ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍

ଅନ୍‌ଲାଇନ ପାଠପଢ଼ା ସୁନିଶ୍ଚିତ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଅନ୍‌ଲାଇନରେ ପାଠ ପଢ଼ାଯାଉଥିବା ସ୍କୁଲର ସବୁ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ପ୍ରଦାନ କରାଯିବ। କୌଣସି ଛାତ୍ରଛାତ୍ରୀ ଏପରି ବ୍ୟବସ୍ଥାରୁ ଯେପରି ବଞ୍ଚିତ ନ ହେବେ, ତାହା ସରକାର ସୁନିଶ୍ଚିତ କରିବେ। ଏଥିସହିତ ଲକ୍‌ଡାଉନ୍‌ ପରିସ୍ଥିତିରେ ସମସ୍ତ ସ୍କୁଲ ଛାତ୍ରଛାତ୍ରୀ ଯେପରି ଶିକ୍ଷାଲାଭ କରିବେ ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ। ଆଜି ସ୍କୁଲ ଫି’ ଛାଡ଼ ପ୍ରସଂଗ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିବା ସହିତ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍‌ସ୍ ଦାୟର କରିଥିବା ଇଣ୍ଟରଭେନସନ୍ ପିଟିସନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି। ସ୍କୁଲ ଫି ଛାଡ଼ ସଂପର୍କିତ ବିଚାରାଧୀନ ଅନ୍ୟ ଦୁଇ ମାମଲା ସହିତ ଏହି ଆବେଦନର ମେ ୨୬ରେ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖାଦେଇଥିବା ପରିସ୍ଥିତିରେ ଚାରିମାସ ପାଇଁ ସମସ୍ତ ପ୍ରକାର ସ୍କୁଲ ଫି’ ଛାଡ କରିବା ପ୍ରସଂଗକୁ ନେଇ ଏହି ଜନସ୍ବାର୍ଥମାମଲା ଦାୟର ହୋଇଛି। ମାମଲାରେ ଦର୍ଶାଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ସାରାଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବାବେଳେ ଏବେ ସମସ୍ତେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଲକଡାଉନ୍‌ ଓ ବିଭିନ୍ନ ସମୟରେ ସଟଡାଉନ୍‌ ଭଳି ପରିସ୍ଥିତିରେ ସମସ୍ତଙ୍କର ରୋଜଗାର ଏକପ୍ରକାର ଠପ୍ ହୋଇ ଯାଇଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଅଭିଭାବକ ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚାରିମାସ ପର୍ଯ୍ୟନ୍ତ ସ୍କୁଲ ଫି’ ଆଦାୟ ସ୍ଥଗିତ ରଖିବାକୁ କିମ୍ବା ଛାଡ଼ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଏପ୍ରିଲ ୧୦ରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାର ମଧ୍ୟ ସମାନ କଥା କହିଥିଲେ। ଏଥିସହିତ ସ୍କୁଲ ଫି’ ବୃଦ୍ଧି ନ କରିବାକୁ ଘରୋଇ ଅନୁଷ୍ଠାନଗୁଡ଼ିକୁ କୁହାଯାଇଥିଲା। କିନ୍ତୁ କେତେକ ଘରୋଇ ଶିକ୍ଷାନୁଷ୍ଠାନ ସ୍କୁଲ ଫି ଆଦାୟ ପାଇଁ ଅଭିଭାବକଙ୍କ ନିକଟକୁ ନୋଟିସ୍ ପଠାଇଛନ୍ତି। କେତେକ ସ୍କୁଲ ଫି ମଧ୍ୟ ବୃଦ୍ଧି କରିଛନ୍ତି ବୋଲି ଅଭିଯୋଗ ହେଉଛି। ଟ୍ୟୁସନ୍ ଫି, ରି-ଆଡମିସନ୍ ଫି ଡେଭେଲପମେଣ୍ଟ ଫି, ଡେ-ବୋର୍ଡର ଫି’ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଫି’ ବାବଦରେ ଅଭିଭାବକଙ୍କ ନିକଟରୁ ଟଙ୍କା ଆଦାୟ କରାଯାଉଛି। ସ୍କୁଲ କର୍ତ୍ତୃପକ୍ଷ ଅନଲାଇନ୍‌ରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ବ୍ୟବସ୍ଥା କରିଥିବା କହୁଥିବା ବେଳେ ଯେଉଁ ଅଭିଭାବକମାନେ ଫି’ ପଇଠ କରି ନାହାନ୍ତି ସେମାନଙ୍କ ପିଲାଙ୍କୁ ପାସ୍‌ୱାର୍ଡ ପ୍ରଦାନ କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ସରକାର ସ୍କୁଲ ଫି’ ନେଇ ବିଜ୍ଞପ୍ତି ପ୍ରକାଶ କରନ୍ତୁ। ଏ ପର୍ଯ୍ୟନ୍ତ ପଇଠ କରି ନଥିବା ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ ପାଠପଢା ପାଇଁ ଥିବା ବ୍ୟବସ୍ଥାର ପାସୱାର୍ଡ୍‌ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ମାମଲାରେ କେନ୍ଦ୍ର ମାନବସମ୍ବଳ ବିକାଶ ବିଭାଗ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସିବିଏସ୍‌ଇ, କାଉନସିଲ ଫର୍‌ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭି. ନରସିଂହ ଓ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଥିବା ବେଳେ ଯଜ୍ଞପ୍ରକାଶ ପରିଡ଼ା ଓ ସୁମନ ସଂଗୀତା ଶତପଥୀ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର