥିବା ମାମଲା ୧୫/୨୧ ର ସ୍ଥିତି ସଂପର୍କରେ ବିସ୍ତୃତ ବିବରଣୀ ୪ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ମେସ୍କୋ ଷ୍ଟିଲ ବନ୍ଦ ହେବା ପରେ ‘ନୋ ୱାର୍କ ନୋ ପେ’ ନୀତି ଲାଗୁହେବାରୁ ୯୦୦ କର୍ମଚାରୀ ଓ ପରିବାରର ପେଟପାଟଣା ପ୍ରଭାବିତ ହୋଇଛି। ଏନେଇ ବାରମ୍ବାର କଳିଙ୍ଗନଗର ଏଡିଏମ୍ଙ୍କ ସହ ଆଲୋଚନା ପରେ ମଧ୍ୟ କୌଣସି ସମାଧାନ ପନ୍ଥା ବାହାରି ପାରୁନାହିଁ।